କପିଳାସ ଭୂୟାଁ

୨୦୧୯ ଶେଷ ହୋଇ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ପୁରୁଣାକୁ ପଛରେ ଛାଡ଼ି ଆମେ ସମସ୍ତେ ଆଗକୁ ବଢ଼ିବା। ପୁରୁଣା ବର୍ଷରେ ଘଟିଥିବା ବହୁତ କିଛି ବାବଦରେ ଆମେ ଚିରାଚରିତ ଭାବେ ବିସ୍ମୃତ ହେବା। କିନ୍ତୁ ଏମିତି କିଛି ଘଟଣା ରହିଥିବ ଯାହାକୁ ଆମେ ଭୁଲି ପାରିବା ନାହିଁ। ସେହିଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଓଡ଼ିଶାରେ ଭାଷା ଆନ୍ଦୋଳନ ଓ ତାହାର ଫଳାଫଳ।

ପ୍ରଥମେ ଆମେ ମନେ ରଖିବାକୁ ହେବ ଯେ, ସାରା ଦେଶରେ ଭାଷା ଭିତ୍ତିରେ ଗଢ଼ା ସର୍ବ ପ୍ରଥମ ଆଧୁନିକ ରାଜ୍ୟ ହେଉଛି ଓଡ଼ିଶା, ଯାହା ୧୯୩୪ ମସିହାର କଥା। ତା’ ପରେ ଦେଶ ସ୍ଵାଧୀନ ହେଲା ଓଡ଼ିଶାର ଉଦାହରଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ଭାଷା ଭିତ୍ତିକ ରାଜ୍ୟ ନିର୍ମାଣ ହେଲା। ସ୍ଵାଧୀନତୋତ୍ତର ସମୟରେ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟ ପରିସରରେ ବ୍ୟବହାର କରିବା ଥିଲା ଏକ ପ୍ରାଥମିକ ଆବଶ୍ୟକତା। କିନ୍ତୁ ପରବର୍ତ୍ତୀ ପଚାଶ ବର୍ଷ ଭିତରେ ଆମେ ଆମର ଭାଷା ମୂଳଦୁଆକୁ ସତେ ଯେମିତି ଭୁଲି ଗଲେ। ଅବଶ୍ୟ ସେ ଦିଗରେ ଯେ ପ୍ରୟାସ କରା ଯାଇ ନଥିଲା ତା’ ନୁହେଁ, କିନ୍ତୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ହିଁ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାକୁ ବ୍ୟବହାର କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଗଲା। ସେଥିପାଇଁ ପ୍ରଶାସନିକ ବ୍ୟବହାର ଉଦ୍ଦେଶ୍ୟରେ ଅଭିଧାନ ମଧ୍ୟ ପ୍ରକାଶ କରାଗଲା। ଏହା ସତ୍ତ୍ୱେ କାଳକ୍ରମେ ତାହା ଆଉ କାମ କଲା ନାହିଁ। ଆମର ଇଂରାଜୀମନସ୍କ ମନ ହୁଏତ ଏହାର ଏକ ମୁଖ୍ୟ କାରଣ ହୋଇଥାଇ ପାରେ, କିନ୍ତୁ ପ୍ରଶାସନିକ ସ୍ତରରେ ଇଂରାଜୀ ବ୍ୟବହାରର ସୁବିଧା କଥା ସରକାରୀ ବାବୁମାନେ ଜାଣିଥିଲେ। ଏହା ଦ୍ଵାରା ଶବ୍ଦ ଖେଳ ଖେଳି ସାଧାରଣ ଲୋକଙ୍କୁ ସରକାରୀ କଳଠାରୁ ସହଜରେ ଦୂରେଇ ରଖାଯାଇ ପାରିଲା।

