ଭାସ୍କର ପରିଚ୍ଛା
ମୋ ଜୀବନ ମୋ ସମୟ
ଅତନୁ ସବ୍ୟସାଚୀ
ବ୍ଲାକ ଇଗଲ ବୁକ୍ସ
ଭୁବନେଶ୍ୱର
ରାଜନେତାଙ୍କ ସ୍ମୃତିକଥା ସମ୍ବଳିତ ଜୀବନୀ ପୁସ୍ତକ ପଢ଼ିବାରେ ପାଠକମାନେ ଅପେକ୍ଷାକୃତ ଅଧିକ ରୁଚି ରଖିଥାନ୍ତି। ଏହାର କାରଣ ସ୍ପଷ୍ଟ। ନେତାଙ୍କ ଜୀବନ ଗୋଟିଏ ଗୋଟିଏ ଖୋଲା ଫର୍ଦ୍ଦ। ରାଜନୀତି ଜୀବନର ଗୁରୁତ୍ୱପୂର୍ଣ୍ଣ ଓ ବିବାଦୀୟ ଘଟଣାକୁ କେତେ ମାତ୍ରାରେ ସେ ପରିବେଷଣ କରିଛନ୍ତି ନା କିଛି ଘଟଣାକୁ ଜାଣିଶୁଣି ଚପାଇ ଦେଇଛନ୍ତି ତାହା ଜାଣିବା ପାଇଁ ପାଠକଟି ସ୍ଵାଭାବିକ ଭାବେ ଅନୁସନ୍ଧିତ୍ସୁ ହୋଇଥାଏ।
ଅତନୁ ସବ୍ୟସାଚୀ ନାୟକ ଜଣେ ଲୋକପ୍ରିୟ ନେତା। ନବୀନ ପଟ୍ଟନାୟକଙ୍କ ବିଶ୍ଵାସଭାଜନ ହେବା ସହ ତାଙ୍କର ଅଢ଼େଇ ଦଶନ୍ଧି ସରକାରରେ ସେ ପ୍ରାୟ ମନ୍ତ୍ରୀ ରହି ଆସିଛନ୍ତି। କିନ୍ତୁ ତାଙ୍କ ପରିଚୟ ଅନ୍ୟମାନଙ୍କଠାରୁ ଅଲଗା। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ଯେଉଁ ଅଳ୍ପ କିଛି ବ୍ୟକ୍ତି ସାମ୍ବାଦିକତା ବୃତ୍ତିରୁ ଆସି ସଫଳ ରାଜନେତା ହୋଇ ପାରିଛନ୍ତି ସେମାନଙ୍କ ମଧ୍ୟରୁ ଅତନୁ ଅନ୍ୟତମ।
ଅତନୁ ସବ୍ୟସାଚୀ ଏକ ଗାନ୍ଧୀବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବାରୁ ତାଙ୍କୁ ଓ ତାଙ୍କ ରାଜନୀତିକୁ ଏକ ପୃଥକ୍ ଦୃଷ୍ଟିକୋଣରୁ ବିଚାର କରାଯାଏ। ବାପା ରାଜକିଶୋର ନାୟକ ଥିଲେ ରାଜନୈତିକ ମୂଲ୍ୟବୋଧର ପରିଚାୟକ, ମା’ ଥିଲେ ଏକ ସଂଘର୍ଷପୂର୍ଣ୍ଣ ଜୀବନର ଉଦାହରଣ।
୨୦୦୦ ରେ କେନ୍ଦ୍ରାପଡ଼ା ବିଜେଡି ରାଜନୀତିରେ ତାଙ୍କର ଆବିର୍ଭାବଠାରୁ ୨୦୨୪ ନିର୍ବାଚନ, ଏହି ୨୪ ବର୍ଷର ରାଜନୈତିକ ଜୀବନର ସ୍ମୃତିଚାରଣ କରାଯାଇଛି ଏହି ପୁସ୍ତକରେ। ସ୍ମୃତିମଖା ଅଦ୍ୟକାଳ, କର୍ମମୁଖର ମଧ୍ୟକାଳ ଓ ମୁହୂର୍ତ୍ତସର୍ବସ୍ଵ ବର୍ତ୍ତମାନ ଏହିଭଳି ତିନି ଭାଗରେ ବିଭକ୍ତ ଏହି ଆତ୍ମଜୀବନୀର ପ୍ରଥମ ଭାଗ ବେଶ୍ ଶିକ୍ଷଣୀୟ, ରୋଚକ ଓ ଭାବଗର୍ଭକ। ଅନ୍ୟ ଦୁଇ ଭାଗ ତାଙ୍କର ରାଜନୈତିକ ଜୀବନର ଦସ୍ତାବିଜ୍ – ଦିନ, କାଳ, ବ୍ୟକ୍ତି ଓ ଘଟଣାର ସମାହାର।
