(ସ୍ୱତନ୍ତ୍ର ପ୍ରତିନିଧି)

ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଅଦଳବଦଳ କରିଛନ୍ତି ତାହା ଦଳ ଭିତରେ ଅସନ୍ତୋଷକୁ ରୋକିବା ପରିବର୍ତ୍ତେ ବଢ଼ାଇବାରେ ଲାଗିଛି। ଦଳର କିଛି ସାଂସଦ ଓ ବିଧାୟକ ଏ ନେଇ ବିବୃତି ଜାରି ରଖିଥିବା ବେଳେ ଇତିମଧ୍ୟରେ କିଛି ନେତା ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବିଜେଡି ଅଧିକ ସମସ୍ୟା ଭିତରେ ପଡ଼ିଯିବ ନାହିଁ ତ?

୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ମେ ୭ ତାରିଖର ଅଦଳବଦଳ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ଥିଲା। ଏହି ଅଦଳବଦଳ ପଛରେ ଉଦ୍ଦେଶ୍ୟ କଣ ଥିଲା, ଏହା ପଛରେ କାହାର ମୁଣ୍ଡ ଓ ହାତ କାମ କରୁଥିଲା ଏଭଳି ଅନେକ ପ୍ରଶ୍ନ ଏବେବି ପଚରାଯାଉଛି। ୧୦ ମନ୍ତ୍ରୀଙ୍କୁ ବାହାର କରିବା ଓ ୧୧ ମନ୍ତ୍ରୀଙ୍କୁ ନିଆଯିବା ପଛରେ କି ପ୍ରକାର ମନସ୍ତତ୍ୱ ରହିଛି ତା’ର ନିରୀକ୍ଷଣ ପାଇଁ ବେଶ କିଛି ଉଦ୍ୟମ କରାଯାଇଥିଲେ ମଧ୍ୟ ଏହାର କୌଣସି ସନ୍ତୋଷଜନକ ଉତ୍ତର ପାଇବା ସମ୍ଭବ ହୋଇନାହିଁ।

ଏହି ଅବଦବଦଳରେ ଅନ୍ୟ କିଛି ଥାଉକି ନା ଗୋଟିଏ ବଡ଼ କଥା ହେଉଛି ଯେ ଯୁବଗୋଷ୍ଠୀଙ୍କ ପ୍ରଭାବକୁ ସମ୍ପୂର୍ଣ୍ଣ ଭାବରେ ଛେଦନ କରାଯାଇଛି। ଏହି ମନ୍ତ୍ରୀମାନେ ଗତ ୩ ବର୍ଷ ଭିତରେ ଖୁବ୍ ପ୍ରଭାବଶାଳୀ ହୋଇପଡ଼ିଥିଲେ ଏବଂ ସେମାନଙ୍କୁ ଠିକଣା ବାଟକୁ ଅଣାଯିବା ଦରକାର ବୋଲି ନବୀନଙ୍କୁ କେହି ନିଶ୍ଚିତରେ ବୁଝାଇଥିବେ।

ତେବେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମନ୍ତ୍ରୀମାନଙ୍କର ବ୍ୟକ୍ତିଗତ କ୍ଷତି ଯାହା ହେଉନା କାହିଁକି ନା ଏଥିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଓ ଦଳର ପ୍ରଭୂତ କ୍ଷତି ହୋଇଛି ବୋଲି ଏକ ଆକଳନ କରାଯାଉଛି। ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବୋଧ ହୁଏ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ ଆଉ ଦଳ ଭିତରେ କାମ କରୁନାହିଁ ଏବଂ ଯିଏ ଯାହା ପାରିଲା ନିଜ ଢ଼ଙ୍ଗରେ ଦଳକୁ ଓ ନେତୃତ୍ୱକୁ ସମାଲୋଚନା କରୁଛି। ଆଗରୁ ଯେଉଁଭଳି ମୁଖ୍ୟଙ୍କ ଆଜ୍ଞା ଶିରୋଧାର୍ଯ୍ୟ ବୋଲି ମନେ କରାଯାଉଥିଲା ଏବେ ତାହା ଆଉ ନାହିଁ। ଦଳ ଉପରେ ଓ ନେତୃତ୍ୱ ଉପରେ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ପାଇଁ ନିଜେ ମୁଖ୍ୟ ଯେତେବେଳେ ଅସମର୍ଥ ଅନ୍ୟମାନେ ବା ସେଥିରେ କ’ଣ କରିପାରିବେ?