ସରକାରୀ ବାବୁମାନଙ୍କ ଏତାଦୃଶ୍ୟ ମାନସିକତାକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ଆରମ୍ଭ ହେଲା ଏକ ଭାଷା ଆନ୍ଦୋଳନ। ଓଡ଼ିଆକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଓ କୌଣସି ସରକାରୀ ବାବୁ ସେଭଳି ନକଲେ ତାଙ୍କୁ ଦଣ୍ଡିତ କରିବା ଉଦ୍ଦେଶ୍ୟ ରଖି ପ୍ରତିଦିନ କଳା ପତାକା ଧରି ବିଧାନସଭା ନିକଟରୁ ରାଜ୍ୟପାଳ ଭବନ ପର୍ଯ୍ୟନ୍ତ ଯିବା ଓ ସେଠାରେ ଏକାଠି ହେବା ଏହି ଆନ୍ଦୋଳନର ଏକ ନିୟମିତ ଧାରାରେ ପରିଣତ ହେଲା। କିନ୍ତୁ ସରକାରୀ ବାବୁମାନଙ୍କ ମନୋଭାବ ଏପରି ନିଷ୍ଠୁର ଥିଲା ଯେ ଏହି ଆନ୍ଦୋଳନ ସେମାନଙ୍କ ଦୃଷ୍ଟିକୁ ଆସିବାକୁ ଲାଗିଗଲା ୮୭୮ ଦିନ। ଯାହା ହେଉ ୨୦୧୯ ଅଗଷ୍ଟ ୧୩ ତାରିଖରେ ଭାଷା ଆନ୍ଦୋଳନକୁ ଶେଷରେ ସଫଳତା ମିଳିଲା।

କିନ୍ତୁ ଫଳ ହେଲା ଅନ୍ୟ କିଛି।

ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାକୁ ଅନ୍ୟତମ ଭାରତୀୟ ଉଚ୍ଚାଙ୍ଗ ବା କ୍ଲାସିକାଲ ଭାଷାର ମାନ୍ୟତା ମିଳିଲା। ସେଥି ପାଇଁ ସରକାର ବେଶ ଉତ୍ସାହିତ ହେଲେ। ଏହାକୁ ଓଡ଼ିଶା ସରକାର ନିଜର ଅଭୂତପୂର୍ବ ସଫଳତା ବୋଲି ପ୍ରଚାର କଲେ। ଓଡ଼ିଆ ଭାଷାର କ୍ରମାଗତ ଉନ୍ନତି ପାଇଁ ଅର୍ଥ ଖସଡ଼ା ତିଆରି ହେଲା ଓ ସେଥି ପାଇଁ ପ୍ରଚୁର ଟଙ୍କାର ପ୍ରାବଧାନ କରାଗଲା। ସତ୍ୟବାଦୀର ବକୁଳ ବନଠାରେ ଗୋଟିଏ ଓଡ଼ିଆ ଭାଷା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବାର ପରିକଳ୍ପନା କରାଗଲା। କିନ୍ତୁ ଏହି ତାମ ଝାମ ଭିତରେ ମୂଳ କଥାଟିକୁ ସତେ ଯେମିତି ସମସ୍ତେ ଭୁଲିଗଲେ।

ଅର୍ଥାତ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର କରିବାର ଯେଉଁ ମୂଳ ଉଦ୍ଦେଶ୍ୟରେ ଭାଷା ଆନ୍ଦୋଳନ ମୁଣ୍ଡ ଟେକିଥିଲା ସେହି କାମଟି ହିଁ ହେଲା ନାହିଁ। କିନ୍ତୁ ସରକାର କେବଳ ଏ ବାବଦରେ ନିୟମଟିଏ ପ୍ରଣୟନ କରି ଦେଇ ତାଙ୍କ ଦାୟିତ୍ଵ ତୁଲାଇ ଦେଲେ। ଯେମିତି କି ସର୍ବସାଧାରଣ ସ୍ଥାନରେ ଧୂମ ପାନ କରିବ ନାହିଁ, ମଳ ତ୍ୟାଗ କି ପରିଶ୍ରା କରିବ ନାହିଁ ବା ପଲିଥିନ ବ୍ୟବହାର କରିବ ନାହିଁ ଭଳି ଗୋଟିଏ ନିୟମ। ଯଦି ଏହି ନିୟମ କେହି ପାଳନ କରିବେ ନାହିଁ ତେବେ ସେମାନଙ୍କୁ ଦଣ୍ଡିତ କରିବାର ପ୍ରାବଧାନ ମଧ୍ୟ ରହିଲା, କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସେହି ସବୁ ନିୟମଗୁଡ଼ିକ ମଧ୍ୟରୁ କୌଣସିଟି ବି କାମ କରୁ ନାହିଁ। ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର କରିବାର ନିୟମଟିର ମଧ୍ୟ ସେହି ସମ ଦଶା ହେଲା।

