ଦିଲ୍ଲୀରେ ରାହୁଲ, ଓଡିଶାରେ ନବୀନ କଷୁଛନ୍ତି ଅଙ୍କ

ପଞ୍ଚାୟତ ଭୋଟରେ ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସକୁ ବିଜେପି କଡା ଟକ୍କର ଦେଇଛି  । ଫଳରେ ୨୦୧୪ ନିର୍ବାଚନ ତୁଳନାରେ ପଞ୍ଚାୟତ ଭୋଟରେ ଉଭୟ ବିଜେଡି ଏବଂ କଂଗ୍ରେସର ଭୋଟ ପ୍ରତିଶତ ହ୍ରାସ ପାଇଛି  । କଂଗ୍ରେସ ୨୬ ପ୍ରତିଶତରୁ ୧୩ ପ୍ରତିଶତକୁ ଖସି ଆସିଥିବା ବେଳେ ବିଜେଡି ୪୩ ପ୍ରତିଶତରୁ ୩ ପ୍ରତିଶତ କମ୍‍ ଭୋଟ ପାଇଛି  । ଆଉ ୧୮ ପ୍ରତିଶତ ଭୋଟ ପାଇଥିବା ବିଜେପି ୩୬ ପ୍ରତିଶତ ଭୋଟ ପାଇଛି । ବିଜେପିର ଏଭଳି ଅଭିବୃଦ୍ଧି ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସ ଶିବିରରେ ଭୂକମ୍ପ ସୃଷ୍ଟି କରିଛି  । ବିଜେପିର ଗତିରୋଧ କରିବା ପାଇଁ ବିଜେଡି ଏବଂ କଂଗ୍ରେସ ନବକଳେବରକୁ ଆପଣାଇଛନ୍ତି  । ଶାସକ ବିଜେଡି ମନ୍ତିମଣ୍ଡଳରେ ବ୍ୟାପକ ଅଦଳବଦଳ କରୁଥିବା ବେଳେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ କରିବା ମୁଡରେ ରହିଛି । ବିଜେଡି ଓ କଂଗ୍ରେସର ଏହି ନବକଳେବର ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି  । ଏହି ଦୁଇ ଦଳକୁ ମୁକାବିଲା କରିବା ପାଇଁ ବିଜେପି କ’ଣ ନୂଆ ରଣନୀତି ଆପଣାଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଇତି ମଧ୍ୟରେ ୩ ବର୍ଷ ପୁରିବାକୁ ଯାଉଛି । ଏହି ସମୟ ଭିତରେ ରାଜ୍ୟରେ ଅନେକ ଘଟଣା ଦୁର୍ଘଟଣା ଘଟିଛି । ନବୀନଙ୍କ କ୍ୟାବିନେଟର ଅନେକ ଯୁବ ମନ୍ତ୍ରୀ ବିବାଦୀୟ ହୋଇପଡିବା ପରେ ଏମାନଙ୍କୁ ହଟାଇବା ପାଇଁ ଦଳ ଭିତରୁ ଏବଂ ବାହାରୁ ଚାପ ପଡୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଏଡାଇ ଆସୁଥିଲେ । ମାତ୍ର ଗତ ପଞ୍ଚାୟତ ଭୋଟ ବିଜେଡି ଶିବିରରେ ବଡ ଧରଣର ଭୂକମ୍ପ ସୃଷ୍ଟି କଲା । ଖାସ୍‌ ଏଇଥିପାଇଁ ନବୀନ ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜେପିକୁ ଚେକ୍‍ ଦେବା ଲାଗି ବିବାଦୀୟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ ନବୀନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଆସୁଥିଲେ । ବିଶେଷକରି ଯେଉଁ ମନ୍ତ୍ରୀମାନଙ୍କ ଜିଲ୍ଲାରେ ବିଜେଡି ବିଫଳ ହୋ‌ଇଥିଲା ସେମାନଙ୍କୁ ବିଦା କରିବା ପାଇଁ ନବୀନ ଏକ ପ୍ରକାରର ମନସ୍ଥିର କରିସାରିଥିଲେ। ଏହାର ନମୁନା ପ୍ରଥମେ ଶୁକ୍ରବାର ସନ୍ଧ୍ୟାରେ ଦେଖିବାକୁ ମିଳିଲା । ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ପରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିବାସରୁ ଜଣ ଜଣ କରି ୧୦ ଜଣ ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ। ଅବଶ୍ୟ, ଏହା ଅଚାନକ ନ ଥିଲା। ଯେଉଁ ମନ୍ତ୍ରୀମାନେ ଅଦଳବଦଳରେ ନିଜ ପଦ ହରାଇଛନ୍ତି ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ, ଦେବୀପ୍ରସାଦ ମିଶ୍ର, ଯୋଗେନ୍ଦ୍ର ବେହେରା। ମନ୍ତ୍ରିମଣ୍ଡଳକୁ ନବକଳେବର କରିବା ପରେ ନୂଆ ଜୋସ୍ ନେଇ ବିଜେଡି ଲୋକଙ୍କ ପାଖକୁ ଯିବ ବୋଲି କୁହାଯାଉଛି  ।