ସବୁଠାରୁ ବଡ଼ କଥା ହେଉଛି ବିଜେଡି ଏବେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେଉଛି ଏବଂ ଦଳ ଭିତରେ ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ଦେଖାଦେଇଛି ତାହାକୁ କିଭଳି ଶେଷ କରାଯାଇପାରିବ ମୁଖ୍ୟମନ୍ତ୍ରୀ ନିଜେ ତା’ର ବାଟ ପାଉନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଅବଶ୍ୟ କହିଛନ୍ତି ଯେ ବିଜେପିର ଯେ କୌଣସି ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ବିଜେଡି ପ୍ରସ୍ତୁତ। କିନ୍ତୁ କେଉଁଠି ନା କେଉଁଠି ଏକ ପ୍ରକାର ଅସହାୟତା ଆଖିରେ ପଡ଼ୁଛି।

ଯେଉଁ ମନ୍ତ୍ରୀମାନେ ଇସ୍ତଫା ଦେଲେ ସେମାନେ ସ୍ୱଇଛାରେ ଇସ୍ତଫା ଦେଇଛନ୍ତି ଏବଂ ଦଳ ଓ ସଂଗଠନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ କହିଲେ ଏଥିରୁ କେବଳ ଅସହାୟତାର ସୂଚନା ହିଁ ମିଳିଲା। ସେହିଭଳି ମନ୍ତ୍ରିମଣ୍ଡଳରେ ଯେଉଁଭଳି ପୁରୁଣା ମୁହଁକୁ ପୁଣି ଅଣାଗଲା ସେଥିରେ ମୁଖ୍ୟଙ୍କର ଅସହାୟତାବୋଧ ସ୍ପଷ୍ଟ। ଅତୀତରେ ଯେଉଁମାନଙ୍କୁ ବିଭିନ୍ନ କାରଣ ପାଇଁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଥିଲା ସେମାନଙ୍କୁ ପୁଣି ମନ୍ତ୍ରୀ କରାଯିବା ପଛରେ ଥିବା କାରଣକୁ ରାଜନୈତିକ ପଣ୍ଡିତମାନେ ବି ଖୋଜି ବାହାର କରିପାରୁନାହାନ୍ତି। ଯାହା କୁହାଯାଉଛି ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ମନ୍ତ୍ରିମଣ୍ଡଳର ଅଦଳବଦଳ କରାଗଲା ସେହି ଯୁକ୍ତିକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

ଦଳ ଓ ସରକାର ପୁନର୍ଗଠନକୁ ନବୀନ ଏପର୍ଯ୍ୟନ୍ତ ଏଡ଼ାଇ ଆସୁଥିଲେ କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ଏହା ଦ୍ବାରା ଦଳ ଭିତରେ ଅସନ୍ତୋଷ ବଢ଼ିବ। ତା’ ଛଡ଼ା ଦଳରେ ଯେଉଁ ସନ୍ତୁଳନ ରହିଛି ତାହା ବିଗିଡିବ। ଯାହା ଦେଖାଯାଉଛି ଆଗାମୀ ଦିନରେ ଅସନ୍ତୋଷ ଅଧିକ ତୀବ୍ର ହେବ। ମନ୍ତ୍ରିମଣ୍ଡଳ ଏବଂ ଦଳ ଭିତରେ ଯେଉଁ ପରିବର୍ତ୍ତନ ହେଲା ସେଥିରେ ଶତ୍ରୁ ନିପାତ ହେବେ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା କେତେ ଦୂର ସମ୍ଭବ ତାହା ଆଗାମୀ ଦିନରେ ପ୍ରମାଣିତ ହେବ।

Comment