ପୁସ୍ତକରେ ବିଜେଡି ସରକାର, ନବୀନ ପଟ୍ଟନାୟକଙ୍କ ରାଜନୀତି ଓ ଦଳର ସୁପ୍ରିମୋଙ୍କ ପ୍ରତି ତାଙ୍କରତି ଥିବା ସମ୍ମାନ ଓ ସମ୍ପର୍କର ଗୁରୁତ୍ଵପୂର୍ଣ୍ଣ ଦିଗର ଉନ୍ମୋଚନ ହୋଇଛି। ପୁସ୍ତକଟି ନବୀନ ପଟ୍ଟନାୟକଙ୍କ ପ୍ରତି ଅତନୁଙ୍କ ଭାବୋଛ୍ଵାସର ଅଭିବ୍ୟକ୍ତି ଏଥିରେ ଦ୍ଵିମତ ନାହିଁ।
ଲେଖକ ଭୂମିକାରେ ଲେଖିଛନ୍ତି: ‘ପାଠକମାନଙ୍କ ଉଦ୍ଦେଶ୍ୟରେ ଏତିକି କହିବାକୁ ଚାହୁଁଛି ଯେ, ଏ ପୁସ୍ତକ ନବୀନବାବୁଙ୍କ ସହିତ ମୋର ଆବେଗିକ ସମ୍ପର୍କ ତଥା ପ୍ରତ୍ୟକ୍ଷ ରାଜନୀତିରେ ମୋର ସ୍ଥିତିକୁ ନେଇ କେବଳ ନୁହେଁ, ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ତତ୍କାଳୀନ ବହୁ ପରିବେଶ, ବହୁ ଘଟଣା ତଥା ମୋ ଜୀବନ ସଂଘର୍ଷର ସେହି ଦୀର୍ଘ ବର୍ଷଗୁଡ଼ିକର ସ୍ମୃତିଚାରଣ ମଧ୍ୟ। ସାମ୍ବାଦିକତାର ବୃତ୍ତିଗତ ଆତ୍ମସନ୍ତୋଷ ଭିତରେ ମୋ ବାପାଙ୍କ ସୂକ୍ଷ୍ମ ରାଜନୀତିକ ପ୍ରଭାବ ହେତୁ ଅନିର୍ଦ୍ଦିଷ୍ଟ ମୋ ଜୀବନ, ବୃତ୍ତିଗତ ମୋ କର୍ମ ଏବଂ ବିଧିନିର୍ଦ୍ଦିଷ୍ଟ ମୋ ନିୟତିକୁ ଏକପ୍ରକାର ସ୍ଵପ୍ରବାହରେ ପ୍ରବାହିତ କରିନେଇଥିବା ପରି ମୋର ମନେହୁଏ।’
‘ପ୍ରତି ମଣିଷର ଜୀବନ ଦୁଇଟି ସ୍ଥିତିରେ ବନ୍ଧା ପଡ଼ିଥାଏ, ଗୋଟିଏ ଅତୀତ ଆଉ ଗୋଟିଏ ତା’ର ବର୍ତ୍ତମାନ। ଅତୀତ ମାନେ ହିଁ ତ ସ୍ମୃତି। ଅତୀତ ଯାହାକୁ ଦିନେ ମଣିଷ ମୁହୂର୍ତ୍ତ ଆଉ କ୍ଷଣମାନଙ୍କ ମଧ୍ୟରେ ଭୋଗିଥାଏ, ଅଙ୍ଗେ ନିଭେଇଥାଏ ଏବଂ ବର୍ତ୍ତମାନରେ ପହଞ୍ଚିଥାଏ।
