ଭାସ୍କର ପରିଚ୍ଛା

ଓଡ଼ିଆ ପରିଚୟର ସଂରକ୍ଷଣ, ଓଡ଼ିଆ ଭାଷାର ସୁରକ୍ଷା ଏବଂ ଓଡ଼ିଆ ଜାତୀୟତା ଉପରେ ଆଧାରିତ ନିବେଦିତା ମହାନ୍ତିଙ୍କ ଏହି ପୁସ୍ତକ ଅନନ୍ୟ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ହୋଇଥିବା ସୁଦୀର୍ଘ ସଂଗ୍ରାମର କାହାଣୀ ଏହି ପୁସ୍ତକ। ଇତିହାସବିତ୍ ନିବେଦିତା ମହାନ୍ତିଙ୍କ ମୂଳ ଇଂରାଜୀ ପୁସ୍ତକ ‘Nationalism – A quest for a United Orissa 1866-1956’ ପ୍ରଥମେ ପ୍ରକାଶ ପାଇଥିଲା ଚାଳିଶି ବର୍ଷ ତଳେ। ଚାରି ଦଶନ୍ଧିର ବ୍ୟବଧାନ ପରେ ତାହାର ଓଡ଼ିଆ ଅନୁବାଦ ଏବେ ପ୍ରକାଶ ପାଇଛି।

ଜର୍ମାନୀର ହାଇଡଲବର୍ଗ ବିଶ୍ଵବିଦ୍ୟାଳୟରୁ ପି ଏଚଡି ହାସଲ କରିଥିବା ନିବେଦିତା ମହାନ୍ତି ଆଧୁନିକ ଭାରତ ଇତିହାସର ଜଣେ ସୁପରିଚିତ ଗବେଷକ। ଏହା ସହ ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସ କ୍ଷେତ୍ରରେ ସେ ଅନେକ ଅବଦାନ ରଖିଯାଇଛନ୍ତି। ତାଙ୍କର ଅନ୍ୟ ଲୋକପ୍ରିୟ ପୁସ୍ତକ ଭିତରେ ରହିଛି ରେଭେନ୍ସା କଲେଜ, ଇମେଜିଂ ଓଡ଼ିଶା, ଚିତ୍ରଶିଳ୍ପୀ ବିପିନ ବିହାରୀ ଚୌଧୁରୀଙ୍କ ଜୀବନୀ ଇତ୍ୟାଦି।

ଓଡ଼ିଆ ଜାତୀୟତା ଉପରେ ଏହା ଏକ ଚମତ୍କାର ଗ୍ରନ୍ଥ। ବିସ୍ତୃତ ଭାବରେ ଗବେଷଣା ହୋଇଥିବା ଏହି ପୁସ୍ତକ ଓଡ଼ିଆ ଜାତୀୟତାର ଜନ୍ମ ଏବଂ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଧୁନିକ ଓଡ଼ିଶା ଇତିହାସର ଏକ ପ୍ରମୁଖ ଦିଗକୁ ଉନ୍ମୋଚନ କରୁଛି। ଉଲ୍ଲେଖ କରାଯାଇପାରେ ଯେ, ୧୮୦୩ ମସିହାରେ ଓଡ଼ିଶା ବ୍ରିଟିଶମାନଙ୍କ ଅଧୀନରେ ଥିଲା ଏବଂ ୧୮୬୬ ମସିହାରେ ଓଡ଼ିଆ ଜାତୀୟତାର ଲକ୍ଷଣ ସ୍ପଷ୍ଟ ଭାବରେ ସମ୍ମୁଖକୁ ଆସିଥିଲା।

