ରୁଦ୍ର ପ୍ରସନ୍ନ ରଥ

ଆଜି ପରିସ୍ଥିତି ଏପରି ହୋଇଛି ଯେ ଘରେ ବା କର୍ମ କ୍ଷେତ୍ରରେ ହିଂସା କିମ୍ବା ଯୌନଗତ ବ୍ୟଭୀଚାର ଶିକାର ହେଲେ ମଧ୍ୟ ଜଣେ ମହିଳା ଏ ବିଷୟରେ କାହାରିକୁ କହିବା ପୂର୍ବରୁ ଶହେ ଥର ଚିନ୍ତା କରୁଛି । ମନଖୋଲି କହିଲେ ଆଗକୁ ଅବସ୍ଥା କ’ଣ ହେବ ଏହା ତାକୁ ଯେତେ ବ୍ୟସ୍ତ କରୁନାହିଁ ବରଂ ତା’ର ସୁନାନାକୀ ଝିଅର ଇମେଜ କେତେ ପ୍ରଭାବିତ ହୋଇପଡିବ ତାକୁ ନେଇ ସେ ଚିନ୍ତିତ ହୋଇପଡୁଛି । ଫଳରେ ନିଜର ସ୍ୱରକୁ ଶାଣିତ କରି ପ୍ରତିବାଦ କରିବା ଆଗରୁ ତା’ର ଅନ୍ତଃସ୍ୱର ଏକପ୍ରକାର ନିରବୀ ଯାଉଛି।

ମଣିଷ କଥା କହିପାରୁଥିବାରୁ ସେ ଜୀବଜଗତର ଅନ୍ୟ ପ୍ରାଣୀମାନଙ୍କଠାରୁ ଭିନ୍ନ । ମଣିଷ ଯେ କେବଳ କଥା କହିପାରେ ତାହା ନୁହେଁ ବରଂ ସେ କଥା ଦ୍ୱାରା ଅନ୍ୟମାନଙ୍କ ସହ ଏକ ଭାବଗତ ସଂପର୍କ ତିଆରି କରେ ଆଉ ସହଜରେ ନିଜକୁ ଅନ୍ୟ ଆଗରେ ପ୍ରକାଶ କରିପାରେ । ମୋଟ ଉପରେ ମଣିଷ ପାଇଁ କଥା ହିଁ ସବୁକିଛି । ପୁଣି କଥା କହିବା ପାଇଁ ଯେ ସ୍ୱରର ଆବଶ୍ୟକତା ଅଛି ତାହା ଆମେ ସମସ୍ତେ ଜାଣିଛେ । ମାତ୍ର ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ଥିବା ଲିଙ୍ଗଭେଦରେ ଏକଥା କହିବା ପାଇଁ ଆବଶ୍ୟକ ହେଉଥିବା ସ୍ୱରର ସ୍ୱରୁପ ରାଜନୈତିକ, ସାମାଜିକ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଭିନ୍ନ ଭିନ୍ନ ହୋଇଥାଏ ।
ପୁରୁଷ ଏବଂ ମହିଳା ଗୋଟିଏ ସମୟରେ ଏକାସାଥିରେ ସମାଜରେ ବଂଚୁଥିଲେ ମଧ୍ୟ ମହିଳାଙ୍କ ସ୍ୱରର ସ୍ୱରୁପ ଅନେକାଂଶରେ ପୁରୁଷମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ପୁରୁଷପ୍ରଧାନ ସମାଜରେ ପୁରୁଷମାନଙ୍କର ଶାସନ କରିବାର ମାନସିକତା ଯୋଗୁଁ ଛୋଟବେଳୁ ହିଁ ଝିଅମାନଙ୍କୁ ନାନାବିଧ ଆକଟ କରାଯାଇଥାଏ । ଏମିତି ହସିବା ମନା, ସେମିତି କାଶିବା ମନାର ଆକଟ ଭିତରେ ଝିଅଟି ନିଜକୁ ଅସହାୟ ଭାବେ ବଢାଇ ଚାଲିଥାଏ । ଫଳରେ ପରିସ୍ଥିତି ଏପରି ହୁଏ ଯେ ସେ ଝିଅଟି ବଡ ହେଲା