କପିଳାସ ଭୂୟାଁ
ଫୁଲ୍ବୀନାର ମୁହଁଟି ସଜ୍ଜଳ, ସବୁବେଳେ ହସ ହସ। ସେ ହସର ଆଲୋକ ତଳେ ଢ଼ାଙ୍କି ହେଇ ରହିଯାଏ ତା’ର ଅଭାବୀ ସଂସାରର ଅନ୍ଧାର।
ନବରଙ୍ଗପୁର ଜିଲ୍ଲାର ଉପାନ୍ତ ବ୍ଲକ୍ ହେଉଛି କୋଷାଗୁମୁଡ଼ା। କୋଡିଙ୍ଗା ତହସିଲ୍ ଅନ୍ତର୍ଗତ ବୁଝିମାଟି ସେମଳା ଗ୍ରାମ ପଞ୍ଚାୟତର ପାହାଡ଼ ତଳର ଶେଷ ଗାଁଟିର ନାଁ ହଳଦୀ ପକ୍ନା। ଗାଁ ଚାରିକଡ଼େ ରହିଥିବା ପଥରଗୁଡ଼ାକର ରଙ୍ଗ ହଳଦିଆ। ସେଥିପାଇଁ ଗାଁଟିର ନାମ ହଳଦୀ ପଥର ବା ହଳଦୀ ପକ୍ନା। ସେହି ଗାଁରେ ଫୁଲବୀନାର ଘର।
ଫୁଲ୍ବୀନାର ବୟସ ଯେତେବେଳେ ୧୨ କି ୧୪ ବର୍ଷ ହୋଇଥିଲା, ସେତେବେଳେ ସେ ତା’ର ବାପଘର, ପାଖ ଗାଁ ଡଙ୍ଗ୍ରାରୁ ହଳଦୀ ପକନାର ସଦନ ହରିଜନକୁ ବାହା ହେଇ ଆସିଥିଲା। ଏବେ କିନ୍ତୁ ଫୁଲ୍ବୀନା ହରିଜନର ବୟସ ୩୪ କି ୩୬ ବର୍ଷ ହେବ। ହେଲେ ବୟସ ପଚାରିଲେ ସେ କହେ ୨୪ ବର୍ଷ ହୋଇଥିବ ପରା। କାରଣ ବୟସ ଗଣିବା ହିସାବ ଜଣାନାହିଁ ଫୁଲ୍ବାନୀକୁ।
ସଦନକୁ ବାହା ହେଇ ଆସିବା ପରେ ଏବକୁ ଫୁଲ୍ବୀନାର ଚାରିଟି ପିଲା। ଦୁଇଟି ପୁଅ ଓ ଦୁଇଟି ଝିଅ। ପୀତାମ୍ବର ଓ କର୍ଣ୍ଣଙ୍କ ବୟସ ଯଥାକ୍ରମେ ୧୮ ଓ ୧୪ ବର୍ଷ ହୋଇଥିଲା ବେଳେ ଦୁଇ ସାନ ଝିଅ ରେଖା ଓ ମାଧୁରୀ ଯଥାକ୍ରମେ ୮ ଓ ୬ ବର୍ଷ ବୟସର। ସମସ୍ତେ ପାଠ ପଢ଼ୁଛନ୍ତି। ପୀତାମ୍ବର ହରିଜନ ଗତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲା ଯେ ଭଲ ଫଳ କରିପାରିଲାନି, ଫେଲ୍ ହୋଇଗଲା। କର୍ଣ୍ଣ ହରିଜନ ଆସନ୍ତା ବର୍ଷ ମାଟ୍ରିକ୍ ପରୀକ୍ଷା ଦେବ। ରେଖା ଓ ମାଧୁରୀ ପଢ଼ୁଛନ୍ତି ଯଥାକ୍ରମେ ଚତୁର୍ଥ ଓ ଦ୍ୱିତୀୟ ଶ୍ରେଣୀରେ- ଦୁହେଁ ଖରାଛୁଟି ପରେ ଉପର ଶ୍ରେଣୀରେ ପଢ଼ିବେ।
ଫୁଲ୍ବୀନାର ସଂସାର କେମିତି ଚଳେ?
