କମଳାକାନ୍ତ ପତି

ଜଣେ ବିଚାରପତିଙ୍କ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ। ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ରର ଗନ୍ଧ ବାରିଲାଣି ରାଜନୈତିକ ମହଲ। ଦେଶର ବିଚାର ବ୍ୟବସ୍ଥାରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ

୨୦୧୮ ଜାନୁୟାରୀ ମାସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ । ସେତେବେଳେ ସୁପ୍ରିମ୍‌କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ ଚେଲାମେଶ୍ୱର, ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ମଦନ ବି. ଲୋକୁର ଏବଂ ଜଷ୍ଟିସ୍ କୁରିୟାନ ଯୋଶେଫ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏହାପୂର୍ବରୁ ସେମାନେ ଜଷ୍ଟିସ୍ ମିଶ୍ରଙ୍କୁ ଏକ ପତ୍ର ଲେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କର ଅସନ୍ତୋଷର କାରଣ ଥିଲା ସର୍ବୋଚ୍ଚ ଅଦାଲତରେ ପ୍ରଶାସନିକ ବ୍ୟବସ୍ଥା ଠିକଣା ଢଙ୍ଗରେ ପରିଚାଳିତ ହେଉନାହିଁ। ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ବରିଷ୍ଠ ବିଚାରପତିମାନଙ୍କ ନେତୃତ୍ୱରେ ଗଠିତ ବେଞ୍ଚକୁ ଦିଆଯାଉନାହିଁ।

ଏହାର ଅର୍ଥ ହେଉଛି ଉକ୍ତ ବିଚାରପତିମାନେ ସିଧାସଳଖ ଭାବେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟଦକ୍ଷତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣା ସର୍ବୋଚ୍ଚ ଅଦାଲତ ଇତିହାସରେ ବିରଳରୁ ବିରଳତମ ହୋଇଥିବାରୁ ସେତେବେଳେ ଅନେକ ଚର୍ଚ୍ଚିତ ହୋଇଥିଲା। ତେବେ ଘଟଣାଟି ଅଦାଲତ ଓ ବିଚାରପତିମାନଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଏମ୍.ଭି. ରମନ୍ନାଙ୍କ ବିରୋଧରେ ଯେଉଁ ଅଭିଯୋଗର ବୋମା ଫୁଟାଇଛନ୍ତି, ତାହା ଦେଶର ନ୍ୟାୟିକ ଇତିହାସରେ ସମ୍ଭବତଃ ଅତ୍ୟନ୍ତ ସାଂଘାତିକ। ଦେଶର ଜଣେ ରାଜନେତା କୌଣସି ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସମଗ୍ର ରାଜନୈତିକ ମହଲକୁ ଚକିତ କରିଛି।

ସରକାରରେ ଅସ୍ଥିରତା ସୃଷ୍ଟିର ଅଭିଯୋଗ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ସର୍ବୋଚ୍ଚ ଅଦାଲତର ଯେଉଁ ବରିଷ୍ଠ ବିଚାରପତିଙ୍କ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଲେଖିଛନ୍ତି, ସେ ହେଉଛନ୍ତି ଜଷ୍ଟିସ୍ ଏସ୍‌.ଏ. ବୋବଡେଙ୍କ ଉତ୍ତରସୂଚୀ, ଅର୍ଥାତ୍ ଜଷ୍ଟିସ୍ ବୋବଡେଙ୍କ ପରେ ସେ (ଜଷ୍ଟିସ୍ ରମନ୍ନା) ବରିଷ୍ଠତା ଭିତ୍ତିରେ ଦେଶର ପ୍ରଧାନ ବିଚାରପତି ପଦରେ ବସିବାର ସମ୍ଭାବନା ରହିଛି।

ସେହି ଜଷ୍ଟିସ୍ ରମନ୍ନାଙ୍କ ବିରୋଧରେ ଜଗନ ପକ୍ଷପାତ ଓ ତାଙ୍କ ସରକାରରେ ଅସ୍ଥିରତା ସୃଷ୍ଟିର ଅଭିଯୋଗ ଆଣିଛନ୍ତି। ଜଗନଙ୍କର ଅଭିଯୋଗ ଜଷ୍ଟିସ୍ ରମନ୍ନା ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଚ୍ଛନ୍ନ ସହାୟତା କରି ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟିର ଉଦ୍ୟମ କରୁଛନ୍ତି। ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବରିଷ୍ଠ ବିଚାରପତିଙ୍କ ବିରୋଧରେ କୌଣସି ମୁଖ୍ୟମନ୍ତ୍ରୀଙ୍କର ଏଭଳି ଅଭିଯୋଗ ଅଭୂତପୂର୍ବ। ଏହାକୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା। ଜଗନମୋହନ ଚଳିତମାସ ୬ ତାରିଖରେ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ। ଏହାପରେ ସେ ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍ ରମନ୍ନାଙ୍କ ବିରୋଧରେ ଅଭିଯୋଗ କରିବା ଘଟଣା ପଛରେ ଅନ୍ୟ କୌଣସି ବଡ଼ ରାଜନୀତି ଲୁଚି ରହିଛି କି ବୋଲି ପ୍ରଶ୍ନ ଉଠୁଛି।

ପରବର୍ତ୍ତୀ ସମ୍ଭାବ୍ୟ ସିଜେଆଇ ଜଷ୍ଟିସ୍ ରମନ୍ନା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଘଟଣାରୁ ଖିଅ ଟାଣୁଛି ରାଜନୈତିକ ମହଲ। କଥା ହେଉଛି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡ଼େ ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ଅବସର ଗ୍ରହଣ କରିବେ। ତା’ପରେ ସୁପ୍ରିମକୋର୍ଟରେ ପ୍ରବୀଣତମ ବିଚାରପତି ଭାବେ ଜଷ୍ଟିସ୍ ରମନ୍ନା ସିଜେଆଇ (ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ) ହେବା କଥା। ଏଭଳି ସ୍ଥିତିରେ ତାଙ୍କ ବିରୋଧରେ ପକ୍ଷପାତ ଓ ରାଜନୈତିକ ହସ୍ତକ୍ଷେପର ଅଭିଯୋଗ ଅଣାଯିବା ଘଟଣା ଏକ ଭିନ୍ନ ଆଶଙ୍କାକୁ ଜନ୍ମ ଦେଉଛି। ବିରୋଧୀ ଶିବିରର ପ୍ରଶ୍ନ, ତେବେ କ’ଣ ଜଷ୍ଟିସ୍ ରମନ୍ନାଙ୍କ ପ୍ରଧାନ ବିଚାରପତି ହେବା ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟିର ଉଦ୍ୟମ ହେଉଛି କି?

ବିଚାରପତି ରମନ୍ନା ୨୦୨୨ ଅଗଷ୍ଟରେ ଅବସର ଗ୍ରହଣ କରିବେ। ସୁତରାଂ ୨୦୨୧ରେ ଯଦି ସେ ପ୍ରଧାନ ବିଚାରପତି ହୁଅନ୍ତି, ତେବେ ସେହି ପଦରେ ରହିବେ ପ୍ରାୟ ୧୭ ମାସ। ଏତେ ଲମ୍ବା ସମୟ ପାଇଁ ଜଷ୍ଟିସ୍ ରମନ୍ନାଙ୍କୁ ପ୍ରଧାନ ବିଚାରପତି ପଦରେ ଦେଖିବାକୁ ଚାହୁଁନାହାନ୍ତି କି କେନ୍ଦ୍ର ସରକାର। ନା ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି ଏହି ଘଟଣା ପଛରେ।

