କପିଳାସ ଭୂୟାଁ

ପାଠକଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିବ ଯେ ନବୀନଙ୍କ ନିଶ କାହିଁ? ଅବଶ୍ୟ ଏଭଳି ପ୍ରଶ୍ନ ଅମୂଳକ ନୁହେଁ।

୧୯୯୭ ମସିହାଠାରୁ ଯେବେଠୁ ନବୀନ ପଟ୍ଟନାୟକ ଏ ରାଜ୍ୟକୁ ଆସିଲେଣି ସେବେଠାରୁ ଏ ପର୍ଯ୍ୟନ୍ତ କୋଡ଼ିଏ ବର୍ଷ ଭିତରେ ତାଙ୍କୁ କେବେ ନିଶ ରଖିଥିବାର ଦେଖାଯାଇ ନାହିଁ। ନିଶ ନଥାଇ ବି ତାଙ୍କର କିଛି ଅସୁବିଧା ହୋଇନାହିଁ। ପ୍ରଥମ ଥର ପାର୍ଲାମେଣ୍ଟ ନିର୍ବାଚନ ଜିତି ୧୯୯୮ରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ହୋଇଥିଲେ।

୨୦୦୦ ମସିହାଠାରୁ ଲଗାତାର ନିର୍ବାଚନ ଜିତି ବିଜୁ ଜନତା ଦଳର ସୁପ୍ରିମୋ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଏହା ମଧ୍ୟରେ ସେ ଚତୁର୍ଥ ପାଳି ଶାସନର ଶେଷ ଭାଗରେ ପହଞ୍ଚିଲେଣି। ଆଗକୁ ୨୦୧୯ ସାଧାରଣ ନିର୍ବାଚନରେ ନବୀନ ବାବୁଙ୍କ ନେତୃତ୍ଵରେ ବିଜୁ ଜନତା ଦଳ ଯେ ପୁଣି ସରକାର ଗଢ଼ିବାକୁ ସକ୍ଷମ ହେବ ଓ ନବୀନ ବାବୁ ପୁଣି ପଞ୍ଚମ ଥର ପାଇଁ ଯେ ମୁଖ୍ୟମନ୍ତ୍ରୀ ହେବେ ସାଧାରଣରେ ସେଭଳି ଏକ ଧାରଣା ବଳବତ୍ତର ରହିଛି।

ଏହି ପରିପ୍ରେକ୍ଷୀରେ ନିକଟରେ ରାଜଧାନୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ହକି ବିଶ୍ଵକପ ଯଥେଷ୍ଟ ଗୁରୁତ୍ଵ ବହନ କରେ। ବିରୋଧୀ ଦଳମାନେ ଏହାକୁ ନବୀନଙ୍କର ଏକ ନିର୍ବାଚନୀ ଚାଲ ବୋଲି ଅଭିହିତ କରିଥିବା ବେଳେ ଓଡ଼ିଶାର ସାଧାରଣ ଜନତା କିନ୍ତୁ ନବୀନଙ୍କ ପ୍ରଶଂସାରେ ଶତମୁଖ। ପ୍ରଥମତଃ ଆମ ରାଜ୍ୟରେ ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକିର ଏନ୍ତୁଡ଼ିଶାଳ। ସେଠାରେ ତିଆରି ହେଉଥିବା ହକି ଖେଳାଳିମାନେ ଦେଶର ଉଭୟ ପୁରୁଷ ଓ ମହିଳା ଦଳରେ ସାମିଲ ହୋଇ ଦେଶ ପାଇଁ ଯଥେଷ୍ଟ ସୁନାମ ଅର୍ଜ୍ଜନ କରି ଆସୁଛନ୍ତି।

ଦ୍ଵିତୀୟରେ ହକି ବିଶ୍ଵକପ ଆୟୋଜନ କରିବାକୁ ଅନ୍ୟ କୌଣସି ରାଜ୍ୟ ଆଗ୍ରହ ଦେଖାଇ ନଥିବା ବେଳେ ସେଥିପାଇଁ ଓଡ଼ିଶା ପୂର୍ଣ୍ଣ ପ୍ରାଣରେ ଆଗଭର ହୋଇଥିଲା। ଖାଲି ସେତିକି ନୁହେଁ, ମାତ୍ର ଦଶ ମାସ ସମୟ ମଧ୍ୟରେ ହକି ବିଶ୍ଵ କପକୁ ଏଭଳି ଈର୍ଷଣୀୟ ସଫଳତାର ସହ ଆୟୋଜନ କରାଯାଇ ପାରିଲା ଯେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳପ୍ରେମୀ ଓ ଖେଳ ଅନୁଷ୍ଠାନଗୁଡ଼ିକ ଏହାର ଭୂୟଶୀ ପ୍ରଶଂସା କଲେ। ଏପରିକି ସ୍ଵୟଂ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଆୟୋଜନର ପ୍ରଶଂସା କରିବାକୁ ପଛାଇଲେ ନାହିଁ। ଏହାକୁ ହିଁ ନବୀନଙ୍କ ନିଶ ବୋଲି କୁହାଯାଇ ପାରିବ।

