ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୪୬ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ରଞ୍ଜନ ଗୋଗୋଇ ଦାୟିତ୍ୱ ନେବା ମାତ୍ରେ ହିଁ ତାଙ୍କ ପରାକ୍ରମ ଦେଖାଇଛନ୍ତି। ‘ତୁରନ୍ତ ଶୁଣାଣି’ ବ୍ୟବସ୍ଥାରେ ସେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏନେଇ ଏକ ମାନଦଣ୍ଡ ତିଆରି କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି। ଚିଫ ଜଷ୍ଟିସ ଗୋଗୋଇ କହିଲେ ଯେ କେଉଁ କେଉଁ ମାମଲାରେ ଅବିଳମ୍ବ ଶୁଣାଣି ହେବ ତାହା ନୂତନ ଭାବେ ସ୍ଥିର କରାଯିବ।
ସେ କହିଲେ ଯେ ଯଦି କୌଣସି ବ୍ୟକ୍ତିଙ୍କ ଫାଶୀ ତାରିଖ ଥାଏ ଅଥବା କାହାକୁ ବେଘର କରିଦିଆଯାଉଥାଏ ସେହିଭଳି ମାମଲାରେ ହିଁ ବିଶେଷ ଶୁଣାଣି ହେବ, ଅନ୍ୟ ମାମଲାରେ ନୁହେଁ।
କହିରଖୁ ଯେ ସୁପ୍ରିମକୋର୍ଟ ରେ ପ୍ରତିଦିନ ପ୍ରଥମ ୨୦ ମିନିଟ ମାମଲାର ଜରୁରୀ ଶୁଣାଣି ପାଇଁ ସମୟ ରଖା ଯାଇଥାଏ। ଏହି ପରମ୍ପରା ବହୁ ଦିନରୁ ଚାଲି ଆସିଛି। କିନ୍ତୁ ଜଷ୍ଟିସ ଗୋଗୋଇ ତାହାକୁ ବଦଳାଇବାକୁ ଚାହୁଁଛନ୍ତି। ଶପଥ ଗ୍ରହଣ କରିବା ପରେ ସେ ଏକଥା ମଧ୍ୟ କହିଲେ ଯେ ଏ ବିଷୟରେ ମାନଦଣ୍ଡ ତିଆରି ନହେବା ଯାଏଁ କୌଣସି ମାମଲାର ତୁରନ୍ତ ଶୁଣାଣି କରାଯିବ ନାହିଁ।
ପ୍ରଧାନ ବିଚାରପତି କହିଲେ, “କାଲି ଯଦି କାହାକୁ ଫାଶୀ ଦିଆଯାଉଛି ବୁଝି ହେଉଛି ସେହି ମାମଲାର ତୁରନ୍ତ ଶୁଣାଣି ହେବା ଦରକାର।”
ଜଷ୍ଟିସ ଗୋଗୋଇଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଓକିଲ ମ୍ୟାଥୁସ ନେଦୁମପରଙ୍କ ଉପରେ ତତକ୍ଷଣାତ ପଡ଼ିଥିଲା। ପ୍ରଥମ ୨୦ ମିନିଟ ଭିତରେ ଉପରୋକ୍ତ ଆଇନଜୀବୀ ପ୍ରଧାନ ବିଚାରପତିଙ୍କୁ ବଧେଇ ଜଣାଇବା ପାଇଁ ଚାହୁଁଥିଲେ। କିନ୍ତୁ ଜଷ୍ଟିସ କହିଲେ ସେ ସବୁକିଛି ଦରକାର ନାହିଁ, ଆଗକୁ ବଢ଼ନ୍ତୁ। ଦ୍ୱିତୀୟ ପ୍ରଭାବ ପଡ଼ିଛି ଓକିଲ ପ୍ରଶାନ୍ତ ଭୂଷଣଙ୍କ ଉପରେ। ଭୂଷଣ ତାଙ୍କ ଆବେଦନ ରୋହିଜ୍ଞା ମୁସଲମାନମାନଙ୍କୁ ଭାରତରୁ ନିକାଲିବା ସମ୍ପର୍କିତ ଥିଲା। ସେ ଏହାର ତୁରନ୍ତ ଶୁଣାଣି ତାଲିକାରେ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ପ୍ରଧାନ ବିଚାରପତି ମନା କରିଦେଇଥିଲେ।
ଚିଫ ଜଷ୍ଟିସ କହିଲେ ଯେ ଏନେଇ ପ୍ରଥମେ ଏଫିଡେଭିଟ ଦାଖଲ କରନ୍ତୁ ତା ପରେ ଦେଖାଯିବ। ଆଜି ଶପଥ ଗ୍ରହଣ କରିବା ପରେ ପ୍ରଧାନ ବିଚାରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ଯେ ତାଙ୍କ ଦୀର୍ଘ ଅଭିଜ୍ଞତା ଦେଶ ପାଇଁ ଲାଭଜନକ ହେବ। ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ୧୭ ତାରିଖରେ ଅବସର ନେବେ।