• କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ସହ ବିଶେଷ ସାକ୍ଷାତକାର

କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଦାୟିତ୍ୱ ପାଇ ଆପଣ କେତେ ଖୁସି ଏବଂ ଯୁବକଙ୍କ ପାଇଁ ଲକ୍ଷ୍ୟ କ’ଣ ?

ମନ୍ତ୍ରିମଣ୍ଡଳରେ ମୋତେ ସୁଯୋଗ ଦେଇଥିବାରୁ ମୁଁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ସେ ମୋତେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହାକୁ ସୁଚାରୁରୂପେ ତୁଲାଇବା ପାଇଁ ଚେଷ୍ଟା କରିବି। ମୁଖ୍ୟତଃ ଯୁବକଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଆଉ ଯୁବକମାନଙ୍କୁ ବିଜେଡି ହିଁ କେବଳ ଅଗ୍ରାଧିକାର ଦେଇ ଆସିଛି। ଯୁବକଙ୍କ ପାଇଁ ଆମ ସରକାର ବହୁ କିଛି କରିବାର ଯୋଜନା ରଖିଛନ୍ତି।

କଟକ ଜିଲ୍ଲାର ବରିଷ୍ଠ ନେତାଙ୍କୁ ପଛରେ ପକାଇ ମନ୍ତ୍ରୀ ହେବା ପଛର ରହସ୍ୟ କ’ଣ ?

ଏଥିରେ ରହସ୍ୟ କିଛି ନାହିଁ। ଜିଲ୍ଲାର ବରିଷ୍ଠ ନେତାଙ୍କୁ ପଛରେ ପକାଇ ମୁଁ ମନ୍ତ୍ରୀ ହୋଇନାହିଁ। ସେମାନଙ୍କ ଆଶୀର୍ବାଦ ଯୋଗୁ ମୁଁ ମନ୍ତ୍ରୀ ହେବାର ସୁଯୋଗ ପାଇଛି। କଟକ ଜିଲ୍ଲାରେ ବହୁ ବରିଷ୍ଠ ନେତା ଅଛନ୍ତି। ସେମାନଙ୍କଠାରୁ ମୁଁ ରାଜନୀତି ଶିଖିଛି। ଆଉ ଏବେ ବି ଶିଖୁଛି।

କଟକ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ସଙ୍ଗଠନ ଉପରେ ପ୍ରଭାବ ପକାଇବ କି ?

ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଯେଉଁ ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି ତାହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଉଭୟ କେବେ ସିଧାସଳଖ ମୁହାଁମୁହିଁ ହୋଇଥିବା କେହି ଦେଖି ନାହାନ୍ତି। ସଙ୍ଗଠନ ତା’ ବାଟରେ ଚାଲିଛି। ଆଗାମୀ ଦିନରେ ଏହାର ପ୍ରଭାବ ସଙ୍ଗଠନ ଉପରେ ପଡିବ ନାହିଁ। କାରଣ ସମସ୍ତେ ବିଜୁ ଜନତା ଦଳ ପାଇଁ କାମ କରୁଛନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ସମସ୍ତଙ୍କ ନେତା।

କଟକ-ସଦରରେ ସାଂସଦଙ୍କର ଏକ ସମାନ୍ତରାଳ ଗୋଷ୍ଠୀ ରହିଛି କି ?

ରାଜନୀତିରେ ସମସ୍ତଙ୍କର କିଛି ନା କିଛି ଅନ୍ତରଙ୍ଗ ସମର୍ଥକ ଥା’ନ୍ତି। କଟକ ସାଂସଦ ୫ ଥର ନିର୍ବାଚିତ ହେଲେଣି। ଏଣୁ ଜିଲ୍ଲାରେ ତାଙ୍କର କିଛି ସମର୍ଥକ ଏବଂ ଶୁଭେଚ୍ଛୁ ରହିବା ସ୍ୱାଭାବିକ। ସମାନ୍ତରାଳ ଗୋଷ୍ଠୀ ବୋଲି ଯାହା କୁହାଯାଉଛି ତାହା ଠିକ୍‍ ନୁହେଁ। ତାଙ୍କର କିଛି ବ୍ୟକ୍ତିଗତ ସମର୍ଥକ ଅଛନ୍ତି। ଦଳ ଠିକ୍‍ ବାଟରେ ପରିଚାଳିତ ହେଉଛି।

କ୍ରୀଡା କ୍ଷେତ୍ରରେ ଓଡିଶା କେମିତି ଆଗେଇବ ?

