ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘରର ୧୨ ଦିନ ପୂରିନି। ସ୍ୱାମୀ ସହିତ ବାପଘରକୁ ବୁଲିବାକୁ ଆସିଥିଲେ ନବବଧୂ। ହେଲେ ପ୍ରେମିକାକୁ ଜୀବନସାଥୀ କରି ନପାରିବାରୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ତଣ୍ଟି କାଟି ଦେଇଛି ପ୍ରେମିକ।

ଖାଲି ସେତିକି ନୁହେଁ, ପ୍ରେମିକ ଜଣକ ନିଜେ ମଧ୍ୟ ନିଜ ତଣ୍ଟି ନିଜେ କାଟି ଦେଇଛି। ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ କରଡ଼ାବାଡ଼ି ଗାଁର ପବିତ୍ର ଜେନା ସେହି ଗାଁର ବନିତା ପଲେଇଙ୍କୁ ପ୍ରେମ କରୁଥିଲେ। ପବିତ୍ର ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଗତ ୧୨ ଦିନ ତଳେ ବନିତାଙ୍କର ଅନ୍ୟତ୍ର ବାହାଘର ହୋଇଥିଲା। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ପବିତ୍ର। ତେଣୁ ସେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ବାହାଘରର ୧୦ ମଙ୍ଗୁଳା ଦିନ ବନିତା ନିଜ ସ୍ୱାମୀଙ୍କ ସହିତ ବାପ ଘରକୁ ବୁଲିବାକୁ ଆସିଥିଲେ। ବନିତା ଗାଁକୁ ଆସିଥିବା ଜାଣିବା ପରେ ତାଙ୍କୁ ପାଇବା ପାଇଁ ପାଗଳ ପ୍ରାୟ ହୋଇ ଉଠିଥିଲେ ପବିତ୍ର। ଆଉ ଆଜି ସକାଳେ ପବିତ୍ର ବନିତାଙ୍କୁ ଡାକି କଥା ହୋଇଥିଲେ।

ପୁରୁଣା ସମ୍ପର୍କକୁ ଆଉ ଥରେ ଯୋଡ଼ିବା ପାଇଁ ପବିତ୍ର ବନିତାଙ୍କୁ କହିଥିଲେ। ହେଲେ ଏଥିରେ ରାଜି ହୋଇ ନଥିଲେ ବନିତା। ଏଥିରେ ରାଗିଯାଇ ପବତ୍ର ବନିତାଙ୍କ ତଣ୍ଟିକୁ କାଟିଦେବା ସହ ନିଜେ ମଧ୍ୟ ନିଜ ତଣ୍ଟି କାଟି ଦେଇଥିଲେ। ଉଭୟଙ୍କୁ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବନିତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ପବିତ୍ରଙ୍କୁ ଆସ୍କା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ପୋଲିସ ଏକ ନରହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here