ଭୁବନେଶ୍ୱର (ଓଡ଼ିଶାଲାଇଭ୍‌ ବ୍ୟୁରୋ):

ଓଡ଼ିଶା ମନ୍ତ୍ରିମଣ୍ଡଳରେ ଅଦଳବଦଳ ଅବଶ୍ୟସମ୍ଭାବୀ। କିଏ ଯିବେ, କିଏ ଆସିଵେ ତାହାହିଁ ଵଡ଼ ଖବର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛିଦିନ ମଧ୍ୟରେ ଏନେଇ ଏକାଧିକ ବାର ସୂଚନା ଦେବା ପରେ ମନ୍ତ୍ରୀ ପରିଷଦର ପୁନର୍ଗଠନ ସମ୍ପର୍କରେ ଆଉ ଅନିଶ୍ଚିତତା ନାହିଁ। ବାସ୍ତବରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ପର୍କିତ ଚର୍ଚ୍ଚା ଜୋର ଧରିଆସିଛି, ଯଦିଓ ନବୀନ ବରାବର ଯୁକ୍ତି କରି ଆସିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ  ବିଜୁ ଜନତା ଦଳର ସେଭଳି କିଛି କ୍ଷତି ହୋ‍ଇନାହିଁ ଏବଂ ଦଳ ପୂର୍ବଭଳି ମଜଭୁତ ରହିଛି।

ନିକଟରେ ସେ ଏହି କଥାକୁ ପୁଣି ଥରେ ଦୋହରାଇଛନ୍ତି ଓ କହିଛନ୍ତି ଯେ ବିଜେପିକୁ ମୁକାବିଲା କରିବାପାଇଁ ତାଙ୍କ ଦଳର ଯଥେଷ୍ଟ ଶକ୍ତି ରହିଛି। “ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଇପାରେ ଯେ ବିଜେପିକୁ ଆମେ ଟକ୍କର ଦବୁ। ଆମର ଦଳ ଏକ ସୁଦୃଢ ଓ ଶୃଙ୍ଖଳିତ ଦଳ। ଅନେକ ମନ୍ତ୍ରୀ ଓ ବିଧାୟକ ମୋତେ ଭେଟି ନିଜଆଡୁ ସଂଗଠନକୁ ସୁଦୃଢ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି।” ବିଜେପିକୁ କିଭଳି ଆପଣ ମୁକାବିଲା କରିବେ ସାମ୍ବାଦିକମାନଙ୍କର ଏହି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏକଥା କହିଥିଲେ।

ଏଥିରୁ ଅନୁମାନ କରିହେବ ଯେ ମନ୍ତ୍ରୀପରିଷଦରେ ଯେଉଁମାନେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି, ସେମାନ ସ୍ୱ‌ଇଛାରେ ଓହରିବାକୁ ଚାହୁଁଛନ୍ତି ଓ ଦଳପାଇଁ କାମ କରିବାକୁ ଆଗ୍ରହୀ। ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଆଉ ଗୋଟିଏ କଥା ଜୋରଦାର ଆଲୋଚନା ହେଉଛି ଯେ ଯେଉଁସବୁ ଜିଲ୍ଲାରେ ଶାସକ ଦଳ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିନାହିଁ, ସେସବୁ ଜିଲ୍ଲାର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯିବା ନିଶ୍ଚିତ। ଏମାନଙ୍କ ସ୍ଥାନରେ ପୁରୁଖା ଓ ଅଧିକ ଦକ୍ଷ ବିଧାୟକଙ୍କୁ ମନ୍ତ୍ରୀ କରାଯିବାର ଆଲୋଚନା ମଧ୍ୟ ହୋ‍ଇଆସିଛି।

