ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାସେ ହେଲା ଚାଲିଥିଲା ତଦନ୍ତ
  • ହତ୍ୟା ଅଭିଯୋଗରେ ଗିରଫ ହେଲେ ୫ ଅଭିଯୁକ୍ତ
  • ଝିଅର ବାପା, ଭାଇ ଏବଂ ତିନି ସହଯୋଗୀ ଗିରଫ

ପରିବାରର ଆତ୍ମସମ୍ମାନ ପାଇଁ ପୁଣି ବଳିପଡ଼ିଲେ ପ୍ରେମୀଯୁଗଳ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। ପ୍ରେମୀଯୁଗଳଙ୍କୁ ହତ୍ୟା କରିବା ଅଭିଯୋଗରେ ଝିଅର ବାପା, ଭାଇଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିଥିବା କୋରାପୁଟ ଏସ୍‌ପି କନ୍‌ୱାର ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଜୁନ୍ ୨୧ ତାରିଖରେ କୋଟପାଡ଼ ରେଳ ଧାରଣାରେ ପ୍ରେମିକ ପ୍ରେମିକାଙ୍କ ମୃତଦେହ ପଡ଼ିଥିଲା। ସେମାନେ ହେଲେ ପର୍ଶୁରାମ ମୁଦୁଲି ଏବଂ ଧନମୋତି ମୁଦୁଲି। ଖବର ପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲା। ପୋଲିସ ସନ୍ଦେହ କରିଥିଲା ଯେ ଟ୍ରେନ୍ ଆଗକୁ ଡେଇଁ ଉଭୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପରିବାରବର୍ଗଙ୍କ ଅଭିଯୋଗ ପରେ ତଦନ୍ତର ମୋଡ଼ ବଦଳି ଯାଇଥିଲା।

ପରିବାର ଲୋକ ଅଭିଯୋଗ କରିଥିଲେ ଯେ ଉଭୟଙ୍କୁ କେହି ହତ୍ୟା କରି ଟ୍ରେନ୍ ଲାଇନରେ ଫିଙ୍ଗି ଦେଇଛନ୍ତି। ଏହାପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଉଭୟ ପରିବାରର ସଦସ୍ୟଙ୍କୁ ଡାକି ପଚରା ଉଚରା କରିଥିଲା। ଶେଷରେ ଝିଅର ବାପା ଏବଂ ଭାଇ ଫସିଯାଇଥିଲେ।

ପ୍ରେମୀଯୁଗଳଙ୍କୁ ହତ୍ୟା କରିବା ଅଭିଯୋଗରେ ଝିଅର ବାପା ମେଟା ମୁଦୁଲି ଏବଂ ଭାଇ ପୀତବାସ ମୁଦୁଲିକୁ ଗିରଫ କରିଛି ପୋଲିସ। ହତ୍ୟାକାଣ୍ଡରେ ଜଡ଼ିତ ଆଉ ୩ ଜଣ କୃଷ୍ଣ ମୁଦୁଲି, କମଳ ଲୋଚନ ମୁଦୁଲି ଏବଂ ମନବୋଧ ମୁଦୁଲିଙ୍କୁ ପୋଲିସ ଗିରଫ କରିଛି।

ଏସ୍‌ପି କନୱାର ସିଂ କହିଛନ୍ତି, “ପ୍ରେମିକ ପ୍ରେମିକା ଥିଲେ ସମ୍ପର୍କୀୟ ଭାଇ ଭଉଣୀ। ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଝିଅ ଘର ଲୋକ ଏହାକୁ ବିରୋଧ କରି ଆସୁଥିଲେ। ପ୍ରେମୀଯୁଗଳ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଝିଅ ଘର ଲୋକ ଏହା ଜାଣିବା ପରେ ଉଭୟଙ୍କୁ ହତ୍ୟା କରିଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ରେଳ ଲାଇନନ କଡ଼ରେ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା।”

LEAVE A REPLY

Please enter your comment!
Please enter your name here