ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଅବସ୍ଥିଜ୍ ଅଫ୍ ‌ଆମ୍‌ ନଗ୍ରୀ’ ଉନ୍ମୋଚିତ ହୋଇଛି। ଗୁରୁବାର ଭୁବନେଶ୍ୱରରେ ଆୟୋଜିତ ଏକ ଭର୍ଚୁଆଲ୍‌ ‌ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡକ୍ଟର ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

“ଉପନ୍ୟାସ ରଚନା ଲେଖକ ବା ଲେଖିକାର ବୃତ୍ତି ନୁହେଁ ବରଂ ଏକ ପ୍ରବୃତ୍ତି ଅଟେ। ଏହାକୁ ସୃଷ୍ଟି କରିବା କାଠିକର। ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା, ଯଦ୍ଦ୍ଵାରା ଏହାକୁ ଲେଖିବା ନିମନ୍ତେ ଅହର୍ନିଶି ଭାବିବାକୁ ପଡ଼ିଥାଏ”, କହିଛନ୍ତି ଡକ୍ଟର ପ୍ରତିଭା ରାୟ।

ଏଥିସହିତ ଲେଖିକା ଶୁଭା ଶର୍ମାଙ୍କ ଉପନ୍ୟାସକୁ ପ୍ରଶଂସା କରି ଡକ୍ଟର ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ଲେଖିକା ବ୍ୟସ୍ତତା ଭିତରେ ମଧ୍ୟ ସମୟ ବାହାର କରି ଏଭଳି ଉଚ୍ଚକୋଟ୍ଟୀର ସାହିତ୍ୟ ରଚନା କରିଛନ୍ତି। ଏଥିରେ ରହିଥିବା ଶବ୍ଦବିନ୍ୟାସ ବେଶ୍ ଆକର୍ଷଣୀୟ। ସରକାରୀ ସେବାରେ ରହି ବହୁ କବି କବିତା ଲେଖୁଥିବା ନଗଣ୍ୟ। ତେଣୁ ଲେଖିକା ଶୁଭା ଶର୍ମା ତାଙ୍କ ଜୀବନରେ ଆହୁରି ଅଧିକ ଉପନ୍ୟାସ ରଚନା କରିଚାଲନ୍ତୁ ଏବଂ ଗଳ୍ପକଥନରେ ତାଙ୍କର ଚଲାପଥ କୁସୁମିତ ହେଉ।“ଶୁଭା ଶର୍ମା ଜଣେ ପ୍ରତିଭାଶାଳୀ ଲେଖିକା ଓ ଭାଷା ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି। ତାଙ୍କ ଉପନ୍ୟାସରେ କବିତାସୁଲଭ ଭାବପ୍ରବଣତା ଓ ସାବଲୀଳତା ଅନୁଭୂତ ହେଉଛି। ଉପନ୍ୟାସଟିରେ ସମାଜ ଓ ଯୌଥ ପରିବାରର ଜୀବନଶୈଳୀକୁ ଗଭୀର ଭାବରେ ଅନୁଧ୍ୟାନ କରାଯାଇ ବ୍ୟକ୍ତ କରାଯାଇଛି। ଶ୍ରୀମତୀ ଶର୍ମା ଜଣେ ସୁନାମଧନ୍ୟ ଗାଳ୍ପିକା। ‘ଦି ଅବସ୍ଥିଜ୍ ଅଫ୍ ‌ଆମ୍‌ ନଗ୍ରୀ’ ଉପନ୍ୟାସଟିରେ ପାଠକୀୟ ଆଦୃତି ଲାଭ କରିବାର ସମସ୍ତ ଗୁଣ ଭରି ରହିଛି”, କହିଛନ୍ତି ବିଶିଷ୍ଟ ଲେଖକ ଡକ୍ଟର ଦେବାଶିଷ ପାଣିଗ୍ରାହୀ।

ଏହି ଉତ୍ସବରେ ଅନ୍ୟ ଅତିଥି ଭାବେ ସମ୍ଵାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗଦେଇ କହିଛନ୍ତି ଯେ, ଆମର ଯୌଥ ପରିବାର ବ୍ୟବସ୍ଥାର ବିଶେଷତ୍ଵ ସମ୍ପର୍କରେ ସମସ୍ତେ ଜାଣିପାରୁଛନ୍ତି। ଶୁଭା ଶର୍ମାଙ୍କର ଏହି ଉପନ୍ୟାସଟି ମଜାଳିଆ ଏବଂ ପାଠକଙ୍କୁ ଆକର୍ଷିତ କରିବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଏହା ଆମକୁ ପୁରୁଣା ଯୁଗର ଜୀବନଶୈଳୀର ଅନୁଭବ ଆଣିଦେଉଛି।

ଏହି ଭର୍ଚୁଆଲ୍ ଉତ୍ସବରେ ପ୍ରମୁଖ ସାହିତ୍ୟିକ ଓ ସମୀକ୍ଷକମାନେ ଯୋଗଦେଇ ଉପନ୍ୟାସର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରି ଉପନ୍ୟାସଟି କିଶୋର ଓ ତରୁଣ ବର୍ଗର ପାଠକମାନଙ୍କ ଦ୍ଵାରା ବିଶେଷ ଭାବେ ଆଦୃତି ଲାଭ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।

“ଏହି ଉପନ୍ୟାସଟି ଏକ କାଳ୍ପନିକ ସ୍ଥାନ ‘ଆମ୍‌ ନଗ୍ରୀ’ ଉପରେ ପର୍ଯ୍ୟବେସିତ। ଆମ୍‌ ନଗ୍ରୀର ଜଣେ ବ୍ୟକ୍ତି ଦିନାନାଥ ଅବସ୍ଥି ଏବଂ ତାଙ୍କ ପରିବାର କଥା ଏହି ଉପନ୍ୟାସରେ ଲେଖାଯାଇଛି। ପରିବାରରେ ଆମେ ବିଭିନ୍ନ ପ୍ରକାକର ପରିସ୍ଥିତିର ସାମ୍ନା କରୁ। କେତେବେଳେ କଷ୍ଟ ପାଉ ତ କେତେବେଳେ ସୁଖ ପାଉ। କେତେବେଳେ ଛୁଟି ଦିନରେ ପରିବାର ସହ ମିଶିକରି ସମୟ ବିତାଉ। ଏହି ଉପନ୍ୟାସରେ ମଧ୍ୟ ଦିନାନାଥ କିପରି ନିଜ ପରିବାର ସହ ଗୋଟେ ମଜାଦାର ଅନୁଭୂତି ନେଇ ଜୀବନ କାଟିଛନ୍ତି ତାହାର କାହାଣୀ ଏ ଉପନ୍ୟାସରେ ରହିଛି”, କହିଛନ୍ତି ଲେଖିକା ଶୁଭା ଶର୍ମା।

Comment