ଓଡ଼ିଶାଲାଇଭ୍‍ ବ୍ୟୁରୋ

ଏଣିକି ରାଜସ୍ଥାନରେ ମଦବିକ୍ରିରୁ ୨୦ ପ୍ରତିଶତ ଗୋସେବା ଟିକସ ଆଦାୟ ହେବଆସନ୍ତା ମାସ ୨୩ ତାରିଖରୁ ରାଜ୍ୟର ସମସ୍ତ ପଞ୍ଜୀକୃତ ବିକ୍ରେତାମାନଙ୍କୁ ଏହି ସରଚାର୍ଜ୍‌ ଦେବାକୁ ପଡ଼ିବ

ରାଜସ୍ଥାନରେ ଏଣିକି ମଦବିକ୍ରିରୁ ଆଦାୟ ହେବ ଗୋସେବା ଟିକସ। ତାହା ବି ୨୦ ପ୍ରତିଶତ। ନିକଟରେ ରାଜସ୍ଥାନର ବସୁନ୍ଧରା ରାଜେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ସଂପର୍କିତ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଆସନ୍ତା ମାସ ୨୩ ତାରିଖରୁ ରାଜ୍ୟର ସମସ୍ତ ପଞ୍ଜୀକୃତ ବିକ୍ରେତାମାନଙ୍କୁ ଏହି ସରଚାର୍ଜ୍‌ ଦେବାକୁ ପଡ଼ିବ। ବିଦେଶୀ ମଦ, ଭାରତରେ ପ୍ରସ୍ତୁତ ବିଦେଶୀ ମଦ, ଦେଶୀ ମଦ ଏବଂ ବିଅର ଉପରେ ଏହି ଅତିରିକ୍ତ ଟିକସ ଲାଗୁ କରାଯିବ। ରାଜ୍ୟରେ ଗୋ ସୁରକ୍ଷା ଏବଂ ଗୋବଂଶ ବୃଦ୍ଧି ଦିଗରେ ଏ ବାବଦରେ ଆଦାୟ ଅର୍ଥ ଖର୍ଚ୍ଚ କରାଯିବ।

ଏହା ପୂର୍ବରୁ ରାଜସ୍ଥାନ ସରକାର ଗୋ ସୁରକ୍ଷା ପାଇଁ ଷ୍ଟାମ୍ପ ଡ୍ୟୁଟି ଉପରେ ୧୦ ପ୍ରତିଶତ ସରଚାର୍ଜ ଲାଗୁ କରିଥିଲେ। ସମସ୍ତ ନନ୍‌-ଜୁଡିସିଆଲ ଦଲିଲ ପ୍ରସ୍ତୁତି ଉପରୁ ଏହି ସରଚାର୍ଜ ଆଦାୟ କରାଯାଉଛି। ଫଳରେ ରାଜ୍ୟରେ ଘରଭଡ଼ା ରାଜିନାମା, ବନ୍ଧକ ଏବଂ ଲିଜ୍‌ ରାଜିନାମା ପ୍ରଭୃତି ମହଙ୍ଗା ହୋଇଛି। ଗତ ଦୁଇଟି ଆର୍ଥିକ ବର୍ଷରେ ସରକାର ଏଥିରୁ ପ୍ରାୟ ୮୯୫ କୋଟି ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି। ଏବେ ଏହାକୁ ମଧ୍ୟ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ରିପୋର୍ଟ ଅନୁସାରେ, ରାଜସ୍ଥାନରେ ପ୍ରାୟ ୮ ଲକ୍ଷ ୫୮ ହଜାର ଗାଈଗୋରୁଙ୍କ ପାଇଁ ୨,୫୬୨ଟି ଗୋଶାଳା ବା ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ରହିଛି। ଏ ମଧ୍ୟରୁ ଅଧିକାଂଶ ଆଶ୍ରୟସ୍ଥଳୀ ରହିଛି ମରୁଡ଼ି ପ୍ରଭାବିତ ଅଞ୍ଚଳରେ। ବିଭିନ୍ନ ମରୁଡ଼ିଗ୍ରସ୍ତ ଜିଲ୍ଲାରେ ୫ ଲକ୍ଷ ୮୬ ହଜାର ଗାଈ ପାଇଁ ୧୬୮୨ଟି ଆଶ୍ରୟସ୍ଥଳୀ ରହିଛି। ଗୋ ସୁରକ୍ଷା ବାବଦରେ ସରକାରଙ୍କ ଖର୍ଚ୍ଚ ବାର୍ଷିକ ୧୨୦ କୋଟି ଟଙ୍କାରୁ ଅଧିକ ।

ଗୋସେବା ନିମନ୍ତେ ମଦ ଉପରୁ କର ଆଦାୟ ପାଇଁ ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତି ରାଜ୍ୟରେ ବେଶ କୌତୁହଳ ସୃଷ୍ଟି କରିଛି। ସାୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେହି ଏହାକୁ ବିରୋଧ କି ସମାଲୋଚନା କରୁନାହାନ୍ତି ସତ, କିନ୍ତୁ ହାସ୍ୟବ୍ୟଙ୍ଗ ପାଇଁ ଏହା ଖୋରାକ ଯୋଗାଇଛି। ସାଧାରଣ ଲୋକେ ଏହାକୁ ‘ଗାଈ କର’ ବୋଲି କହୁଛନ୍ତି। ‘ଗାଈ କର’କୁ ନେଇ ରଚିତ କେତେକ ଶାୟରୀକୁ ଏବେ ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଇଛି। ଯେମିତି କି-

“ଆଏ ଥେ ହଁସତେ ଖେଲ୍‌ତେ ମୟଖାନେ ମେଁ ଫିରାକ୍‌,

‘ଗୌ-କର’ ଲଗା ଦେଖା ତୋ ସଂଜୀଦା ହୋ ଗଏ”।

LEAVE A REPLY

Please enter your comment!
Please enter your name here