୧୯୩୬ ମସିହାରେ ଯେତେବେଳେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଏକ ପୃଥକ ପ୍ରଶାସନିକ ପ୍ରଦେଶ ଭାବେ ସ୍ଵୀକୃତ ହେଲେ ଓଡ଼ିଶାରେ ସେତେବେଳେ ଯାଇ ଏହାର ସମାଧାନ ଘଟିଥିଲା। ଅବଶ୍ୟ, ଅନେକ ବାହ୍ୟ ଅଞ୍ଚଳର ମିଶ୍ରଣ ହେବାର ଇଚ୍ଛା ପୂରଣ ହୋଇପାରିଲା ନାହିଁ।

ଭୂମିକାରେ ନିବେଦିତା ମହାନ୍ତି ଲେଖିଛନ୍ତି: ‘ନିଜର ଦେଶ, ଭାଷା, ଧର୍ମ, ଏହାର ଭୌଗୋଳିକ ଅବସ୍ଥାନ ଯୋଗୁଁ ଗଢ଼ିଉଠିଥିବା ପରମ୍ପରା ପ୍ରତି ଆନୁଗତ୍ୟ ଯେ କୌଣସି ଗୋଷ୍ଠୀ ବା ଜାତି ପାଇଁ ଏକ ଆକାଂକ୍ଷିତ ଓ ସ୍ଵାଭାବିକ ପ୍ରବୃତ୍ତି। କୌଣସି ସମୟରେ ଏହାର ବିରୁଦ୍ଧାଚରଣ କଲେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହା ପୁଣି ସଙ୍ଗୀନ ଅବସ୍ଥାକୁ ରୂପାନ୍ତରିତ ହୋଇଯାଏ, ଯେତେବେଳେ ସ୍ଵାର୍ଥ ଅନ୍ୱେଷଣରେ ଥିବା କୌଣସି ଶକ୍ତି ଅନ୍ୟର ସଂସ୍କୃତି ଏବଂ ଇତିହାସ ପ୍ରତି ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ପ୍ରଭୂତ କ୍ଷତିର କାରଣ ହୋଇଥାଆନ୍ତି।’

ହାଇଡଲବର୍ଗ ବିଶ୍ଵବିଦ୍ୟାଳୟର ଡିଟମାର ରୋଥରମୁଣ୍ଡ ପୁସ୍ତକ ସମ୍ପର୍କରେ ଲେଖିଛନ୍ତି, ‘ଏହି ଗବେଷଣାତ୍ମକ ସନ୍ଦର୍ଭରେ ନିବେଦିତା ମହାନ୍ତି ଓଡ଼ିଆ ଆନ୍ଦୋଳନର ଉତ୍ପତ୍ତିକୁ ଅତି ଯତ୍ନର ସହ ଚିହ୍ନିତ କରିଛନ୍ତି ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ମୁଣ୍ଡ ଟେକିଥିବା ସେହି ଆନ୍ଦୋଳନର ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ଏହି ସନ୍ଦର୍ଭ ପାଇଁ ତଥ୍ୟର ମୁଖ୍ୟ ଉପାଦାନ ଭାବେ ବ୍ୟବହୃତ ଓଡ଼ିଆ ସମ୍ବାଦପତ୍ର ଓ ପତ୍ରପତ୍ରିକା ହିଁ ଓଡ଼ିଶାରେ ଜାତୀୟ ସଚେତନତା ସୃଷ୍ଟି ଦିଗରେ ମୁଖ୍ୟ ସୂତ୍ରଧର ରୂପେ କାର୍ଯ୍ୟ କରିଥିଲା। ତେଣୁ ଏହି ଅଗ୍ରଣୀ ତଥା ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭରେ ସେହିସବୁ ସମ୍ବାଦପତ୍ରଗୁଡ଼ିକ ଯେଉଁ ମାନ୍ୟତା ଦାବି କରନ୍ତି ତାହା ସେମାନଙ୍କୁ ପ୍ରଦାନ କରାଯାଇଛି।