ତେବେ ଟ୍ରାଫିକ ନିୟମ ଭଙ୍ଗ କଲେ ଯାନବାହାନ ଚାଳକମାନଙ୍କୁ ଦଣ୍ଡିତ କରିବା ପାଇଁ ସରକାର ଯେଉଁ ବିଶେଷ ଆଗ୍ରହ ଦେଖାଇଲେ ଅନ୍ୟାନ୍ୟ ନିୟମଗୁଡ଼ିକୁ ଲାଗୁ କରିବା କ୍ଷେତ୍ରରେ ସରକାର କାହିଁକି ଏତେ ଉଦାସୀନ? ଆମକୁ ମନେ ରଖିବାକୁ ହେବ ଯେ ସରକାର ଖାଲି ନିୟମ ପ୍ରଣୟନ କରି ଦେଲେ ଚଳିବ ନାହିଁ। ଯଦି କେବଳ ନିୟମ ପ୍ରଣୟନ କରାଯିବ ଓ ତାହାକୁ ପ୍ରଚଳନ କରାଯିବ ନାହିଁ, ତେବେ ତାହା ଜନ ମାନସରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ଭୁଲ ଧାରଣା ଦେବା ହିଁ ଦେବ।

ବିଶେଷ କରି ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନକେଲେ କିଏ କାହାକୁ ଦଣ୍ଡିତ କରିବ? ଯଦି ସରକାରଙ୍କ ଦ୍ଵାରା ପ୍ରଣିତ ନିୟମ ସରକାରୀ ଅଧିକାରୀମାନେ ମାନିବେ ନାହିଁ, ତେବେ ସାଧାରଣ ଲୋକେ ସେହି ସରକାରଙ୍କ ଦ୍ଵାରା ପ୍ରଣିତ ଅନ୍ୟାନ୍ୟ ନିୟମଗୁଡିକୁ ମାନିବେ କାହିଁକି?

ଘଟଣାକ୍ରମେ କିଛି ଦିନ ତଳେ ଏହି ଲେଖକ ପର୍ଯ୍ୟଟନ ବିଭାଗର ଅପେକ୍ଷା କରିବା ସ୍ଥାନରେ କିଛି ସମୟ କାଟିଥିଲା। ସେହି ସମୟ ଭିତରେ ଦୃଷ୍ଟିରେ ପଡ଼ିଲା ସତେ ଯେମିତି ଏହି ବିଭାଗଟି ଓଡ଼ିଶାରେ ନୁହେଁ, ବରଂ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ଅଣ-ଓଡ଼ିଆ ପ୍ରଦେଶରେ ଅବସ୍ଥିତ। ସେଠାରେ କାମ କରୁଥିବା ତରୁଣମାନେ ଦୃପ୍ତ ବେଗରେ ଯିବା ଆସିବା କରିବା ଭିତରେ ଇଂରାଜୀ ବା ହିନ୍ଦୀ ଭାଷାରେ ହିଁ କଥା ବାର୍ତ୍ତା କରିବାକୁ ଅଧିକ ପସନ୍ଦ କରୁଥିଲେ। ଯେଉଁ ସରକାରୀ ବିଭାଗରେ ଓଡ଼ିଆ ଭାଷାକୁ କଥା ବାର୍ତ୍ତାରେ ବି ଆଦୌ ବ୍ୟବହାର କରାଯାଉ ନାହିଁ ସେଠାରେ ସରକାରୀ କାଗଜପତ୍ରରେ ଯେ ଓଡ଼ିଆ ଭାଷାକୁ ବ୍ୟବହାର କରାଯିବ ବୋଲି ଆଶା କରିବା ସଂପୂର୍ଣ୍ଣ ବୃଥା ବୋଲି କହିଲେ କିଛି ଭୁଲ ହେବ ନାହିଁ।

