ଓଡ଼ିଶାଲାଇଭ୍ ବ୍ୟୁରୋ
ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ। ଡ୍ୟାମ ଜଳସ୍ତର ୬୧୮ ଫୁଟ୍ରେ ଟପିବା ପରେ ଗେଟ୍ ଖୋଲାଯାଇଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ଆଜି ୭ ନମ୍ବର ସ୍ଲୁଇସ୍ ଗେଟ୍ ଜରିଆରେ ପାଣି ଛଡ଼ାଯାଇଛି। ସକାଳ ୧୧ଟା ୩୦ ମିନିଟରେ ଜିଲ୍ଲାପାଳ ବଟନ୍ ଦବାଇ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଥିଲେ।
ପ୍ରତିବର୍ଷ ଭଳି ୭ ନମ୍ବର ଗେଟ୍ ଖୋଲାଯାଇଛି। ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକଙ୍କ କହିବା ଅନୁସାରେ ତଳମୁଣ୍ଡରେ ବନ୍ୟାସ୍ଥିତି ଦେଖି ଆଜି ଅପରାହ୍ଣ ସାଢ଼େ ୨ଟା କିମ୍ବା ୩ଟାରେ ଗେଟ୍ ବନ୍ଦ କରାଯିବ। ଆସନ୍ତାକାଲି ପୁଣି ଗେଟ ଖୋଲା ଯାଇପାରେ।
ଗେଟ୍ ଖୋଲିବା ନେଇ ପ୍ରତି ୫ ମିନିଟ୍ରେ ସତର୍କ ସାଇରନ ବଜା ଯାଇଥିଲା। ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନଛାଡ଼ିବାକୁ ପ୍ରଚାର କରାଯାଇଥିଲା। ଗେଟ୍ ଖୋଲିବା ପୂର୍ବରୁ ପରମ୍ପରା ମୁତାବକ ପ୍ରଥମେ ସେଠାରେ ପୂଜାର୍ଚ୍ଚନା ଏବଂ ଭଜନକୀର୍ତ୍ତନ ହୋଇଥିଲା।
ବର୍ତ୍ତମାନ ହୀରାକୁଦ ବନ୍ଧକୁ ପ୍ରତି ମିନିଟରେ ୧ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ମୁଖ୍ୟ ବନ୍ଧ ଏବଂ କେନାଲକୁ ମିଶାଇ ୩୨ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।