ସଦନ ହରିଜନକୁ ଫୁଲବୀନା ବାହା ହେଇ ଆସିଲା ବେଳକୁ ସେମାନଙ୍କର କିଛି ନଥିଲା। ଗାଁର ଅନ୍ୟ ଲୋକମାନଙ୍କ ଛେଳି ଚରାଉଥିଲା ସଦନ। ସଂସାର ଚଳେଇବାକୁ ପୁଲ୍ବୀନା ବି ସଦନ ସାଙ୍ଗରେ ସାଥୀ ହୋଇ ଛେଳି ଚରାଇଲା। ଗାଁର ଛେଳି ଥିବାବାଲା ପରିବାର ହାତ ଟେକି ଯାହା ହେଉଥିଲେ ସେଥିରେ ଉଭୟେ ପେଟ ପୁରାଉଥିଲେ। ତାହାରି ଭିତରେ ଆଗପଛ ହୋଇ ଜନ୍ମ ନେଲେ ଚାରି ଚାରିଟି ପିଲା।
ଛ’ ପ୍ରାଣୀ କୁଟୁମ୍ଭର ସଂସାର କେମିତି ଚାଲିବ ଭାବିଲେ ଅନ୍ଧାର ଘୋଟିଯାଏ ଫୁଲ୍ବୀନାର ମନରେ। ଏତେ ବଡ଼ ପରିବାରର ଅଭାବ ଦୂର କରିବା ପାଇଁ କିଛି ଉପାୟ ଦିଶେ ନାହିଁ ତା’କୁ। ଏହାକୁ ଭାଗ୍ୟ ବୋଲି ଆଦରି ନେବା ଛଡ଼ା ଅନ୍ୟ କିଛି ବାଟ ପାଏ ନାହିଁ ଫୁଲ୍ବୀନା।
ସାହା ହେବାକୁ ସଦନର ଲେଖାରେ ବଡ଼ଭାଇ ଅଙ୍ଗଦ ହରିଜନ ଓ ତା’ ସ୍ତ୍ରୀ ଲୋଚନୀ ଦେଇ। ସେମାନେ ବି ଗାଁର କେତେ ଘରର ଛେଳି ଚରେଇ ଜୀବିକା ନିର୍ବାହ କରନ୍ତି। ସେମାନଙ୍କର କିନ୍ତୁ ପିଲାଝିଲା କିଛି ନାହାନ୍ତି। ତେଣୁ ଫୁଲ୍ବୀନା ଓ ସଦନର ପିଲାମାନଙ୍କୁ ନିଜ ପିଲା ପରି ଦେଖନ୍ତି ସେ ଦି’ ଜଣ।
ଚାରି ବର୍ଷ ତଳେ ସରକାରୀ ବାବୁମାନେ ହଳଦୀ ପକ୍ନା ଗାଁକୁ ଆସିଥିଲେ। ସେମାନେ ସରକାରଙ୍କ ପଶୁପାଳନ ବିଭାଗ ପକ୍ଷରୁ ଆସିଛନ୍ତି ବୋଲି ଲୋକଙ୍କୁ କହିଲେ। ଛେଳି ଚାଷ କରିବାକୁ ସରକାର ସାହାଯ୍ୟ କରିବାର ବ୍ୟବସ୍ଥା ଅଛି ବୋଲି ସମସ୍ତଙ୍କୁ ଜଣାଇଲେ। ଗାଁର ଅଧିକାଂଶ ଛେଳି ରଖିଥିବା ପରିବାର ମଧ୍ୟ ସାହାଯ୍ୟ ନେବାକୁ ଆଗଭର ହେଲେ।
ଛେଳି ମାଂସରେ ବହୁତ ପ୍ରୋଟିନ ବା ପୁଷ୍ଟିସାର ରହିଛି। ଗ୍ରାମାଞ୍ଚଳର ଲୋକମାନେ ପ୍ରତ୍ୟେକ ଦିନ ସୁଷମ ଖାଦ୍ୟ ଖାଇବାକୁ ପାଉନଥିବାରୁ ଯଦି ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଛେଳି ମାଂସ ଖାଇବାର ସୁଯୋଗ ମିଳିବ ତେବେ ତାହା ଶରୀରର ଆବଶ୍ୟକତା ମୁତାବକ ପ୍ରୋଟିନ୍ ବା ପୁଷ୍ଟିସାର ଯୋଗାଇ ପାରିବ। ତେବେ ଛେଳି ମାଂସ ପାଇବାକୁ ହେଲେ ଛେଳି ଚାଷ କରିବା ଦରକାର। ତେଣୁ ଛେଳି ଚାଷ କରିବା ପାଇଁ ଆଗ୍ରହୀ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ସରକାରୀ ସାହାଯ୍ୟ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାରଙ୍କ ପଶୁପାଳନ ବିଭାଗର ବାବୁମାନେ ହଳଦୀ ପକ୍ନା ଗାଁକୁ ଯାଇଥିଲେ।
ଛେଳି ଚାଷ କରିବାକୁ ସରକାରୀ ସାହାଯ୍ୟ ପାଇବା ପାଇଁ ହିତାଧିକାରୀ ଅନ୍ୟୁନ ୧୦ରୁ ୧୨ଟି ଛେଳି ରଖିଥିବାର ଅନୁଭୂତି ରହିଥିବା ଦରକାର। କାରଣ ସେଭଳି ଅନୁଭୂତି ନ ଥିଲେ ଛେଳି ଚାଷ କରିବା ଏକ କଷ୍ଟକର କଥା ହୋଇପାରେ। ଏହା ବ୍ୟତୀତ ହିତାଧିକାରୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲେ ହିଁ ସରକାରଙ୍କ ସାହାଯ୍ୟ କ୍ରମେ ଛେଳି ପାଳନ ଦ୍ୱାରା ହିତାଧିକାରୀ ବେଶ୍ କିଛି ଅର୍ଥ ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିପାରିବେ।
ସେହି ଦୃଷ୍ଟିରୁ ପଶୁପାଳନ ବିଭାଗର ସରକାରୀ ବାବୁମାନେ ତନଖି କରି ଜାଣିଲେ ଯେ ହଳଦୀ ପକ୍ନା ଗାଁର ଅଧିକାଂଶ ଛେଳି ରଖିଥିବା ପରିବାରର ଆର୍ଥିକ ସ୍ଥିତି ବେଶ୍ ଭଲ ଓ ସେମାନଙ୍କୁ ସରକାରୀ ସାହାଯ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ।
କିନ୍ତୁ ଛେଳି ପାଳନ କରୁନଥିବା ଅଙ୍ଗଦ ଓ ସଦନ ହରିଜନଙ୍କ ଆର୍ଥିକ ସ୍ଥିତି ଏତେ ମାତ୍ରାରେ ଦୁର୍ବଳ ଯେ ସରକାରୀ ସାହାଯ୍ୟ ସେମାନଙ୍କ ପରିବାରର ଉନ୍ନତି ଆଣିବା ଦିଗରେ ସହାୟକ ହୋଇପାରିବ। ତେବେ ନିୟମ ଅନୁଯାୟୀ ହିତାଧିକାରୀ ପୂର୍ବରୁ ଅନ୍ୟୁନ ୧୦ରୁ ୧୨ଟି ଛେଳି ପାଳନ କରୁଥିବା ଦରକାର। ଏହା ଏକ ପ୍ରତିବନ୍ଧକ ରୂପେ ଉଭା ହେଲା ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାରେ। ତେବେ ଏ ବିଷୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପଶୁପାଳନ ଅଧିକାରୀ ଡାକ୍ତର