ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜାତି ପାଇଁ ମଣିପୁରରେ ଲାଗି ରହିଥିବା ହିଂସା ମଧ୍ୟରେ ଫେବ୍ରୁଆରି ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ ବୀରେନ ସିଂହ।

ଜାତି ପାଇଁ ଆରମ୍ଭ ହୋଇଥିବା ଦୁଇ ସମ୍ପ୍ରଦାୟଙ୍କ ବିବାଦ ଯୋଗୁଁ ଆଜି ବି ହିଂସାରେ ଜଳୁଛି ମଣିପୁର। ମାସେ କି ଦୁଇ ମାସ ନୁହେଁ, ମଣିପୁର ହିଂସାକୁ ଦୁଇବର୍ଷ ହେବାକୁ ବସିଲାଣି। ତଥାପି ଶାନ୍ତ ହେଉନି ମଣିପୁରର ସ୍ଥିତି। ଗତ ୨୦୧୩ ମସିହା ମେ’ ୩ ତାରିଖରୁ ମଣିପୁରରେ ଜାତି ପାଇଁ ଆରମ୍ଭ ହୋଇଥିଲା ମହାଭାରତ।

ହିଂସା ପଛର କାରଣ କ’ଣ?

ମଣିପୁରରେ ଦୁଇ ଜାତି ମଧ୍ୟରେ ଲାଗିଥିବା ବିବାଦ ଏବେ ହିଂସାର କରାଳ ରୂପ ନେଇଛି। ଏହି ଦୁଇ ଜାତି ହେଲେ କୁକି ଏବଂ ମୈତେଇ। ମଣିପୁରରେ ସିଂହଭାଗ ଲୋକ ମୈତେଇ ସମ୍ପ୍ରଦାୟର, ଅର୍ଥାତ ମୋଟ ଜନସଂଖ୍ୟାର ୫୩ ପ୍ରତିଶତ। ମୈତେଇ ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ କୁକି ଖ୍ରୀଷ୍ଟିୟାନ ସମ୍ପ୍ରଦାୟର। ମୈତେଇ ସମ୍ପ୍ରଦାୟର ଲୋକ ୫୩ ପ୍ରତିଶତର ହୋଇଥିଲେ ହେଁ ସେମାନେ ରାଜ୍ୟର ୧୦ ପ୍ରତିଶତ ବୁଝାଉଥିବା ଇମ୍ଫାଲରେ ରୁହନ୍ତି। ତେବେ ଅନ୍ୟ ୩୬ ଭାଗ କୁହାଯାଉଥିବା କୁକି ଆଦିବାସୀ ସମ୍ପ୍ରଦାୟର ଲୋକେ ବାକି ୯୦ ପ୍ରତିଶତ ଭୂଭାଗରେ ରୁହନ୍ତି।

ଏହି ଆଦିବାସୀମାନେ ବସବାସ କରୁଥିବା ପାହାଡ଼ ଓ ଜଙ୍ଗଲ ଭରା ଅଞ୍ଚଳ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଭୁକ୍ତ ଥିବାରୁ ତଥା ସେଠାରେ ୩୭୧ ଧାରା ଲାଗୁ ହୋଇଥିବାରୁ ବର୍ଦ୍ଧିତ ଜନସଂଖ୍ୟା ସତ୍ତ୍ୱେ ମୈତେଇମାନେ ସେସବୁ ଅଞ୍ଚଳରେ ଜମିର ମାଲିକାନା ପାଇପାରୁନାହାନ୍ତି। ଏହି ଅସନ୍ତୋଷ ହିଁ ଏଠିକା ହିଂସାର ମୁଖ୍ୟ କାରଣ।

ଏହା ବ୍ୟତୀତ ଜାତି ଜାତି ମଧ୍ୟରେ ଲାଗିଥିବା ବିବାଦରେ ଏବେ ରାଜନୀତି ପଶିବା ପରେ ଏହା ଧାର୍ମିକ ହିଂସା ରୂପ ନେବାକୁ ବସିଲାଣି।  

ଟାର୍ଗେଟରେ ଏନ ବୀରେନ ସିଂହ

ରାଜ୍ୟରେ ସବୁକ୍ଷେତ୍ରରେ ମୈତେଇ ସମ୍ପ୍ରଦାୟର ପ୍ରଭାବ ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ପଦରେ ଥିବା ଏନ ବୀରେନ ସିଂହ ମଧ୍ୟ ମୈତେଇ ସମ୍ପ୍ରଦାୟର। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପକ୍ଷପାତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ଏହି ହିଂସା ପାଇଁ ବିଜେପି ନେତାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି।

ରାଜ୍ୟରେ ଲାଗି ରହିଥିବା ଗୋଷ୍ଠୀ ସଂଘର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହୋଇ ଆସୁଥିଲା। କନରାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ମଧ୍ୟ ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। କିଛି ବିଜେପି ବିଧାୟକ ଏନ ବୀରେନ ସିଂହଙ୍କ ଇସ୍ତଫା ପାଇଁ ଜିଦ୍ ଧରିଥିଲେ। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୀରେନ ସିଂହ।

 Tags: #PresidentRule #NBirenSingh #ManipurCM #Violence #ViolenceforCaste #Manipur #SCST #Kuki #ManipurViolence #Manipur

LEAVE A REPLY

Please enter your comment!
Please enter your name here