ଓଡ଼ିଶାର ମୂଳ ଭୂଖଣ୍ଡ ସହ ସୀମାନ୍ତବର୍ତ୍ତୀ କ୍ଷେତ୍ର ସଂପର୍କରେ ଏଥିରେ ଅତି ଗଭୀର ଭାବେ ଅନୁଧ୍ୟାନ କରାଯାଇଛି, ଯାହାକି ବିଶେଷ ଧ୍ୟାନ ଆକର୍ଷଣ କରିବ ଏବଂ ଭବିଷ୍ୟତରେ ଏହା ଅନ୍ୟାନ୍ୟ ପ୍ରାନ୍ତରେ ଅନୁରୂପ ଗବେଷଣା ପାଇଁ ପ୍ରେରଣା ଯୋଗାଇବ। ଦ୍ୱିଭାଷୀ କ୍ଷେତ୍ରଗୁଡ଼ିକରେ ବିଭିନ୍ନ ଆଞ୍ଚଳିକ ପରମ୍ପରା ବିବାଦ ସୃଷ୍ଟି କରିଥାଏ ଏବଂ ଭାରତର ଅନେକ କ୍ଷେତ୍ରରେ ଏଭଳି ବହୁ କୌତୁହଳଜନକ ଘଟଣା ପରିଲକ୍ଷିତ ହୋଇଥାଏ। ସେହିସବୁ କ୍ଷେତ୍ରର ଲୋକମାନଙ୍କ ସମସ୍ୟା ପ୍ରତି କ୍ୱଚିତ୍ ଉପଯୁକ୍ତ, ସହାନୁଭୂତିପୂର୍ଣ୍ଣ ଅବା ନିରପେକ୍ଷ ଦୃଷ୍ଟି ପ୍ରଦାନ କରାଯାଇଛି।’

ପୁସ୍ତକର ଅଗ୍ରଲେଖରେ  ତତ୍କାଳୀନ ଓଡ଼ିଶାର ନେତାଙ୍କ ଦ୍ୱନ୍ଦ୍ଵ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତି ଆନୁଗତ୍ୟ ସମ୍ପର୍କରେ ଯାହା କୁହାଯାଇଛି ତାହା ପ୍ରଣିଧାନଯୋଗ୍ୟ: ‘ଭାରତୀୟ ଜାତୀୟତା ଏବଂ କ୍ଷେତ୍ରୀୟ ଓ ଭାଷାଗତ ପରିଚିତିର ସନ୍ଧାନରେ ପ୍ରଭାବିତ ହୋଇଥିବା ଭାରତୀୟ ଜାତୀୟ ଚେତନା ଓ ଆନ୍ଦୋଳନ ପ୍ରାୟତଃ ପରସ୍ପରର ପରିପୂରକ ଓ ସହାୟକ ଥିଲେ। କିନ୍ତୁ ସମୟ ସମୟରେ ସେମାନେ ପରସ୍ପରର ବିରୋଧୀ ମଧ୍ୟ ହୋଇପଡ଼ିଥିଲେ, ଯାହାକି ଉଭୟ କାର୍ଯ୍ୟ ଉଦ୍ଦେଶ୍ୟରେ ସମର୍ପିତ ନେତୃବର୍ଗଙ୍କୁ ସମୟାନ୍ତରେ ଚିନ୍ତାରେ ପକାଇ ଦେଇଥିଲା।

