ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏଲନ ମସ୍କ ‘ଏକ୍ସ’ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଥିବା କୁହାଯାଉଛି। ଚଳିତବର୍ଷ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟିଭି ଏବଂ ଟଙ୍କା ପଠାଇବାର ସୁବିଧା ମିଳିବାର ସମ୍ଭାବନା ରହିଛି। କମ୍ପାନିର ସିଇଓ ଲିଣ୍ଡା ୟାକାରିନୋ ଏକ୍ସରେ ଏକ ପୋଷ୍ଟ କରି ଏହି ସେବା ବିଷୟରେ ସୂଚନା ଦେଇଛନ୍ତି।
‘ଏକ୍ସ’ ପ୍ଲାଟଫର୍ମର ସିଇଓ ଲିଣ୍ଡା ୟାକାରିନୋ ଏହି ପୋଷ୍ଟରେ ‘ଏକ୍ସ’ ଆପକୁ ସୋସିଆଲ ମିଡିଆରେ ଆଗକୁ ବଢ଼ିବାକୁ ଚାହୁଁଥିବା କହିଛନ୍ତି। କମ୍ପାନି ଏବେ ଏଥିରେ ‘ଏକ୍ସ ମନି’ ଏବଂ ‘ଏକ୍ସ ଟିଭି’ ଫିଚର ସାମିଲ କରିବାକୁ ଯୋଜନା କରୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ଏକ୍ସ ମନି ସାହାଯ୍ୟରେ ୟୁଜର୍ସମାନେ ପେମେଣ୍ଟ କରିପାରିବେ। ଏଥିରେ ଫୋନ ପେ, ପେଟିଏମ, ଗୁଗୁଲପେ ପରି ସୁବିଧା ଉପଲବ୍ଧ ହେବ। ସେହିପରି ଏକ୍ସ ଟିଭି ୟୁଜର୍ସଙ୍କ ମନୋରଞ୍ଜନ କରିବାରେ ସାହାଯ୍ୟ କରିବ। ଏହା ସାହାଯ୍ୟରେ ୟୁଜର୍ସ ଲାଇଭ ସ୍ପୋର୍ଟସ ଏବଂ ଅନ୍ୟ ମିଡିଆ କଣ୍ଟେଣ୍ଟର ଫାଇଦା ଉଠାଇ ପାରିବେ।
ଏକ୍ସ ପ୍ଲାଟଫର୍ମର ନାଁ ପଉର୍ବାରୁ ‘ଟ୍ଵିଟର’ ଥିଲା। ୨୦୨୨ରେ ଏଲନ ମସ୍କ ଏହାକୁ ନିଜ ଅଧୀନକୁ ନେଇଥିଲେ। ସେବେଠାରୁ ମସ୍କ ଏହା ଉପରେ ପରୀକ୍ଷା ନରୀକ୍ଷା ଚଲାଇ ଆସୁଛନ୍ତି। ଏଥିରେ ସେ ଅନେକ ପରିବର୍ତ୍ତନ ଆଣି ସାରିଛନ୍ତି। ପ୍ରଥମେ ନାମ ବଦଳାଇଥିଲେ। ପରେ ଏହାର ଲୋଗୋ ନୀଳ ପକ୍ଷୀକୁ ହଟାଇ ଏକ୍ସ ଲଗାଇଥିଲେ।
ଏହା ପରେ ଏକ୍ସ ପ୍ରିମିୟମ ସବସ୍କ୍ରିକସନର ଆରମ୍ଭ ହୋଇଥିଲା। ଏପରି କରିବା ଦ୍ୱାରା ୟୁଜର୍ସଙ୍କୁ ବ୍ଲୁ ଟିକ୍ ମିଳିବା ସହିତ ପୋଷ୍ଟ ଏଡିଟ କରିବା ତଥା ବଡ଼ ଧରଣର ପୋଷ୍ଟ କରିବାର ସୁବିଧା ମିଳୁଛି। ଏହାପରେ କମ୍ପାନି ଏଥିରେ ରେଭିନ୍ୟୁ ସେୟାରିଂ ଫିଚର ସାମିଲ କରିଥିଲା।
Tags: #ElonMusk #X #XMoney #XTV #SocialMedia