ଓଡିଶାଲାଇଭ୍ ବ୍ୟୁରୋ
ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଛି।
ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ପ୍ରଥମ ପଳାତକ ଆର୍ଥିକ ଅପରାଧୀ ଘୋଷିତ ହୋଇଛନ୍ତି। ପିଏମଏଲଏ (ପ୍ରିଭେନସନ ଅଫ୍ ମନି ଲଣ୍ଡେରିଙ୍ଗ ଆକ୍ଟା) କୋର୍ଟ ଏହି ଘୋଷଣା କରିଛନ୍ତି। ଏବେ ସରକାର ମାଲ୍ୟାଙ୍କ ସମସ୍ତ ସମ୍ପତ୍ତି ଜବତ କରିପାରିବେ।
ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏଥିପାଇଁ ସ୍ପେଶାଲ କୋର୍ଟରେ ଆବେଦନ କରିଥିଲେ।
ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ଅନୁଯାୟୀ ସରକାରଙ୍କ ପାଖରେ ଏବେ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାର ଅଧିକାର ରହିଛି। ଏବେ କର୍ଣ୍ଣାଟକ, ଇଂଲଣ୍ଡ ଓ ଅନ୍ୟ ସ୍ଥାନରେ ଥିବା ମାଲ୍ୟାଙ୍କର ସମ୍ପତ୍ତିଙ୍କୁ ଜବତ କରାଯାଇପାରିବ।
ପଳାତକ ଆର୍ଥିକ ଅପରାଧୀ ଅଧିନିୟମ କ’ଣ?
-ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯିବାପରେ ସରକାର ତାଙ୍କ ସମ୍ପତ୍ତିକୁ ଜବତ କରିବାର ଅଧିକାର ପାଇଥାନ୍ତି।
-ସେହି ବ୍ୟକ୍ତିଙ୍କୁ ପଳାତକ ଆର୍ଥିକ ଅପରାଧୀ କୁହାଯିବ ଯେଉଁ ବ୍ୟକ୍ତି ବିରୋଧରେ ଆର୍ଥିକ ଅପରାଧ ମାମଲାରେ କୋର୍ଟ ଦ୍ଵାରା ୱାରେଣ୍ଟ ଜାରି ହୋଇଥିବ। ସେ ଅଭିଯୋଗରୁ ବଞ୍ଚିବା ପାଇଁ ଦେଶ ଛାଡ଼ି ବିଦେଶକୁ ପଳାଇଯାଇଥିବେ ଓ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ମନା କରିଦେଇଥିବେ।
– ଏହି ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ୧୦୦ କୋଟିରୁ ଅଧିକ ଟଙ୍କାରେ ଅନିୟମିତତା କରିଥିବେ ବା ଋଣ ନେଇ ପରିଶୋଧ କରିନଥିବେ ସେହି କ୍ଷେତ୍ରରେ ଏହା ଲାଗୁ କରାଯାଇଥାଏ।
କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ଭାରତରୁ ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଥିଲେ। କିଛି ଦିନ ତଳେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।