କପିଳାସ ଭୂୟାଁ

ଅନଗୁଳ ଜିଲ୍ଲାର ତାଳଚେର ବ୍ଲକରେ ରହିଛି ଡେରା ପଞ୍ଚାୟତ। ଗୋଟିଏ ମାତ୍ର ଗାଁକୁ ନେଇ ଏହି ପଞ୍ଚାୟତ। ସମୁଦାୟ ଜନସଂଖ୍ୟା ୧୫ ହଜାର ସାତଶ’ ସତାଅଶି। ବିଧବା, ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟା ହେଉଛି ସମୁଦାୟ ୨୯୬। ସେହି ଡେରା ଗାଁରେ ରହନ୍ତି ଅଲେଖ ମହିମା ସାଧୁ ବାବା ପଞ୍ଚାନନ ଦାସ।

ସେ ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ ଭିନ୍ନକ୍ଷମ। ସମୟ କ୍ରମେ ସେ ଅଲେଖ ମହିମା ଧର୍ମ ଦିକ୍ଷା ନେଇ ଜଣେ କୌପୀନଧାରୀ ବାବା ରୂପେ ଭିକ୍ଷା ମାଗି ଜୀବନ ନିର୍ବାହ କରି ଆସୁଥିଲେ। ଖରା, ବର୍ଷା, ଶୀତ କାକର କିଛି ନମାନି ରହୁଥିଲେ ସ୍ଥାନୀୟ ବିଦ୍ୟାଳୟର ବାରଣ୍ଡାରେ। ତେଣୁ ଅସୁସ୍ଥ ମଧ୍ୟ ରହୁଥିଲେ।

ମାଟି ତଳୁ ଅନବରତ ଖଣି କରି କୋଇଲା ଉତ୍ତୋଳନ କରାଯିବା ଯୋଗୁ ଡେରା ପଞ୍ଚାଯତ ସମେତ ସମଗ୍ର ତାଳଚେର ବ୍ଲକକୁ ସରକାର ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ରୂପେ ଚିହ୍ନଟ କରିଛନ୍ତି ଓ ସ୍ଥାନୀୟ ଲୋକମାନଙ୍କ ସାମଗ୍ରିକ ଉନ୍ନୟନ ପାଇଁ ଏକାଧିକ ଜନହିତକାରୀ ପଦକ୍ଷେପ ନେଇଛନ୍ତି।

ଦିନେ ବାବାଙ୍କ ଦୁର୍ଦ୍ଦଶା କଥା ସ୍ଥାନୀୟ ତହସିଲଦାରଙ୍କ କାନରେ ପଡିଲା। ଡେରା ପଞ୍ଚାୟତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ରୂପେ ଚିହ୍ନଟ ହୋଇଥିବାରୁ ତହସିଲଦାର ବାବା ପଂଚାନନଙ୍କ ନାଁରେ ଦୁଇ ଡିସିମିଲ ଜାଗା କରାଇ ଦେଲେ।

ପରେ ପରେ ସେହି ଜାଗା ଉପରେ ଘର କରିବାକୁ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରେ ଏକ ଲକ୍ଷ କୋଡିଏ ହଜାର ଟଙ୍କା ସାହାଯ୍ୟ ମିଳିଲା ଓ ବାବା ପଂଚାନନ ନିଜ ଜାଗାରେ ଘର ତିଆରି କଲେ। ଘର ତିଆରି କରିବାକୁ ମଜୁରି ବାବଦରେ ମିଳିଲା ଅଧିକ ୧୫ ହଜାର ୮ ଶହ ଚାଳିଶି ଟଙ୍କା ଓ ପାଇଖାନା ତିଆରି ବାବଦରେ ମିଳିଲା ୧୨ ହଜାର ଟଙ୍କା। ଘରକୁ ବିଦ୍ୟୁତ ସଂଯୋଗ ମଧ୍ୟ ଦିଆଯାଇଛି।

ସୁସ୍ଥ ଓ ନିରାମୟ ଜୀବନ ବଞ୍ଚିବା ସହ ବାବା ପଞ୍ଚାନନ ଏବେ ରହୁଛନ୍ତି ତାଙ୍କ ନିଜ ବିଜୁ ପକ୍କାଘରେ। ଅଲେଖ ମହିମାଙ୍କ କୃପାରେ ଓ ସରକାରଙ୍କ ସାହାଯ୍ୟରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here