ଏପଟେ କଂଗ୍ରେସ ହାଇକମାଣ୍ଡ ମଧ୍ୟ ଓଡିଶା ସଙ୍ଗଠନ ଉପରେ ନଜର ଦେବା ଆରମ୍ଭ କରିଛି  । ପଞ୍ଚାୟତ ନିର୍ବାଚନର ଅଢେ଼ଇ ମାସ ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଦଳରେ ମାନସ ମନ୍ଥନ ଆରମ୍ଭ କରିଛନ୍ତି  । କାହାକୁ ପିସିସି ଗାଦିରେ ବସାଇଲେ ଦଳ ସୁଦୃଢ଼ ହେବ ତାକୁ ନେଇ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି  । ଗତ ୪ ତାରିଖରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଏବଂ ପ୍ରଦୀପ ମାଝିଙ୍କୁ ନୂଆଦିଲ୍ଲୀ ଡାକି ଓଡିଶା ସମ୍ପର୍କରେ ଆଲୋଚନା କରିଛନ୍ତି  । ଏଥିସହ ୮ ତାରିଖରେ ୨୦ ଜଣ କଂଗ୍ରେସ ନେତାଙ୍କୁ ରାହୁଲ ଦିଲ୍ଲୀ ଡାକିଛନ୍ତି  । ଓଡିଶାରେ ବିଜେପିର ଅଭିଯାନକୁ ରୋକିବା ପାଇଁ କ’ଣ କରିବା ଦରକାର ତାକୁ ନେଇ ଦିଲ୍ଲୀରେ ରାହୁଲ ଅଙ୍କ କଷୁଥିବା ଚର୍ଚ୍ଚା ହେଉଛି  ।

ବିଜେଡି ଏବଂ କଂଗ୍ରେସର ଏହି ନବକଳେବର ରାଜ୍ୟ ବିଜେପି ଶିବିରରେ ହଠାତ୍ ଭ୍ରକୁଞ୍ଚନ ସୃଷ୍ଟି କରିଛି  । ବୁଥ୍‍ ସ୍ତରରୁ ସଙ୍ଗଠନ ମଜଭୁତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍‍ ଶାହା ଜୁନରେ ଓଡିଶା ଗସ୍ତରେ ଆସୁଛନ୍ତି  । ଶହାଙ୍କ ଗସ୍ତ ପରେ ନବକଳେବର ମୁହାଁ ହୋଇଥିବା ବିଜେଡି ଓ କଂଗ୍ରେସକୁ  କାଉଣ୍ଟର କରିବା ପାଇଁ ବିଜେପି କି ରଣନୀତି ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା  ।

(ପ୍ରସ୍ତୁତି: ସରୋଜ)

Comment