ପରେ ସେ ଯଦିଓ କଥା କହୁଥାଏ ତେବେ ସେ ଧିରେ ଧିରେ ପ୍ରତିବାଦ କରିବାର ସାମର୍ଥ୍ୟ ହରାଇବସେ । ତା’ ସ୍ୱର ପ୍ରତିବାଦବିହୀନ ହୋଇପଡେ । ହୁଏତ ସେ ଜାଣିଥାଏ ଯେ ତା’ପ୍ରତି ପକ୍ଷପାତିପୂର୍ଣ୍ଣ ବ୍ୟବହାର କରାଯାଉଛି ତଥାପି କାଳେ କିଏ କ’ଣ ଭାବିବ ସେଥିପାଇଁ ସେ ଚୁପ ରହିବାକୁ ପସନ୍ଦ କରେ। କାରଣ ପିତୃପ୍ରଧାନ ସମାଜରେ ଅନ୍ୟାୟ ବିରୋଧରେ ସଂଗ୍ରାମ କରିବା ଅପେକ୍ଷା ଚୁପ ରହୁଥିବା ମହିଳାମାନଙ୍କୁ ସୁନାନାକୀ ଝିଅର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ ।
ସମାଜରେ ମହିଳାମାନଙ୍କର ସ୍ୱରକୁ ଚାପିଦେବାର ଅଭ୍ୟାସ ପୁରୁଷମାନଙ୍କ ମଧ୍ୟରେ ଏତେ ଉତ୍କଟ ଏବଂ ତୀବ୍ର ଯେ ସର୍ବସାଧାରଣ ସ୍ଥାନରେ ବଡପାଟିରେ କଥା କହୁଥିବା ବା ହସୁଥିବା ମହିଳାମାନଙ୍କୁ ଆମେ ଅନ୍ୟ ଗ୍ରହରୁ ଆସିଥିବାର ଭାବି ଆମେ ବୁଲି ବୁଲି ଚାହିଁଥାଉ । ଆଉ କେତେବେଳେ ଆମେ ଏମାନଙ୍କୁ ରଣଚଣ୍ଡୀ ବା ଅଣ୍ଡିରୀଚଣ୍ଡୀର ମାନ୍ୟତା ଦେଉ । ଅନେକ ସମୟରେ ଏମାନଙ୍କ ଚରିତ୍ରକୁ ନେଇ କୁତ୍ସାରଟନା କରୁ। ମାତ୍ର ସତକଥା କହିବାକୁ ଗଲେ ସମାଜ ଅଣ୍ଡିରୀଚଣ୍ଡୀମାନଙ୍କୁ ହୁଏତ ଭଲ ନପାଇପାରେ ମାତ୍ର ସବୁବେଳେ ଅଣ୍ଡିରୀଚଣ୍ଡୀମାନଙ୍କୁ ଭୟ କରିଥାଏ ।  ଯଦି ସ୍ୱରକୁ ନିୟନ୍ତ୍ରଣକୁ ଆଣି ସେ ଝିଅଟି ଆଗକୁ ଆସି ନିଜର ନାମକୁ ପ୍ରତିଷ୍ଠିତ କରାଇପାରେ, ତେବେ ତା’ ସଫଳତାର ଶ୍ରେୟ ନେବାକୁ ପୁରୁଷ ଆଗକୁ ମାଡି ଚାଲିଆସେ ।
ଏ ପୃଥିବୀର ସାମାଜିକ ଏବଂ ରାଜନୈତିକ ଦୃଶ୍ୟପଟ୍ଟକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହେବ ଯେ ସମାଜର ବିଭିନ୍ନ କ୍ଷେତ୍ରକୁ ମହିଳାମାନେ ବିଭିନ୍ନ ରୂପେ ଯୋଗଦାନ ଦେଇଛନ୍ତି। ମାତ୍ର ଏକଥା ବି ସତ ଯେ ସେ ସମୟର ବିଧି ବ୍ୟବସ୍ଥା ମଧ୍ୟ ସେତେବେଳର ଏହି ମହିୟସୀ ମହିଳାମାନଙ୍କ ସ୍ୱରକୁ ଦବାଇବାର ପ୍ରଚ୍ଛନ୍ନ ପ୍ରଚେଷ୍ଟା କରିଥିଲା । ସରୋଜିନୀ ନାଇଡୁ, ଆନିବେଶାନ୍ତ, ହେଲେନ କେଲର, ରାଣୀ ଲକ୍ଷ୍ନୀବାଈ ସମସ୍ତଙ୍କୁ ସମାଜ ପ୍ରଥମେ ହତାଦର କରିଛି । ଆଉ ଏବେ ମଧ୍ୟ ଆମେ ଆମ ନିଜ ଘରେ ସୁନାନାକୀ ଝିଅମାନଙ୍କୁ ତିଆରି କରିବାରେ ଲାଗିଛେ। ସତରେ କ’ଣ ଏହି ସୁନାନାକୀ ଝିଅମାନେ ଆସନ୍ତାକାଲିର ଆଦର୍ଶ ନା ସାଂସ୍କୃତିକ ବିବର୍ତ୍ତନବାଦ ପ୍ରକ୍ରିୟାରେ ଏମାନେ ଜଣେ ଜଣେ ମାଟିପିଣ୍ଡୁଳା ରୂପେ ତିଆରି ହେଉଛନ୍ତି ଯେଉଁମାନଙ୍କର ଅନ୍ୟାୟକୁ ପ୍ରତିରୋଧ କରିବାର ସମାନ୍ୟତମ ସାହସ ନାହିଁ । ସେ କେବଳ ସଂକୁଚିତ ଆତ୍ମବିଶ୍ୱାସ ନେଇ ପର୍ଯ୍ୟାୟକ୍ରମେ ନିଜକୁ ଦୁର୍ବଳ ଓ ସଂକାକୁଳ କରିଚାଲିଛି ।
ଆଜି ପରିସ୍ଥିତି ଏପରି ହୋଇଛି ଯେ ଘରେ ବା କର୍ମ କ୍ଷେତ୍ରରେ ହିଂସା କିମ୍ବା ଯୌନଗତ ବ୍ୟଭୀଚାର ଶିକାର ହେଲେ ମଧ୍ୟ ଜଣେ ମହିଳା ଏ ବିଷୟରେ କାହାରିକୁ କହିବା ପୂର୍ବରୁ ଶହେ ଥର ଚିନ୍ତା କରୁଛି । ମନଖୋଲି କହିଲେ ଆଗକୁ ଅବସ୍ଥା କ’ଣ ହେବ ଏହା ତାକୁ ଯେତେ ବ୍ୟସ୍ତ କରୁନାହିଁ ବରଂ ତା’ର ସୁନାନାକୀ ଝିଅର ଇମେଜ କେତେ ପ୍ରଭାବିତ ହୋଇପଡିବ ତାକୁ ନେଇ ସେ ଚିନ୍ତିତ ହୋଇପଡୁଛି । ଫଳରେ ନିଜର ସ୍ୱରକୁ ଶାଣିତ କରି ପ୍ରତିବାଦ କରିବା ଆଗରୁ ତା’ର ଅନ୍ତଃସ୍ୱର ଏକପ୍ରକାର ନିରବୀ ଯାଉଛି। ଯଦିଓ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ଆମ ଦେଶ ଏବଂ ରାଜ୍ୟରେ ଅନେକ କାନୁନ ପ୍ରଭାବଶାଳୀ ଢଙ୍ଗରେ କାମ କରୁଛି ତେବେ ବିଭିନ୍ନ କାନୁନ ଋଢିବାଦୀ ସମାଜର ପରମ୍ପରା ଏବଂ ପ୍ରଚଳିତ ସଂସ୍କୃତିକୁ ଭେଦକରି ମହିଳାଙ୍କ ସ୍ୱରକୁ ପ୍ରୋତ୍ସାହିତ କରିପାରୁନାହିଁ । ମହିଳାଙ୍କ ସ୍ୱର ଘରର ରୋଷେଇଶାଳକୁ ଡେଇଁ ବାହାରକୁ ଆସି ପାରୁନାହିଁ। ଯଦି ସମାଜରେ ବଡପାଟିରେ କଥା କହୁଥିବା ମହିଳାମାନଙ୍କୁ ଆମେ ମାନସିକ ସ୍ତରରେ ଗ୍ରହଣ କରିବାର କ୍ଷମତା ରଖୁନାହେଁ ତେବେ ଆମର ସ୍ତରକୁ କେତେ ଉପରକୁ ଉଠାଇବାକୁ ପଡିବ ତାହା ଖୁବ ସହଜରେ ବୁଝାପଡୁଛି।