ଓଡିଶାରେ ଯେଉଁ ପ୍ରତିଭାବାନ କ୍ରୀଡାବିତ ରହିଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଏହାଚଡା ଆମ ବିଭାଗ ତରଫରୁ ମଧ୍ୟ ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଯାଉଛି। ପ୍ରତିଭାବାନ୍‍ କ୍ରୀଡାବିତ ସେମାନଙ୍କ କ୍ରୀଡା ପ୍ରଦର୍ଶନ କରିବା ପାଇଁ ଯାହା ଦରକାର ତାହା ଆମ ବିଭାଗ ପକ୍ଷରୁ ଯୋଗାଇ ଦେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ।

ଜାତୀୟ ସ୍ତରରେ ଓଡିଶାର ପ୍ରଭାବ ନାହିଁ, ଆପଣ କି ବ୍ୟବସ୍ଥା କରିବେ ?

ନିକଟରେ ମୁଁ କ୍ରୀଡା ବିଭାଗର ଏକ ସମୀକ୍ଷା ବୈଠକ କରିଥିଲି। ବିଭାଗର କିଛି ଅସୁବିଧା ଥିଲା। ତାହା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସମାଧାନ ହୋଇଛି। ଏହାସହ ଓଡିଶାର ଯେଉଁ ପ୍ରତିଭାବାନ କ୍ରୀଡାବିତ ଅଛନ୍ତି ସେମାନେ କିପରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ଜାହିର କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭାଗ ତରଫରୁ ବ୍ୟବସ୍ଥା କରାଯାଉଛି।

କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ ?

ନିର୍ଦ୍ଧିଷ୍ଟ କୌଣସି କ୍ରୀଡା ପ୍ରତି ଆମର ବିଶେଷ ଧ୍ୟାନ ରହିବ ନାହିଁ। କ୍ରିକେଟଠାରୁ ଆରମ୍ଭ କରି ଟେନିସ, ବ୍ୟାଡମିଣ୍ଟନ ପର୍ଯ୍ୟନ୍ତ ଆମେ ସବୁ କ୍ରୀଡାକୁ ଗୁରୁତ୍ୱ ଦେଉଛୁ। ଆମର ମୂଳ ଉଦ୍ଦେଶ୍ୟ ହେଲା ପ୍ରତିଭାବାନ୍‍ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦେବା। ଯେଉଁ କ୍ରୀଡାରେ ପ୍ରତିଭାବାନ୍‍ ଖେଳାଳି ଥିବେ ଏବଂ ସେମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାକୁ ଯିବାପାଇଁ ଯୋଗ୍ୟତା ଅର୍ଜନ କରୁଥିବେ ଆମେ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେବୁ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରକୁ ଯିବା ପାଇଁ ଯଦି କିଛି ସେମାନଙ୍କର ପ୍ରତିବନ୍ଧକ ଥାଏ ତାହାଲେ ଆମ ବିଭାଗ ସେଗୁଡିକୁ ଖୋଜି ସମାଧାନର ବାଟ ବାହାର କରିବ।

କିଛି ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ କ୍ରୀଡାର ବିକାଶ ହେଉନି କାହିଁକି ?

ନିଶ୍ଚିନ୍ତଭାବେ ଆମ ବିଭାଗ ଏ ଦିଗରେ ପଦକ୍ଷେପ ନେବ। କଳହାଣ୍ଡିରୁ ଆରମ୍ଭ କରି ମୟୁରଭଞ୍ଜ ଏବଂ ମାଲକାନଗିରିରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଆମେ କ୍ରୀଡାକୁ ଗୁରୁତ୍ୱ ଦେବୁ। ଏହଛଡା ଗ୍ରାମାଞ୍ଚଳରେ ରହି ଯାଉଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଯୋଜନା କରୁଛୁ।

ଜାତୀୟ ସ୍ତରରେ ଓଡିଶାର କ୍ରୀଡାବିତ୍‍ମାନେ ଅଧିକ ଦିନ ତିଷ୍ଠି ରହି ନ ପାରିବାର କାରଣ କ’ଣ ?