ବର୍ତ୍ତମାନର ମୁହୂର୍ତ୍ତସବୁ ପୁଣି ପ୍ରସ୍ତୁତ ହେଉଥାନ୍ତି ଅତୀତ ହେବାକୁ। କାଳଖଣ୍ଡର ଏଇ ପ୍ରହେଳିକା ଭିତରେ ସଭ୍ୟତାର ଗତି ଓ ପରିଣତି ଖୁବ୍ ବିସ୍ମୟକର ସତରେ! ସ୍ମୃତିମଖା ଅତୀତରୁ ତେଣୁ ମଣିଷଟିଏ କେବେହେଲେ ମୁକ୍ତ ହୋଇପାରେ ନାହିଁ।’
‘ଆଜି ଯେତେବେଳେ ‘ମୁଁ’ ଏକ ସାମାଜିକ ପରିଚିତି ନେଇ ବଞ୍ଚୁଛି, ମୋର ସ୍ଥିତି, ପ୍ରତିଷ୍ଠା, ଅସ୍ତିତ୍ଵର ବିସ୍ତାର ପଛରେ ମୋ ସ୍ମୃତିମାନଙ୍କର ସେଇ ନିବିଡ଼ ଭୂମିକା ମୋତେ ବାରମ୍ବାର ମନେପକେଇ ଦେଉଛି ମୋ ପିଲାଦିନଗୁଡ଼ିକୁ।
କେହି କ’ଣ ଅତୀତକୁ ଭୁଲି କେବଳ ବଉଁମାନକୁ ନେଇ ନିଜ ଅସ୍ତିତ୍ଵର ଆକଳନ କରିପାରେ? ଏହି ମର୍ମରେ ମନେପଡୁଛି ମୋର ହେତୁପାଇବା ପରବର୍ତ୍ତୀ ସମୟରୁ ଏଯାବତ୍ ଦୀର୍ଘପଥ ଅତିକ୍ରମଣ ଏବଂ ଏହି ବର୍ତ୍ତମାନରେ ମୋ ଆତ୍ମପ୍ରତିଷ୍ଠାର ବିବିଧ କ୍ରିୟା-କାରଣର ପ୍ରସଙ୍ଗ।’
ଅତନୁଙ୍କ ଏହି ଜୀବନସ୍ମୃତିରେ ତାଙ୍କ ଜୀବନର ବହୁ ଛୋଟ ବଡ଼ ଘଟଣାକ୍ରମ ରହିଛି, ସମକାଳୀନ ଓଡ଼ିଶା ତଥା କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି କଥା ରହିଛି, କେନ୍ଦ୍ରାପଡ଼ାର ସାମାଜିକ- ସାଂସ୍କୃତିକ ଚିତ୍ର ରହିଛି। ପୁସ୍ତକର ଭାଷା ଓ ଶବ୍ଦ ସଂଯୋଜନା ଚମତ୍କାର। ଏଥିରେ କୃତ୍ରିମତା ନାହିଁ କି ଆତିଶଯ୍ୟ ନାହିଁ। ଯାହା ମନକୁ ଆସିଛି ସେ ତାହା ଲେଖିଛନ୍ତି।
ବିଜୁ ଜନତା ଦଳର ଜଣେ ଲୋକପ୍ରିୟ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଏହି ଆତ୍ମକଥା ପାଠକୀୟ ଆଦୃତି ଲାଭ କରିବା ଆଶା କରାଯାଏ। ଓଡ଼ିଆ ସାହିତ୍ୟରେ ରାଜନୈତିକ ସ୍ମୃତିକଥାର ଘୋର ଅଭାବ ଅନୁଭବ କରାଯାଉଥିବା ବେଳେ ଅତନୁଙ୍କ ଏହି ଆତ୍ମକଥାଟି ନିଶ୍ଚିତ ଭାବରେ ଏକ ଆଶ୍ଵାସନା!
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍ର ପରାମର୍ଶଦାତା ସମ୍ପାଦକ)
Tags: #BookReview #MoJeebanaMoSamaya #AtanuSabyasachiNayak #Odisha