ଖୋଦ ରାଜ୍ୟ ରାଜଧାନୀରେ ଯଦି ଓଡ଼ିଆ ଭାଷା ବ୍ୟବହାର ପ୍ରତି ଏତେ ବୈମାତୃକ ଭାବ ରହିଛି ତେବେ ଆମ ଓଡ଼ିଆ ଭାଷା କ’ଣ କେବଳ ଗାଁ ଗହଳରେ କଥିତ ଭାଷା ହୋଇ ବ୍ୟବହାର ହୋଇ ବଞ୍ଚି ରହିବ?

ଭାଷା ବ୍ୟବହାର ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ନୀତି ନିଶ୍ଚିତ ରୂପେ ଏଠାରେ ପ୍ରଣିଧାନ ଯୋଗ୍ୟ। ସବୁ ରେଳଷ୍ଟେସନର ନାମ ଫଳକରେ ଆମେ ସମ୍ପୃକ୍ତ ଷ୍ଟେସନର ନାମ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଲିଖିତ ଥିବା ଏକ ସାଧାରଣ ଦୃଶ୍ୟ। କିନ୍ତୁ ଏବେ ବି ଆମର କେତେକ ସରକାରୀ ଦପ୍ତରର ନାମ ଫଳକରେ ତାହା ଦେଖା ଯାଉ ନାହିଁ। ଓଡ଼ିଶାରେ ବ୍ୟବସାୟ କରୁଥିବା ସ୍ଥାନୀୟ ବ୍ୟବସାୟୀ ମଧ୍ୟ ସେମାନଙ୍କ ନାମ ଫଳକକୁ ଇଂରାଜୀରେ ଲେଖିବାକୁ ଅଧିକ ପସନ୍ଦ କରୁଛନ୍ତି।

ଏହା କି ପ୍ରକାରର ବିକୃତ ମାନସିକତା? ଜଣେ ଯଦି ଫ୍ରାନ୍ସ, ଜର୍ମାନୀ କି ଅଷ୍ଟ୍ରିଆ ଆଦି ଦେଶକୁ ଯିବ ଦେଖିବ ଯେ ସେମାନେ ସେମାନଙ୍କ ଦେଶର ଭାଷାକୁ କେଉଁ ଗୁରୁତ୍ଵ ଦେଉଛନ୍ତି। ସବୁ ଆଡ଼େ ସବୁ କିଛି ସେଠାକାର ନିଜସ୍ଵ ଭାଷାରେ ଲେଖାଥିବ। ଜଣେ ଯଦି ତାହା ବୁଝିବାକୁ ଚାହିଁବ ତେବେ ସେ ଦିଗରେ ନିଜେ ଚେଷ୍ଟା କରିବାକୁ ପଡ଼ିବ। କିନ୍ତୁ ଓଡ଼ିଆ ଭାଷାକୁ ବ୍ୟବହାର କରିବାରେ ଆମର ଏପରି ହୀନମନ୍ୟତା କାହିଁକି? ଆମର ଜାତୀୟତାବୋଧ ବାବଦରେ ଆମେ ବହୁତ ନାରା ଦେଉଛନ୍ତି, କିନ୍ତୁ ଭାଷା ବ୍ୟବହାର ବିନା ଆମର ଜାତୀୟତାର ବା କେଉଁ ସ୍ଵତନ୍ତ୍ରତା ରହିବ?

ଆଶା ୨୦୨୦ରେ ଲୋକେ ଅଧିକ ସଚେତନ ହେବେ ଓ ଓଡ଼ିଆ ଭାଷାକୁ ବ୍ୟବହାର କରିବା ପାଇଁ କୁଣ୍ଠିତ ହେବେ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment