ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଗୃହରୁ ସସ୍ପେଣ୍ଡ ହେଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଗୃହରୁ ୭ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗତକାଲି, ସୋମବାର ଦିନ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଭାଙ୍ଗି ଦେଇଥିବାବେଳେ ଆଜି, ମଙ୍ଗଳବାର ଦିନ ବିଧାନସଭା ଗୃହରେ ହଙ୍ଗାମା କରିଥିଲେ।
ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି, କିନ୍ତୁ ସ୍ଵାଭାବିକ ଭାବେ ଚାଲିପାରୁ ନାହିଁ। ମଙ୍ଗଳବାର ଦିନ ଗୃହରେ ଆରମ୍ଭରୁ ଶାସକ-ବିରୋଧୀ ବିଧାୟକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିବାରୁ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ କରାଯାଇଥିଲା।
ମଙ୍ଗଳବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳ ସମୟରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଓ ନାରୀ ନିର୍ଯାତନାକୁ ପ୍ରସଙ୍ଗ କରି ଉଭୟେ ସରକାରଙ୍କୁ ଘେରିଥିଲେ। ଜୟନାରାୟଣ ମିଶ୍ରଙ୍କ କ୍ଷମା ପ୍ରାର୍ଥନା ସହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେମାନେ ଦାବି କରି ହଟ୍ଟଗୋଳ କରିଥିଲେ।
ଏକାଧିକ ବିରୋଧୀ ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହି ସମୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବିବୃତ୍ତି ରଖୁଥିବାବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ। ଏହାକୁ ନେଇ ରଣକ୍ଷେତ୍ର ପାଲଟି ଥିଲା ବିଧାନସଭା ଗୃହ।
ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ। ଗୃହ ମୁଲତବୀ ହେବାପରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା।
କଂଗ୍ରେସ ବିଧାୟକଙ୍କୁ ବିଧାନସଭା ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦୋଷ ଦେଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ।
Tags: #OdishaAssembly #TaraPrasadBahinipati #BudgetSession #Politics #OdishaPolitics #BJP #BJD #Congress