ଜଷ୍ଟିସ୍ ଲଳିତଙ୍କ ଉପରେ ଆଖି

ସୁପ୍ରିମକୋର୍ଟର ଅନ୍ୟତମ ପ୍ରବୀଣ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ। ତେବେ ସେ ଜଷ୍ଟିସ୍ ରମନ୍ନାଙ୍କଠାରୁ ବରିଷ୍ଠ ନୁହନ୍ତି। ଜଷ୍ଟିସ୍ ରମନ୍ନା ଯଦି ପ୍ରଧାନ ବିଚାରପତି ହୁଅନ୍ତି, ତେବେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଯାଇ ଜଷ୍ଟିସ୍ ଲଳିତଙ୍କ ପାଳି ପଡ଼ିବ। ଏପରି ହେଲେ ଜଷ୍ଟିସ୍ ଲଳିତ ଜଷ୍ଟିସ୍ ରମନ୍ନାଙ୍କ ପରେ ମାତ୍ର ସାଢ଼େ ୩ ମାସ ପ୍ରଧାନ ବିଚାରପତି ରହିପାରିବେ। ତା’ ପରେ ତାଙ୍କୁ ଅବସର ନେବାକୁ ପଡ଼ିବ। ଯଦି ଜଷ୍ଟିସ୍ ରମନ୍ନାଙ୍କୁ ଅଭିଯୋଗରେ ଛନ୍ଦି ଦିଆଯାଇ ପ୍ରଧାନ ବିଚାରପତି ପଦରୁ ବଞ୍ଚିତ କରାଯାଇପାରେ, ତେବେ ଜଷ୍ଟିସ୍ ଲଳିତ ସିଜେଆଇ ଭାବେ ନିଯୁକ୍ତ ହୋଇ ଅଧିକ ସମୟ ଏହି ପଦବୀରେ ରହିପାରିବେ।

ଜଷ୍ଟିସ୍ ଲଳିତ ପୂର୍ବରୁ ସୁପ୍ରିମକୋର୍ଟର ଆଇନଜୀବୀ ଥିଲେ। ପଦୋନ୍ନତି କ୍ରମେ ସେ ହୋଇଛନ୍ତି ବିଚାରପତି। କହିବା ବାହୁଲ୍ୟ ଯେ, ଜଷ୍ଟିସ୍ ଲଳିତ ଆଇନଜୀବୀ ଥିବାବେଳେ ଗୁଜୁରାଟ ପୋଲିସ୍ର ମିଥ୍ୟା ଏନକାଉଣ୍ଟର ମାମଲାରେ ଅମିତ୍ ଶାହଙ୍କ ପକ୍ଷରୁ ଲଢ଼ିଥିଲେ। ସୁତରାଂ ତାଙ୍କ ପ୍ରତି ଅମିତ ଶାହାଙ୍କର ଘନିଷ୍ଠତା ରହିଛି। ସେହି ଦୃଷ୍ଟିରୁ ଜଷ୍ଟିସ୍ ଲଳିତଙ୍କ ଉପରେ ରାଜନୈତିକ ମହଲର ଆଖି।