ଖାଲି ସେତିକି ନୁହେଁ, ଗତ ଦିବର୍ଷ ଭିତରେ ଯେଉଁ କେତେଜଣ ମନ୍ତ୍ରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଛି ଓ ଚିଟ୍‌ଫଣ୍ଡ ମାମଲାରେ ଯେଉଁମାନଙ୍କ ନାମ ଉଠିଛି, ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଆଲୋଚନା ହେଉଛି। ପୂର୍ବରୁ ଯେତେଥର ମନ୍ତ୍ରିମଣ୍ଡଳ ଅଦଳବଦଳ ହୋ‌ଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାକୁ ଅତି ଗୋପନୀୟତାର ସହ ସମ୍ପାଦନ କରିଛନ୍ତି। ତେଣୁ ଏଥର ମଧ୍ୟ ସେ ଆଗରୁ କୌଣସି ପ୍ରକାର ଇଙ୍ଗିତ ଦେବାକୁ ଚାହୁଁନାହାଁନ୍ତି, କେବଳ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ପୂର୍ବାଭାଷକୁ ଛାଡ଼ି।

ନବୀନ ତାଙ୍କ ମନ୍ତ୍ରିମଣ୍ଡଳକୁ କି ରୂପ ଦେବେ, ତାହା ଏଥର ମଧ୍ୟ କଳ୍ପନାର ବିଷୟ ହୋ‌ଇରହିଛି। କେଉଁମାନେ ମନ୍ତ୍ରୀ ପଦକୁ ବଜାୟ ରଖିବେ ଓ କେଉଁମାନଙ୍କୁ ନୂତନଭାବେ ମନ୍ତ୍ରୀ କରାଯିବ, ତାହାର ଅନୁମାନ କରିବା କଷ୍ଟ। ଏଥିପାଇଁ ପ୍ରକୃତ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ୩ ବର୍ଷ ତଳେ ନବୀନ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋ‌ଇଥିଲା ଓ ତା’ ପରଠାରୁ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ ହୋ‌ଇନାହିଁ। ମଝିରେ କେବଳ  ମାଲକାନଗିରି ଶିଶୁମୃତ୍ୟୁ ଘଟଣା ଓ ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡରେ ପରୋକ୍ଷଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଅତନୁ ସବ୍ୟସାଚୀ ନାୟକଙ୍କ ନାମ ଆସିବାରୁ ଇସ୍ତଫା ଦେବାପାଇଁ ତାଙ୍କୁ କୁହାଯାଇଥିଲା। ପରବର୍ତ୍ତୀ ଅଦଳବଦଳରେ ଅତନୁଙ୍କୁ ପୁଣି ମନ୍ତ୍ରୀ ପରିଷଦରେ ସାମିଲ୍‌ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ପଞ୍ଚାୟତ ନିର୍ବାଚନର ସଫଳତା ଓ ବିଫଳତାର କାରଣ ଖୋଜିବା ପାଇଁ ନବୀନ ଗତ କିଛି ଦିନ ଧରି ଯେଉଁ ଜିଲ୍ଲାୱାରି ସମୀକ୍ଷା କରିଆସୁଛନ୍ତି, ତାହା ବି ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ଖୋରାକ ଯୋଗାଇଥିବା ଆଶା କରାଯାଉଛି। ତେବେ ବର୍ତ୍ତମାନର ଅନେକ ମନ୍ତ୍ରୀଙ୍କୁ ବାଦ୍‍ ଦିଆଯାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି। ବିଶେଷକରି ଯେଉଁ ଯୁବମନ୍ତ୍ରୀମାନେ ଗତ କିଛି ମାସ ଧରି ବିଭିନ୍ନ ବିବାଦରେ ଫସିଛନ୍ତି, ସେମାନଙ୍କୁ ବାଦ୍‌ ଦିଆଯିବା ଏକରକମ ନିଶ୍ଚିତ।

ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ଆଞ୍ଚଳିକ ପ୍ରତିନିଧିତ୍ୱ, ଅଭିଜ୍ଞତା ଓ ନିର୍ମଳ ଭାବମୂର୍ତ୍ତି ଭଳି ଅନ୍ୟ ବହୁକଥା ମଧ୍ୟ ବିଚାରକୁ ଆସିବ।

Comment