ନାରାୟଣ ବେହେରା, କୋଷାଗୁମୁଡ଼ା ବ୍ଲକ୍ର ବ୍ଲକ୍ ପଶୁପାଳନ ଅଧିକାରୀ ଡାକ୍ତର ଦିଲୀପ କୁମାର କବିରାଜ ଓ କୋଡ଼ିଙ୍ଗା ତହସିଲ୍ ସ୍ଥିତ ପଶୁ ଚିକିତ୍ସାଳୟର ସହକାରୀ ପଶୁପାଳନ ଚିକିତ୍ସା ଅଧିକାରୀ ଡାକ୍ତର ସୁନୀଲ କୁମାର ନାୟକ ଏକାଠି ମିଶି ତର୍ଜ୍ଜମା କଲେ। ସେମାନଙ୍କ ନିଷ୍କର୍ସ ହେଲା କି ଯେ ଅଙ୍ଗଦ ହରିଜନ ଓ ସଦନ ହରିଜନ ପ୍ରତ୍ୟେକ ୧୦ରୁ ୧୨ଟି ଲେଖାଏଁ ଛେଳି ପୂର୍ବରୁ ରଖିନଥିଲେ ମଧ୍ୟ ଅନ୍ୟମାନଙ୍କ ଛେଳି ଚରାଇବାକୁ ନେଉଥିବାରୁ ଛେଳିପାଳନ ସମ୍ପର୍କରେ ସେମାନଙ୍କର ପର୍ଯ୍ୟାପ୍ତ ଅନୁଭୂତି ରହିଛି।
ସଦନ ହରିଜନ ସହ ଫୁଲ୍ବୀନା ମଧ୍ୟ ଛେଳି ଚରାଇବାକୁ ଯାଉଥିବାରୁ ତା’ର ମଧ୍ୟ ଛେଳି ପାଳନ ବାବଦରେ ଢ଼େର୍ ଜ୍ଞାନ ରହିଛି। ଉଭୟ ପରିବାର ସମାଜର ପଛୁଆ ବର୍ଗର ହୋଇଥିବା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଅନେକ ଦୁର୍ବଳ। ତେଣୁ ଛେଳି ପାଳନ ପାଇଁ ସରକାରୀ ସାହାଯ୍ୟ ଏହି ଦୁଇ ପରିବାରକୁ ଦେବା ପାଇଁ ସରକାରୀ ବାବୁମାନେ ନିଷ୍ପତ୍ତି ନେଲେ।
ସରକାରଙ୍କ ପଶୁପାଳନ ବିଭାଗର ଏଭଳି ନିଷ୍ପତ୍ତି ନେବା ନିଶ୍ଚିତ ରୂପେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ ପରିସ୍ଥିତିକୁ ବୁଝି ଗାଁ ଲୋକଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ବହୁତ କମ୍ ସଂଖ୍ୟକ ବାବୁମାନେ ପଦକ୍ଷେପ ନିଅନ୍ତି। କାରଣ ନିଜ ଚାକିରି ଚାଲିଯିବା ଭୟରେ ଅଧିକାଂଶ ସରକାରୀ ବାବୁମାନେ ସରକାରୀ ନିୟମର ଏପଟ ସେପଟକୁ ଯିବାକୁ ଚାହାନ୍ତି ନାହିଁ। ଏହି କାରଣରୁ ଅନେକ କ୍ଷେତ୍ରରେ ସଠିକ ହିତାଧିକାରୀଙ୍କ ନିକଟରେ ସରକାରୀ ସାହାଯ୍ୟ ପହଞ୍ଚେ ନାହିଁ।
ସେ ଯାହା ବି ହେଉ, ହଳଦୀ ପକ୍ନା ଗାଁର ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଗତ ଅଙ୍ଗଦ ହରିଜନ ଓ ମହିଳା ହିତାଧିକାରୀ ରୂପେ ଫୁଲ୍ବୀନା ହରିଜନଙ୍କୁ ଛେଳି ପାଳନ ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପଶୁପାଳନ ବିଭାଗର ବାବୁମାନେ ନିଷ୍ପତ୍ତି ନେଲେ।