ଓଡ଼ିଆ ଆନ୍ଦୋଳନ ଏଭଳି ପରିସ୍ଥିତିର ଏକ କୌତୁହଳପୂର୍ଣ୍ଣ ଉଦାହରଣ। ଏହା ଲୋକମାନଙ୍କ ମନରେ ଭାଷା ଓ ଶୈକ୍ଷିକ ସଚେତନତା ସୃଷ୍ଟି କରିଥିଲା। ଅନ୍ୟଥା ଏ କ୍ଷେତ୍ରର ଲୋକମାନଙ୍କ ନିକଟରେ ଜାତୀୟତାର ଚେତନା ଏତେ ସହଜରେ ପହଞ୍ଚି ପାରିନଥାନ୍ତା। କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଏହି ଆନ୍ଦୋଳନ କେବଳ ପ୍ରଭାବ ବିସ୍ତାରକାରୀ ପ୍ରତିବେଶୀ କ୍ଷେତ୍ରର ଲୋକମାନଙ୍କ ଅସୂୟାରୁ ନିଜକୁ ମୁକ୍ତ କରିବା ମଧ୍ୟରେ ସୀମିତ ଥିଲା। ବ୍ରିଟିଶ ଶାସନରୁ ସ୍ୱାଧୀନତା ଲାଭ ଏହାର ଉଦ୍ଦେଶ୍ୟ ନଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପରିକଳ୍ପନା ଜାତୀୟ କଂଗ୍ରେସର ସର୍ବଭାରତୀୟ ଦାବି ଓ ପରିକଳ୍ପନା ସହ ଉପଯୁକ୍ତ ଭାବେ ଖାପ ଖାଇପାରିନଥିଲା। ଏହା ସତ୍ତ୍ୱେ ଓଡ଼ିଆ ଆନ୍ଦୋଳନ ସେହି ସମସ୍ତ ନେତୃବର୍ଗଙ୍କର ଆନୁଗତ୍ୟ ଲାଭ କରିଥିଲା, ଯେଉଁମାନେ ବିଶ୍ୱାସ କରୁଥିଲେ ଯେ କେବଳ ଏକ ପୁନରତ୍ଥିତ ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରତିଷ୍ଠିତ ଓଡ଼ିଶାର ହିଁ ଭାରତ ଜାତୀୟତାବାଦ ପ୍ରତି ଯଥାର୍ଥ ଅବଦାନ ସମ୍ଭବ।

ଓଡ଼ିଶାର ପୁନରୁତ୍ଥାନ ସହସା ଏକ ପୃଥକ୍ ରାଜ୍ୟ ଗଠନ ଦାବି ସହ ସଂଶ୍ଳିଷ୍ଟ ନଥିଲା। ବସ୍ତୁତଃ, ଏପରି ଦାବି ସେତିକିବେଳେ ଜନ୍ମନେଲା, ଯେତେବେଳେ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏହାକୁ ବ୍ରିଟିଶ ଶାସନାଧୀନ ଯେକୌଣସି ଏକ ବୃହତ୍ତର ପ୍ରଦେଶ ଅଧୀନରେ ରଖାଯିବା ପାଇଁ ହୋଇଥିବା ସବୁପ୍ରକାର ପ୍ରୟାସ ବିଫଳ ହୋଇଥିଲା। ତେବେ ଏଭଳି ଦାବୀ ଭାରତୀୟ କଂଗ୍ରେସ ନେତୃବୃନ୍ଦଙ୍କ ଦୃଷ୍ଟିରେ ଅସମୟୋଚିତ ଥିଲା। କାରଣ ସେମାନେ ମୁସଲମାନ ମତାମତକୁ ତୁଷ୍ଟ କରିବା ନିମନ୍ତେ ଆଶାୟୀ ହୋଇ ସ୍ଵତନ୍ତ୍ର ସିନ୍ଧୁ ପ୍ରଦେଶ ଗଠନରେ ରାଜି ହୋଇଥିଲେ ଏବଂ ତାଙ୍କର ଏହି ପ୍ରଚେଷ୍ଟା ନିଷ୍ଫଳ ହୋଇଯିବାରୁ ସେମାନେ ଲଜ୍ଜିତ ହୋଇଥିଲେ। ସମୟକ୍ରମେ କଂଗ୍ରେସ ନେତୃବର୍ଗଙ୍କ ଆଶଙ୍କାକୁ ବ୍ରିଟିଶ ସରକାର ତାଙ୍କର ନିଷ୍ପତ୍ତିରେ ପୁଷ୍ଟ କରିଥିଲେ ଏବଂ ମୁସଲମାନ ଓ ହିନ୍ଦୁ ସ୍ୱାର୍ଥ ପ୍ରତି ସମଦୂରତ୍ୱ ରକ୍ଷା କରିଥିଲେ। ଓଡ଼ିଆ ନେତୃବୃନ୍ଦଙ୍କ ପାଇଁ ଏହି ସଂକଟପୂର୍ଣ୍ଣ ସମୟଟି ବହୁ ଯନ୍ତ୍ରଣାଦାୟକ ଥିଲା। ସେମାନଙ୍କୁ କଂଗ୍ରେସ ରାଜନୀତିର ମୁଖ୍ୟ ସ୍ରୋତଠାରୁ ଆଡ଼େଇ ଦିଆଯାଇଥିଲା। ସେମାନେ କିନ୍ତୁ ଭାରତର ଜାତୀୟତା ଆନ୍ଦୋଳନରେ ଅବିରତ କାର୍ଯ୍ୟ କରିବା ନିମନ୍ତେ ଉତ୍ସୁକ ଥିଲେ।

ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ କ୍ଷେତ୍ରୀୟ ସହଯୋଗ ଏକ ପ୍ରମୁଖ ବୈଶିଷ୍ଟ୍ୟ। ଭାରତୀୟ ଜାତୀୟ କଂଗ୍ରେସର ସମ୍ବିଧାନର ଚିଠା ପୁନଃପ୍ରସ୍ତୁତ କଲାବେଳେ ମହାତ୍ମାଗାନ୍ଧୀ ଏକଥା ସ୍ୱୀକାର କରିଥିଲେ ଯେ ବିଭିନ୍ନ କ୍ଷେତ୍ରର ଆଞ୍ଚଳିକ ଆଶା ଆକାଂକ୍ଷାକୁ ସେଥିରେ ଗ୍ରହଣ କରାଯିବ। ଏହି ସମ୍ବିଧାନରେ ଓଡ଼ିଶାର ଦାବିକୁ ତା’ର ନ୍ୟାଯ୍ୟ ସ୍ଥାନ ମିଳିଥିଲା। ତେଣୁ ଗାନ୍ଧୀଙ୍କ ଜାତୀୟ ଅଭିଯାନରେ ଓଡ଼ିଆମାନେ ଏହାକୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇଥିଲେ।

ଓଡ଼ିଆ ଜାତୀୟତାର ଉନ୍ମେଷ, ସମ୍ବଲପୁର ମିଶ୍ରଣ ଓଡ଼ିଆ ଜାତୀୟ ଆନ୍ଦୋଳନର ପ୍ରଥମ ସଫଳ ପଦକ୍ଷେପ, ଓଡ଼ିଶାର ସାମାଜିକ ଅର୍ଥନୈତିକ ଦୃଶ୍ୟପଟରେ ମଧୁସୂଦନ ଦାସଙ୍କ ଆବିର୍ଭାବ, ଓଡ଼ିଶାରେ ଜାତୀୟତା ଆନ୍ଦୋଳନର ବିକାଶ, କଂଗ୍ରେସ ବନାମ ଓଡ଼ିଆ ଜାତୀୟତା, ଟେରା ଇରେଡେଣ୍ଟା (ଇପ୍ସିତ ପ୍ରିୟଭୂମି), ମିଶ୍ରଣ ଓ ପୃଥକୀକରଣ, ପରିବର୍ତ୍ତନ ଧାରାରେ ଓଡ଼ିଶା, ବୃହତ୍ତର କ୍ଷେତ୍ର ଗଠନ – ଓଡ଼ିଶାର ଦେଶୀୟ ରାଜ୍ୟଙ୍କ ମିଶ୍ରଣ ଏହିଭଳି ଦଶଟି ବିଭାଗ ଏବଂ ପ୍ରାୟ ଚାଳିଶିଟି ଉପବିଭାଗରେ ବିଭକ୍ତ ୫୬୪ ପୃଷ୍ଠାର ଏହି  ଗ୍ରନ୍ଥ ଓଡ଼ିଆ ଜାତୀୟତା ଆନ୍ଦୋଳନର ଏକ କାଳଜୟୀ ରଚନା ଏଥିରେ ଦ୍ୱିମତ ନାହିଁ। ପୁସ୍ତକର ନୂଆ  ସଂସ୍କରଣରେ ଅନେକ ବିଷୟ-ସମ୍ପର୍କିତ ଫଟୋଗ୍ରାଫ୍ ବି ରହିଛି। ତା’ ଛଡ଼ା ଅଧିକାଂଶ ବ୍ୟକ୍ତି ଯେଉଁମାନେ ଓଡ଼ିଆ ଜାତୀୟତା ଆନ୍ଦୋଳନକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ ସେହି ବିବରଣୀ ବି ଯୋଡ଼ା ହୋଇଛି।

ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଆତ୍ମପ୍ରକାଶ କରିବା ପାଇଁ ଓଡ଼ିଶାକୁ ଯେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥିଲା ଏବଂ ଯେଉଁ ପ୍ରଶାସନିକ କ୍ଷେତ୍ର ସୀମା ନିର୍ଦ୍ଧାରଣ କରାଯାଇଥିଲା ତାହା ଯେତିକି ରୋମାଞ୍ଚକର, ଆଧୁନିକ ଓଡ଼ିଶାର ଉନ୍ମେଷ ଓ ଇତିହାସ ସମ୍ପର୍କିତ ଏହି ଗଭୀର ଅଧ୍ୟୟନଟି ସେତିକି ପରିବ୍ୟାପ୍ତ । ସବୁଠାରୁ ବଡ଼ କଥା ହେଲା ମୂଳ ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ। ସୁଭାଷ ଶତପଥୀ ଆମ ସମୟର ଜଣେ ଅଗ୍ରଣୀ ଅନୁବାଦକ। ଓଡ଼ିଆ ଅନୁବାଦ ସାହିତ୍ୟକୁ ତାଙ୍କର ଅବଦାନକୁ ସ୍ୱୀକାର କରିବା ବେଳେ ଆଲୋଚ୍ୟ ଗ୍ରନ୍ଥକୁ ଯେଉଁଭଳି ସଫଳତା ଓ ନିଷ୍ଠାର ସହ ସେ ଅନୁବାଦ କରିଛନ୍ତି ତାହା ପ୍ରଶଂସନୀୟ।

ଓଡ଼ିଆ ଜାତୀୟ ଆନ୍ଦୋଳନର ମଞ୍ଜୁଳ ଇତିହାସକୁ ଯେଉଁମାନେ ପଢ଼ିବା ପାଇଁ ଇଛୁକ,ଏହି ପୁସ୍ତକଟି ଅବଶ୍ୟ ସଂଗ୍ରହଣୀୟ।

ଓଡ଼ିଆ ଜାତୀୟତା – ଏକ ପୂର୍ଣ୍ଣାଙ୍ଗ ଓ ସ୍ଵତନ୍ତ୍ର  ଓଡ଼ିଶା ପ୍ରଦେଶ ଗଠନର ପ୍ରୟାସ (୧୮୬୬-୧୯୫୬)

ମୂଳ ଇଂରାଜୀ: ଡକ୍ଟର ନିବେଦିତା ମହାନ୍ତି

ଓଡ଼ିଆ ଅନୁବାଦ: ସୁଭାଷ ଶତପଥୀ

କେତକୀ ଫାଉଣ୍ଡେସନ

ଭୁବନେଶ୍ଵର

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #OdiaJatiyata #Book #BookReview #OdishaHistory

LEAVE A REPLY

Please enter your comment!
Please enter your name here