ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଭାରତ ଆସିବା ରାସ୍ତା ସଫା ହୋଇଛି। ଭାରତକୁ ପ୍ରତ୍ୟାବର୍ତ୍ତନ ପାଇଁ ଲଣ୍ଡନର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିପ୍‌ ମାଜିଷ୍ଟ୍ରେଟ ଜଜ୍‌ ଏମା ଏବର୍ଟନଟ ଏହି ରାୟ ଶୁଣାଇଛନ୍ତି।

କିଙ୍ଗ୍‌ଫିସର ଏୟାରଲାଇନ୍ସର ପ୍ରମୁଖ ଥିବା ୬୨ ବର୍ଷୀୟ ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କଗୁଡିକରୁ ପ୍ରାୟ ୯୦୦୦ କୋଟି ଟଙ୍କା ନେଇ ପରିଶୋଧ କରିନଥିବାର ଅଭିଯୋଗ ହୋଇଛି। ଗତବର୍ଷ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ ଓ୍ଵାରେଣ୍ଟରେ ଗିରଫ ପରେ ମାଲ୍ୟା ଜାମିନରେ ବାହାରେ ଅଛନ୍ତି।

ମାଲ୍ୟା ମନି ଲଣ୍ଡ୍ରିଂ ଆରୋପ ପରେ ଦେଶରୁ ପଳାୟନ କରିଥିଲେ। ସେ ୨୦୧୬ ମାର୍ଚ୍ଚରୁ ଲଣ୍ଡନରେ ଅଛନ୍ତି। ତେବେଠୁ ଭାରତ ସରକାର ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କ୍ରମାଗତ ପ୍ରୟାସ କରିଆସୁଛି। ଗତବର୍ଷ ଡିସେମ୍ଵର ୪ରେ ଲଣ୍ଡନର ମାଜିଷ୍ଟ୍ରେଟ୍ ଅଦାଲତରେ ମାଲ୍ୟାଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା।

ଉପର ଅଦାଲତକୁ  ଯିବାର ରହିଛି ବିକଳ୍ପ

ଜଜ୍‌ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରାଯିବା ଉଚିତ ଏବଂ ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଲଗାଯାଇଥିବା ଆରୋପ ଉପରେ ମୋକଦ୍ଦମା ଚାଲିବା ମଧ୍ୟ ଉଚିତ। ରାୟ ଆସିବା ପରେ ମାମଲାକୁ ବ୍ରିଟେନର ଗୃହ ବିଭାଗ ପାଖକୁ ପଠାଇ ଦିଆଯାଇଛି ଏବଂ ଏବେ ଦେଶର ଗୃହ ମନ୍ତ୍ରୀ ନିଷ୍ପତ୍ତି ନେବେ ଯେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରାଯିବ ନା ନାହିଁ। ଅନ୍ୟ ପଟେ ମାଲ୍ୟାଙ୍କ ପାଖରେ ୧୪ ଦିନ ଭିତରେ ଏହି ନିଷ୍ପତ୍ତିକୁ ବ୍ରିଟିଶର ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି।

ନିଷ୍ପତ୍ତି ଆସିବା ପୂର୍ବରୁ କଣ କହିଥିଲେ ମାଲ୍ୟା

ମାଲ୍ୟା ନିଜ ବିରୋଧରେ ଜାରି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ପ୍ରେରିତ କହିଛନ୍ତି। ଶୁଣାଣି ପୂର୍ବରୁ ମାଲ୍ୟା କହିଥିଲେ ଯେ ତାଙ୍କର ପ୍ରତ୍ୟର୍ପଣ ମାମଲାର ଶୁଣାଣି ଋଣ ପରିଶୋଧ ସହିତ କୌଣସି ସଂପର୍କ ନାହିଁ।  ମୁଁ କାହାରି ଅର୍ଥ ଚୋରି କରି ନାହିଁ। ଋଣ ନେଇଛି ପରିଶୋଧ କରିବାକୁ ପ୍ରସ୍ତୁତ ଅଛି। ଋଣ ନେଇଥିବା ମୂଳ ରାଶିର ୧୦୦ ପ୍ରତିଶତ ଅର୍ଥ ଫେରାଇବାକୁ ମୁଁ ପ୍ରସ୍ତାବ ଦେଇଛି। ତେଣୁ ଏହାକୁ ସ୍ଵୀକାର କରାଯାଉ।

କେଉଁ ବ୍ୟାଙ୍କରୁ ନେଇଛନ୍ତି କେତେ ଟଙ୍କା?

ଫେବୃଆରୀ  ୨୦୧୪ ସୁଦ୍ଧା ସୁଧ ମିଶାଇ ମାଲ୍ୟା ୬୯୬୩ କୋଟି ଟଙ୍କା ଋଣ କରିଛନ୍ତି। ବିଜୟ ମାଲ୍ୟା ଷ୍ଟେଟବ୍ୟାଙ୍କରୁ ୧୬୦୦ କୋଟି ଟଙ୍କା ଋଣ ନେଇଥିଲାବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୮୦୦ କୋଟି ଟଙ୍କା ଋଣ ନେଇଛନ୍ତି। ସେହିପରି ଆଇଡିବିଆଇ ବ୍ୟାଙ୍କରୁ ୮୦୦, ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୬୫୦ କୋଟି, ବ୍ୟାଙ୍କ ଅଫ୍ ବରୋଦାରୁ ୫୫୦, ସେଣ୍ଟ୍ରାଲ ବ୍ୟାଙ୍କରୁ ୪୧୦, ୟୁକୋ ବ୍ୟାଙ୍କରୁ ୩୨୦, କର୍ପୋରେସନ ବ୍ୟାଙ୍କରୁ ୩୧୦ କୋଟି, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୪୦ କୋଟି, ଫେଡରାଲ ବ୍ୟାଙ୍କରୁ ୯୦ କୋଟି , ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରୁ ୬୦ କୋଟି ଏବଂ ଆକ୍ସିସ ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ କରିଛନ୍ତି।

Comment