ପ୍ରଥମେ ଛେଳି ରହିବା ପାଇଁ ଘର ତିଆରି, ତା’ ପରେ ଛେଳି ଓ ବୋଦା କିଣିବା ଖର୍ଚ୍ଚ ଓ ଶେଷରେ ଛେଳିଗୁଡ଼ିକର ବୀମା ତଥା ଖାଦ୍ୟସାରଯୁକ୍ତ ଖାଦ୍ୟପଦାର୍ଥ କ୍ରୟ ଇତ୍ୟାଦି ପାଇଁ ସମୁଦାୟ ୩ଟି କିସ୍ତିରେ ଅଙ୍ଗଦ ଓ ଫୁଲ୍ବୀନାଙ୍କୁ ୫୨ ହଜାର ୩୦୦ ଟଙ୍କା ଲେଖାଏଁ ସାହାଯ୍ୟ ମିଳିଲା। ଛେଳିପାଳନ ଓ ସେମାନଙ୍କ ବଂଶ ବୃଦ୍ଧି କ୍ରମେ ଆଜି ଅଙ୍ଗଦଙ୍କ ଘରେ ଅଛନ୍ତି ପ୍ରାୟ ୭୦ରୁ ୮୦ଟି ଛେଳି ସହ ୩ଟି ବ୍ଲାକ୍ ବେଙ୍ଗଲ ବୋଦା। ସେହିଭଳି ଫୁଲ୍ବୀନା ଘରେ ମଧ୍ୟ ରହିଛନ୍ତି ପ୍ରାୟ ୪୦ଟି ପର୍ଯ୍ୟନ୍ତ ଛେଳି ଓ ୩ଟି ବୋଦା। ଏହା ମଧ୍ୟରେ ବଡ଼ ହେଉଥିବା ଛେଳିଗୁଡ଼ିକର ବିକ୍ରିବଟା ମଧ୍ୟ ଚାଲିଛି, ଯଦ୍ୱାରା ଉଭୟ ପରିବାରର ଆର୍ଥିକ ସ୍ଥିତି ମଧ୍ୟ କିଛିଟା ସ୍ୱଚ୍ଛଳ ହୋଇଛି।
ତିନି ବର୍ଷ ପରେ ଏବେ ଫୁଲ୍ବୀନା ଓ ସଦନ କିଛିଟା ଆରାମରେ ରହିବାର ସୁଯୋଗ ପାଇଛନ୍ତି। ବର୍ଷକୁ ୧୦ରୁ ୧୨ ପଟ ଛେଳି ବିକି ସେମାନେ ପ୍ରାୟ ଟଙ୍କା ୫୦ରୁ ୬୦ ହଜାର ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ଏହି ଆୟରେ ଫୁଲ୍ବୀନାର ଛ’ ପ୍ରାଣୀ ସଂସାର ବେଶ୍ ସୁରୁଖୁରୁରେ ଚଳିପାରୁଛି। ଛେଳି ପାଳନ ପାଇଁ ସେମାନେ ଏତେ ମନଧ୍ୟାନ ଦେଉଛନ୍ତି ଯେ ଗାଁ ବାହାରକୁ ଯାଇ କୁଲି ଖଟିବାକୁ ସେମାନଙ୍କ ପାଖରେ ଆଦୌ ସମୟ ନାହିଁ।
ଦୁଇ ବର୍ଷ ତଳେ ରୋଗରେ ପଡ଼ି ଫୁଲ୍ବୀନାର ୩ ପଟ ଛେଳି ମରିଗଲେ। ପ୍ରଥମ ବର୍ଷ ଫୁଲ୍ବୀନା ଛେଳିମାନଙ୍କର ବୀମା କରିଥିଲେ, କିନ୍ତୁ ଦ୍ୱିତୀୟ ବର୍ଷ ଅର୍ଥ ଅଭାବରୁ ଆଉ ବୀମା କରିପାରିନଥିଲେ। ତେଣୁ ୩ ପଟ ଛେଳି ମରିଯିବାର କ୍ଷତି ସହିବାକୁ ପଡ଼ିଲା ଫୁଲ୍ବୀନାଙ୍କୁ।