ସବୁଠୁ ବଡ ଅସୁବିଧା ହେଉଛି ବଜେଟ୍‍। ଖେଳାଳିମାନଙ୍କ ପାଇଁ କୋଚିଂ ନେବା ସମୟ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାହାକୁ ଜାତୀୟ ସ୍ତରରେ କୋଚିଂ ନେବାକୁ ପଡୁଛି ତ ପୁଣି କାହାକୁ ଅନ୍ତର୍ଜାତୀୟ ସ୍ତରର କୋଚଙ୍କ ଆବଶ୍ୟକତା ପଡୁଛି। ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ରହୁଛି। ଆମ ବିଭାଗ ଏତେ ସୁଦୃଢ଼ ନୁହେଁ, ସମସ୍ତଙ୍କୁ କୋଚିଂ ଦେବା ପାଇଁ ଅର୍ଥର ବନ୍ଦୋବସ୍ତ କରିବ। ହେଲେ ଚଳିତ ବର୍ଷ ବ୍ୟବସ୍ଥା ହୋଇଛି କିଛି ପ୍ରତିଭାବନ ବ୍ୟକ୍ତିଙ୍କୁ ତାଲିମ ଦେବା ପାଇଁ କିଛି ଅର୍ଥ ସହାୟତା ପ୍ରଦାନ କରିବ।

ସ୍କୁଲ ସ୍ତରରୁ କ୍ରୀଡାର ବିକାଶ ହୋଇପାରୁନି କାହିଁକି ?

ଜାଗା ଅଭାବରୁ ଅଧିକାଂଶ ସ୍କୁଲରେ ଖେଳପଡିଆ ନାହିଁ। କେଉଁଠି ଗୋଚର ଜମି ରହିଯାଉଛି ତ ଆଉ କେଉଁଠି ଜଙ୍ଗଲ ଜମି ରହିଛି। ଇତି ମଧ୍ୟରେ ରାଜସ୍ୱ ବିଭାଗ ଏକ ନୋଟିସ ଜାରି କରିଛି ଯେ, ଯେଉଁ ପଡିଆକୁ ଦୀର୍ଘ ଦିନ ଧରି ପିଲାମାନେ ଖେଳପଡିଆ ଭାବେ ବ୍ୟବହାର କରୁଥିବେ ସେ ଜାଗାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଖେଳପଡିଆ ଭାବେ ଘୋଷଣା କରିପାରିବେ।

କଟକ ଜିଲ୍ଲାରେ ବିଜେପିର ସ୍ଥିତି କେମିତି ?

ଉପକୂଳ ଜିଲ୍ଲା ଅତୀତରେ ବିଜୁ ପଟ୍ଟନାୟକଙ୍କ ସାଙ୍ଗରେ ଥିଲା ଏବଂ ଏବେ ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ରହିଛି। ଆଗାମୀ ଦିନରେ ମଧ୍ୟ ଏହି ସ୍ଥିତି ରହିବ।

ଅସନ୍ତୁଷ୍ଟ ବିଜେପି ମୁହାଁ ହୋଇଥିବାରୁ ବିଜେଡି ଶିବିର ହଲଚଲ କି ?

ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ। କାରଣ ଯାଜପୁର ଜିଲ୍ଲା ବଡଚଣାରେ ଯେତେବେଳେ ଅମର ନାୟକ ବିଦ୍ରୋହୀ ଥିଲେ ସେତେବେଳେ ମଧ୍ୟ ବିଜେଡି ପ୍ରାର୍ଥୀ ସେଠାରୁ ବିଜୟୀ ହୋଇଛନ୍ତି। ଏଣୁ ବିଜେପିକୁ ଆସିଲେ କି ନ ଆସିଲେ ବିଜେଡି ପାଇଁ କିଛି ଫରକ ପଡିବନି। ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡରେ ଯେଉଁ ଜୟରାମ ପାଙ୍ଗୀକୁ ବିଜେପି ଦୋଷୀ ବୋଲି କହୁଥିଲା ସେହି ନେତାଙ୍କୁ ବିଜେପି ଆପଣାଇଛି। ବିଜେପି ପ୍ରଥମେ ତା’ର ନୀତି, ଆଦର୍ଶ ଠିକ୍‍ କରୁ।

ବିଜେପିକୁ ନେଇ ବିଜେଡି ଭୟଭୀତ ଥିବା ପରି ମନେ ହେଉଛି ?

ବିଜେଡି ଆଦୌ ଭୟଭୀତ ନୁହେଁ। ପଞ୍ଚାୟତ ନିର୍ବାଚନ ହେଉଛି ଏକ ଭିନ୍ନ ଧରଣ ନିର୍ବାଚନ। ବିଜେପି ବାର୍ଗେନ କରି ଭୋଟହାର ବୃଦ୍ଧି କରିଛି। କିଛି ସ୍ଥାନରେ କଂଗ୍ରେସ ଭୋଟ ବିଜେପିକୁ ଯାଇଥିବାରୁ ବିଜେପିର ଭୋଟହାର ବଢ଼ିଛି। ତୃଣମୂଳସ୍ତରରେ ସଙ୍ଗଠନ ନଥାଇ ବିଜେପି ଏତେ ପରିମାଣର ଭୋଟ କେମିତି ପାଇଲା ତାକୁ ନେଇ ବିଜେପି ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ସାଧାରଣ ନିର୍ବାଚନରେ ଏହାର ପ୍ରଭାବ କିଛି ରହିବନି।

ଆଗାମୀ ନିର୍ବାଚନରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କିଏ ହେବ ?

ଏକଥା ସମୟ ଆସିଲେ ଜଣାପଡିବ। ଏବେଠାରୁ ଆକଳନ କରିବା ଠିକ୍‍ ନୁହେଁ। ଆମେ ଯେତେବେଳେ ନିର୍ବାଚନ ଲଢ଼ୁଛୁ ସେତେବେଳେ ଆମେ ବିଜେଡି କେମିତି ବିଜୟୀ ହେବ ସେକଥା ଦେଖୁଛୁ।

‘ବିଜେପି ବାର୍ଗେନ କରି ଭୋଟହାର ବୃଦ୍ଧି କରିଛି। କିଛି ସ୍ଥାନରେ କଂଗ୍ରେସ ଭୋଟ ବିଜେପିକୁ ଯାଇଥିବାରୁ ବିଜେପିର ଭୋଟହାର ବଢ଼ିଛି। ତୃଣମୂଳସ୍ତରରେ ସଙ୍ଗଠନ ନଥାଇ ବିଜେପି ଏତେ ପରିମାଣର ଭୋଟ କେମିତି ପାଇଲା ତାକୁ ନେଇ ବିଜେପି ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।’

ଚନ୍ଦ୍ରସାରଥୀଙ୍କ ସମ୍ପର୍କରେ…

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ଚରଣ ବେହେରାଙ୍କ ପୁଅ ହେଉଛନ୍ତି ଚନ୍ଦ୍ର ସାରଥୀ ବେହେରା। ୨୦୦୯ରୁ ଚନ୍ଦ୍ରସାରଥୀ ରାଜନୀତିରେ ପାଦ ଦେଇଛନ୍ତି। ପ୍ରଥମେ କଟକ ଜିଲ୍ଲା ସାଲେପୁର ନିର୍ବାଚନମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ କଟକ-ସଦର ଆସନରୁ ବିଧାୟକ ହୋଇଛନ୍ତି। ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ର ସାରଥୀଙ୍କୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ମନ୍ତ୍ରୀ କରିଛନ୍ତି। ଏହାଛଡା କଟକ ଜିଲ୍ଲାର ଜଣେ ଯୁବ ବିଧାୟକ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

(ପ୍ରସ୍ତୁତି : ସରୋଜ)

LEAVE A REPLY

Please enter your comment!
Please enter your name here