ବୋଧହୁଏ ଏବେ ସମୟ ଆସିଛି, ଛୋଟବେଳୁ ଝିଅମାନଙ୍କୁ ଠିକ ଭୁଲର ଶିକ୍ଷାଦେଇ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ସେମାନଙ୍କୁ ପ୍ରେରଣା ଦେବାର । ଆମ ଝିଅର ସ୍ୱରକୁ କବି ବା ଗାୟିକାଙ୍କ ପରି ସୁରିଲା କରିବାକୁ ଆମେ ଯେତେ ବିବ୍ରତ ହୋଇପଡୁଛେ, ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ସ୍ୱରକୁ ଶାଣିତ କରିବା ପାଇଁ ମଧ୍ୟ ଆମେ ଚେଷ୍ଟା କରିବା ଉଚିତ । ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ବଡ ପାଟିରେ ଚିତ୍କାର କଲେ ଯଦି କେହି ଜଣକୁ ରଣଚଣ୍ଡୀ କିମ୍ବା ଅଣ୍ଡିରୀଚଣ୍ଡୀର ଆଖ୍ୟା ଦେଉଛି ତେବେ ଆମେ ବାପା, ଭାଇ, ସ୍ୱାମୀ କିମ୍ବା ବନ୍ଧୁ ହିସାବରେ ସେଥିରେ ବିଚଳିତ କିମ୍ବା ବିବ୍ରତ ନହୋଇ ବରଂ ଏଥିପାଇଁ ସଂପୃକ୍ତ ମହିଳାଙ୍କୁ ସମର୍ଥନ କରିବା କରିବା ଉଚିତ । ହୁଏତ ପ୍ରତିବାଦ କରୁଥିବା ମହିଳାଙ୍କ ସ୍ୱର ଆମକୁ କର୍କଶ ଶୁଭିପାରେ କିମ୍ବା ଅସ୍ୱାଭାବିକ ଲାଗିପାରେ ମାତ୍ର ସ୍ୱାଭିମାନ ଓ ଅଧିକାରର ସହ ବଂଚିବାକୁ ଯେ ଏହି ସ୍ୱର ନିହାତି ଆବଶ୍ୟକ ତାହା କ’ଣ ଆପଣମାନେ ଅସ୍ୱୀକାର କରିବେ?
(ଲେଖକ ଜଣେ ସ୍ତମ୍ଭକାର, ସମସାମୟିକ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆଗ୍ରହକୁ ନଜରରେ ରଖି ସେ ଅଭିମତ ଓ ଫିଚର ଲେଖନ୍ତି। ବର୍ତ୍ତମାନ ସେ ୟୁନିସେଫ୍‍ର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।)
Tags: Rudra Prasanna Rath, UNICEF, Women, Rights of Women, Women Violence, Women Rights, Women in Society, Modern Women, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

  1. Thanks a lot for this article. It’s so well timed and concerns are very well articulated. I only wish, if more men were of this views and were having this clarity of thought ! Thank you.

LEAVE A REPLY

Please enter your comment!
Please enter your name here