ଆଉ ଗୋଟିଏ କଥା ହେଲା କି ଯେ ଛେଳି ମରିଗଲା ପରେ କ୍ଷତି ପୂରଣ ଭାବେ ବୀମା ଅର୍ଥ ମିଳିବା କିଛି ସହଜ ନୁହେଁ। ମରିଯାଇଥିବା ଛେଳିକୁ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେବାକୁ ହେବ ଓ ଡାକ୍ତରୀ ମାଇନା କରାଇବାକୁ ପଡ଼ିବ। ତେବେ ଯାଇ ବୀମା ଅର୍ଥ ମିଳିବ କି ନାହିଁ ତାହା ସ୍ଥିରୀକୃତ ହେବ।
ଏଭଳି ବ୍ୟବସ୍ଥା ସହ ଆଦିବାସୀ ଅଧ୍ୟୁଷିତ ନିପଟ ମଫସଲ ଗାଁର ଲୋକେ ଆଦୌ ଅଭ୍ୟସ୍ତ ନୁହନ୍ତି। ଘରେ ଥିବା ଗାଈ, ଛେଳି ମରିଗଲେ ଗାଁ ଲୋକେ ତୁରନ୍ତ ତାହାକୁ ପୋତି ଦେବାକୁ ପଦକ୍ଷେପ ନିଅନ୍ତି। ଏହା ସେମାନଙ୍କର ଏକ ପାରମ୍ପରିକ ଅଭ୍ୟାସ।
ପଶୁପାଳନ ବିଭାଗ ପକ୍ଷରୁ ଏଭଳି କ୍ଷୁଦ୍ର ଛେଳି ଚାଷୀଙ୍କର ଛେଳିଗୁଡ଼ିକର ବୀମା କରିବା ପାଇଁ ପ୍ରୋତ୍ସାହନ ଦେବା ଏକ ପ୍ରଶଂସନୀୟ ପଦକ୍ଷେପ ହୋଇଥିଲେ ବି ବୀମାକୃତ ପ୍ରାଣୀର ମୃତ୍ୟୁ ସମୟରେ ବୀମା କମ୍ପାନିଗୁଡ଼ିକ ଠାରୁ ସମ୍ପୃକ୍ତ ଚାଷୀମାନଙ୍କୁ ନାର୍ଯ୍ୟ କ୍ଷତିପୂରଣ ଦିଆଇବାରେ ସରକାରୀ ବାବୁମାନେ ଉପଯୁକ୍ତ ଦୃଷ୍ଟି ଦେବା ନିହାତି ଦରକାର।
ସରକାରଙ୍କ ପଶୁପାଳନ ବିଭାଗ ପକ୍ଷରୁ ସାହାଯ୍ୟ ପାଇଁ ଫୁଲ୍ବୀନା ଆଜି ଜଣେ ସଫଳ ଛେଳି ଚାଷୀ। ଛେଳି ପାଳନ କରିବା ଦ୍ୱାରା ଫୁଲବୀନାର ସଂସାର ଆଜି ସୁରୁଖୁରୁରେ ଚାଲୁଛି। ଛେଳିକୁ ପୋଷି ପାଳି ବଡ଼ କରିବା, ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା, ତଥା ସେମାନଙ୍କୁ ଉପଯୁକ୍ତ ଭାବେ ଚରାଇବା ଫୁଲ୍ବୀନାର ଦାୟିତ୍ୱ ବନିଯାଇଛି। ମୋଟାମୋଟି ଦେଖିବାକୁ ଗଲେ ଆଜିକା ଦିନରେ ଛେଳିମାନେ ଫୁଲ୍ବୀନାର ସଂସାର ପାଲଟି ଯାଇଛନ୍ତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)
Government officials attitude towards economically poor citizens is an excellent step.glad to know about the steps taken by government for the upliftment of poor in the remote villages.