କ’ଣ ରହିଛି ଜଗନଙ୍କ ଅଭିଯୋଗ

ଜଗନ୍‌ମୋହନ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି କରିଥିବା ଅଭିଯୋଗ ଅତ୍ୟନ୍ତ ସଙ୍ଗୀନ। ଜଷ୍ଟିସ୍ ରମନ୍ନା ସୁପ୍ରିମକୋର୍ଟରେ ବସି ଆନ୍ଧ୍ର ହାଇକୋର୍ଟଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ହାଇକୋର୍ଟରେ କାହା ବେଞ୍ଚରେ କେଉଁ ମାମଲାର ଶୁଣାଣି ହେବ, ତାହା ଜଷ୍ଟିସ୍ ରମନ୍ନା ନିଜ ପ୍ରଭାବ ପ୍ରୟୋଗ କରି ସ୍ଥିର କରୁଛନ୍ତି। ବିଗତ ଟିଡିପି ସରକାର ବିରୋଧରେ କେତେକ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ସେହି ମାମଲାଗୁଡ଼ିକ ନିର୍ଦ୍ଦିଷ୍ଟ କେତେଜଣ ବିଚାରପତିଙ୍କ ବେଞ୍ଚରେ ହେଉ ବୋଲି ସେ ଚାହୁଁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଜଷ୍ଟିସ୍ ରମନ୍ନାଙ୍କର ପୁରୁଣା ସମ୍ପର୍କ ରହିଛି। ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ ଘୋଷଣା କରାଯିବା ପୂର୍ବରୁ ସେଠାରେ ବିଚାରପତି ରମନ୍ନାଙ୍କ ଦୁଇ ଝିଅଙ୍କ ଜମି କିଣାବିକା ହୋଇଥିଲା। ଏହାର ତଦନ୍ତ ଚାଲିଥିବା କଥା ଜଗନମୋହନ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଗତବର୍ଷ ମେ ମାସରେ ଜଗନମୋହନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଚନ୍ଦ୍ରବାବୁ ସରକାର ଅମଳର ଯାବତୀୟ ଚୁକ୍ତି ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହା ପରଠାରୁ ଜଷ୍ଟିସ୍ ରମନ୍ନା ଆନ୍ଧ୍ର ହାଇକୋର୍ଟ ଉପରେ ତାଙ୍କର ପ୍ରଭାବ ବିସ୍ତାର ଆରମ୍ଭ କରିଛନ୍ତି। ସେହିପରି ଜଗନମୋହନଙ୍କ ବିରୋଧରେ ସିବିଆଇ ଏବଂ ଇଡି ପକ୍ଷରୁ ଏକାଧିକ ମାମଲା ରହିଛି। ଏନେଇ ୧୩ଟି ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି। ବିଚାରପତି ରମନ୍ନା ଚାହୁଁଛନ୍ତି ରାଜନୈତିକ ନେତାଙ୍କ ବିରୋଧରେ ଥିବା ମାମଲାର ଦ୍ରୁତ ଫଏସଲା ହେଉ। ଯେଉଁଥିପାଇଁ କି ଜଗନମୋହନ ଆତଙ୍କିତ।

ଅଭିଯୋଗ ଉପରେ ସିଜେଆଇ ନୀରବ

ଜଗନମୋହନ ଗତ ୮ ତାରିଖରୁ ପ୍ରଧାନ ବିଚାରପତି (ସିଜେଆର)ଙ୍କ ନିକଟରେ ଅଭିଯୋଗ କଲେଣି। ୧୦ ତାରିଖରେ ଏହି ଅଭିଯୋଗ ସଂକ୍ରାନ୍ତ ତଥ୍ୟ ପ୍ରଘଟ ହୋଇଛି। ତେବେ ଏଯାଏଁ ପ୍ରଧାନ ବିଚାରପତି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଯାହାକୁ ନେଇ ବିବୃତ୍ତି ଦେଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ସିଭି ମୋହନ ରେଡ୍ଡୀ।

ଜଗନମୋହନଙ୍କ ପିତା ୱାଇଏସ୍ ରାଜଶେଖର ରେଡ୍ଡୀ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବାବେଳେ ମୋହନ ଥିଲେ ଏ.ଜି। ସେତେବେଳେ ମଧ୍ୟ ୱାଇଏସଆର ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ମାତ୍ର ତତ୍‌କାଳୀନ ସିଜେଆଇ କୌଣସି ପଦକ୍ଷେପ ନେଇନଥିଲେ। ତେଣୁ ମୋହନ ରେଡ୍ଡୀ ଚାହୁଁଛନ୍ତି ଜଗନମୋହନଙ୍କ ଅଭଯୋଗ ବ୍ୟର୍ଥ ନ ଯାଉ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment