-ଭାସ୍କର ପରିଚ୍ଛା

ଓଡ଼ିଶା ରାଜନୀତି କ୍ୟାଲେଣ୍ଡରରେ ମେ ମାସର ବିଶେଷ ଗୁରୁତ୍ୱ ରହିଛି। ୨୦୧୨ ମସିହା ମେ ୨୯ ତାରିଖରେ ପ୍ୟାରୀମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଯେଉଁ ଷଡଯନ୍ତ୍ର ରଚନା କରିଥିଲେ ତାହା ସମସ୍ତଙ୍କର ସ୍ମରଣରେ ଥିବ। ଏବେ ପୁଣି ସେହି ମେ ମାସରେ ହିଁ ଓଡ଼ିଶା ରାଜନୀତିରେ ବଡ଼ଧରଣର ଉଦ୍‌ବେଳନ ଦେଖାଦେଇଛି।

ଏହି ଉଦ୍‌ବେଳନରେ ରାଜ୍ୟର ୩ଟି ପ୍ରମୁଖ ଦଳ ସାମିଲ୍‌ ହୋଇଛନ୍ତି। ଫେବୃଆରୀ ମାସରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଯାହା ହେଲା ତା’ ପରଠାରୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ମଳୟ ବହିବା ଆରମ୍ଭ କରିଛି। ବିଜେଡି, ବିଜେପି ଓ କଂଗ୍ରେସ ତିନୋଟିଯାକ ଦଳ ଭିତରେ ଏବେ ଯେଉଁ ରୋମନ୍ଥନ ଚାଲିଛି ତାହା ଶେଷରେ କେଉଁଠି ପହଞ୍ଚିବ ସେ କଥା କହିବା କଷ୍ଟ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ବର୍ତ୍ତମାନଠାରୁ ୨୦୧୯ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶାର ରାଜନୀତି ଆଉ ନିଷ୍ପ୍ରଭ ହୋଇରହିବ ନାହିଁ।

ଅବଶ୍ୟ, ବିଜେପି “ଓଡ଼ିଶା ଦଖଲ” ଅଭିଯାନ ଆରମ୍ଭ କରିଥିଲା କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ। ତେବେ ଏପ୍ରିଲ୍ ମାସରେ ଭୁବନେଶ୍ୱରରେ ବିଜେପିର ଯେଉଁ ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଲା ତା’ ପରଠାରୁ ହିଁ ଦଳ ତା’ର ଅଭିଯାନକୁ ଅଧିକ ଶାଣିତ କରିଛି। ଏହା ପରଠାରୁ ହିଁ ବିଜେପିର ‘ପୂର୍ବକୁ ଦେଖ’ ରାଜନୀତି ଜୋର ଧରିଛି। ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଯେଉଁ ସଫଳତା ମିଳିଲା ତାହା ଦଳ ପାଇଁ ଏକ ବଡ଼ ଆଶୀର୍ବାଦ ହୋଇଛି ଏବଂ କର୍ମୀମାନଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ରକମ ନିଶ୍ଚିତ ଯେ ୨୦୧୯ ନିର୍ବାଚନରେ ବିଜେପି କିଛି ନା କିଛି କରି ଦେଖେଇବ।

ଭୁବନେଶ୍ୱରରେ ମୋଦିଙ୍କ ରୋଡ୍ ସୋ ଏବଂ ଦଳର ସଭାପତି ଅମିତ୍ ଶାହାଙ୍କ ରଣନୀତି ଯେ ଅନ୍ୟ ଦଳମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ଏହା କହିବା ଅନାବଶ୍ୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ବିଜେପି ଯେଉଁ ବୁଥ୍ ୱାରୀ ରଣନୀତି ପ୍ରସ୍ତୁତ କରିଛି ଦଳ ପାଇଁ ବେଶ ଫାଇଦା ଆଣିବ ଏହା ଅନୁମାନ କରାଯାଉଛି। ଉତ୍ତର ପ୍ରଦେଶ ନିର୍ବାଚନରେ ଏହିଭଳି ନିର୍ଭୁଲ ରଣନୀତି ଯୋଗୁଁ ହିଁ ବିଜେପି ସେଠାରେ ସରକାର ଗଠନ କରିପାରିଲା।

ବିଜେପିର ଓଡ଼ିଶା ଦଖଲ ଅଭିଯାନ ପରେ ଶାସକ ବିଜେଡି କଣ ଆଉ ଚୁପ ହୋଇ ବସିପାରିଥାନ୍ତା? ଏହାର ଉତ୍ତର ହେଉଛି ଶୁକ୍ରବାରଠାରୁ ଦଳରେ ଆରମ୍ଭ ହୋଇଥିବା ଅଦଳବଦଳ ପ୍ରକ୍ରିୟା। ଦଳକୁ, ସରକାରକୁ ଓ ଲୋକଙ୍କର ଦୃଷ୍ଟିକୋଣକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି ତାହା କେତେ ଦୂର ଦଳର ପୂର୍ବ ଗୌରବ ଓ ପ୍ରତିଷ୍ଠାକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ତାହା କହିବା କଷ୍ଟ। କାରଣ ଇତିମଧ୍ୟରେ ବିଜେଡି ମୁଖ୍ୟତଃ ବିଜେପିକୁ ବହୁ ଜାଗା ଛାଡ଼ି ସାରିଛି। ସତ କଥା ହେଉଛି ଏହିସବୁ ଅଦଳବଦଳ ଓ ସାଙ୍ଗଠନିକ ପ୍ରକ୍ରିୟା ବହୁ ଆଗରୁ ହେବାର ଥିଲା।

ନିର୍ବାଚନ ଆଉ ମାତ୍ର ୨ ବର୍ଷରୁ କମ୍ ସମୟ ଥିବା କାରଣରୁ ଏହି ନବକଳେବର କେତେଦୂର ଦଳକୁ ସୁଦୃଢ଼ କରିବ ତାହା କହିବା କଷ୍ଟ। ବିଜେଡି ରାଜନୀତିରେ ଏବେ କେବଳ ଥକାପଣ ଲକ୍ଷ୍ୟ କରାଯାଉଛି ଏବଂ ଏହା ଆଗାମୀ ଦିନରେ ଆହୁରି ଅଧିକ ଶୀତଳ ହେବାର ସମ୍ଭାବନା ରହିଛି।

ଗତ କିଛି ଦିନ ଧରି ଶାସକ ବିଜେଡ଼ିରେ ଯେଉଁସବୁ କଥା କଟାକଟି, ଟୁଇଟର ଯୁଦ୍ଧ ଓ ନେତାଙ୍କ ବିବୃତି-ପ୍ରତିବିବୃତି ଚାଲିଆସିଛି ତାହା ଦଳ ପାଇଁ ଢ଼େର କ୍ଷତି ପହଞ୍ଚାଇଛି। ଏସବୁକୁ ରୋକିବାରେ ନବୀନ ପଟ୍ଟନାୟକ ଏକରକମ ଅସମର୍ଥ ହୋଇପଡ଼ିଥିଲେ। ମନ୍ତ୍ରୀ ପରିଷଦ ଓ ଦଳରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ବିଜୟ ବୈଜୟନ୍ତୀ ଉଡ଼ାଇବାରେ ବିଜେଡିକୁ କେତେମାତ୍ରାରେ ସାହାଯ୍ୟ କରିବ ତାହା ଅନୁମାନ ସାପେକ୍ଷ।

ଏବେ ରହିଲା କଂଗ୍ରେସ। ଗତ ତିନି ବର୍ଷ ଧରି କଂଗ୍ରେସ ଓଡ଼ିଶାରେ ତା’ର ପ୍ରଭାବ ବରାବର ହରାଇ ଆସିଛି। ପରିସ୍ଥିତି ଏଭଳି ହୋଇଛି ଯେ ତୃଣମୂଳ ସ୍ତରରେ ଦଳର ଆଉ କୌଣସି ସଂଗଠନ ନାହିଁ ଏବଂ କର୍ମୀମାନେ ଏଘର ସେଘର ହୋଇସାରିଲେଣି। ପଞ୍ଚାୟତ ନିର୍ବାଚନ ପରେ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ମର୍ଯ୍ୟାଦା ବିଜେପିକୁ ଚାଲିଯିବା ପରେ ଏବଂ ଦଳକୁ ଅଧିକ କ୍ଷତିରୁ ରକ୍ଷା କରିବା ପାଇଁ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଏବେ ଅବଶ୍ୟ, ଉଦ୍ୟମ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ପିସିସି ମୁଖ୍ୟ ପରିବର୍ତ୍ତନ ଦଳ ପାଇଁ ଏକ ବଡ଼ କଷଟିପଥର ସଦୃଶ ହେବ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କାହାକୁ ପିସିସି ସଭାପତି କରାଯିବ ତାହାରି ଉପରେ ନିର୍ଭର କରିବ ଦଳର ଭବିଷ୍ୟତ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୦୧୭ ଗ୍ରୀଷ୍ମରେ ଓଡ଼ିଶାର ରାଜନୀତି ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ରେ ଆସି ପହଞ୍ଚିଛି। ମୋଦି ହାୱାର ଫାଇଦା ନେବା ପାଇଁ ବିଜେପି ଓ ଏହାକୁ ରୋକିବା ପାଇଁ ବିଜେଡି ଓ କଂଗ୍ରେସ ଯେଭଳି ଲାଗିପଡ଼ିଛନ୍ତି ସେଥିରେ କାହାର ଜିତାପଟ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)

Comment