ତେଣୁ ହକି ହେଉଛି ନବୀନଙ୍କ ନିଶ! ତାହା ଦେଖିବାକୁ ମିଳିଲା ହକି ବିଶ୍ଵକପର ଉଦଯାପନୀ ଉତ୍ସବରେ।

ଗତ କୋଡ଼ିଏ ବର୍ଷ ଭିତରେ ଯାହା ହୋଇ ନଥିଲା ହକି ବିଶ୍ଵକପ ଉଦଯାପନ ଉତ୍ସବରେ ତାହା ଦିଶିଲା। ନେଦରଲାଣ୍ଡ ଭଳି ତିନି ତିନି ଥର ବିଶ୍ଵକପ ବିଜୟୀ ଦଳକୁ ବେଲଜିୟମ ୩-୨ ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ଵକପ ବିଜୟୀ ହୋଇ ଇତିହାସ ରଚିଲା। ଉଦଯାପନୀ ଉତ୍ସବରେ ବିଜୟୀ ବେଲଜିୟମ ଦଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସତାକ ଓ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତିରେ ବିଶ୍ଵକପ ଟ୍ରଫି ପ୍ରଦାନ କଲାବେଳର ଯେଉଁ ଫୋଟୋଚିତ୍ର ଗଣମାଧ୍ୟମରେ ବହୁଳ ଭାବେ ପ୍ରକାଶ ପାଇଲା ତହିଁରେ ନବୀନଙ୍କ ନିଶ ସ୍ପଷ୍ଟ ଦୃଶ୍ୟମାନ। ସମସ୍ତ ଅତିଥି ହସି ହସି ବେଲଜିୟମ ଦଳର ଅଧିନାୟକଙ୍କ ହାତକୁ ଟ୍ରଫି ବଢ଼ାଇ ଦେଲାବେଳେ ଟ୍ରଫିର ସର୍ବୋଚ୍ଚ ଭାଗରେ ରହିଥିବା ହକି ଷ୍ଟିକଟି ନବୀନଙ୍କ ନାକ ତଳେ ନିଶ ପରି ରହିଥିବାର ଦେଖିବାକୁ ମିଳିଲା। ତେବେ ହକି ନବୀନଙ୍କ ନିଶ ପାଲଟି ଗଲା ବୋଲି କହିଲେ କଣ କିଛି ଅତ୍ୟୁକ୍ତି ହେବ?

ଅନ୍ୟପକ୍ଷରେ ନବୀନଙ୍କ ହକି ବିଶ୍ଵକପ ଆୟୋଜନ ପଛରେ ନିର୍ବାଚନୀ ଗୋଟି ଚାଳନା ରହିଛି ବୋଲି ବିରୋଧୀ ଦଳଗୁଡିକର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ନୁହେଁ। ନଚେତ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଶାହରୁଖ ଖାଁ, ମାଧୁରୀ ଦୀକ୍ଷିତ ଓ ଏ ଆର ରେହମାନଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ଉପସ୍ଥିତିରେ ହକି ବିଶ୍ଵକପର ଉଦଘାଟନୀ ଉତ୍ସବ ମହାଡ଼ମ୍ବରରେ ପାଳନ ହେବା ପରେ ପୁଣି ବଲିଉଡ ଷ୍ଟାର ସଲମାନ ଖାଁଙ୍କୁ ନେଇ କଟକର ବାରବାଟୀ ଷ୍ଟାଡିୟମରେ ଆଉ ଗୋଟିଏ ଉଦଘାଟନୀ ଉତ୍ସବ ପାଳନ କାହିଁକି କରାଗଲା? ଯଦିଓ ବା ସେଠାରେ ଗୋଟିଏ ହେଲେ ମ୍ୟାଚ ଖେଳାଗଲା ନାହିଁ! ଏହାଛଡା କୌଣସି ବିଶ୍ଵକପ ଆୟୋଜନ ବେଳେ ବିଶ୍ଵର ଅନ୍ୟ କେଉଁଠାରେ ଦୁଇ ଦୁଇଟି ଉଦଘାଟନୀ ଉତ୍ସବ ଆୟୋଜନର ତ ଆଦୌ ନଜିର ନାହିଁ!! ଏହାକୁ ଅନ୍ୟ ଏକ ଇତିହାସ ରଚନା ବୋଲି କହିବା ସହ ଏହା ଯେ ସଂଗୁପ୍ତରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନୀ ପ୍ରଚାର ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ତହିଁରେ କୌଣସି ସନ୍ଦେହ ନାହିଁ।

ଅବଶ୍ୟ ଦେଶର ସବୁ ରାଜନୈତିକ ଦଳ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ସେମାନଙ୍କ ରଣକୌଶଳ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଲେଣି। ତେବେ ବିଜୁ ଜନତା ଦଳ ପକ୍ଷରୁ ନବୀନ ଅନ୍ୟମାନଙ୍କ ତୁଳନାରେ ଚାରି ପାଦ ଆଗରେ ରହିଛନ୍ତି ବୋଲି କହିଲେ କିଛି ଭୁଲ ହେବନାହିଁ। ହକି ବିଶ୍ଵକପ ଆୟୋଜନର ମାତ୍ର ୧୦ ଦିନ ପୂର୍ବରୁ ନବୀନ ପଟ୍ଟନାୟକ ତାଙ୍କର ନିର୍ବାଚନ ଅତି ଧୁରନ୍ଧର ଭାବେ ଆରମ୍ଭ କଲେ। ନଭେମ୍ବର ୨୦ ତାରିଖ ଦିନ ରାଜ୍ୟ ବିଧାନ ସଭାରେ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ସର୍ବସମ୍ମତି ପ୍ରସ୍ତାବ ପାରିତ ହେଲା। ସେହି ଅବସରରେ ନବୀନ ବାବୁ ତାଙ୍କ ମତ ପ୍ରକାଶ କରିବାକୁ ଯାଇ କହିଲେ ଯେ ମହିଳାମାନଙ୍କୁ ସଶକ୍ତ ନକରି କୌଣସି ପରିବାର, ସମାଜ କି ରାଜ୍ୟ କିମ୍ବା ଦେଶ ପ୍ରଗତି କରି ପାରିବ ନାହିଁ ଓ ମହିଳା ସଶକ୍ତିକରଣ ପ୍ରତି ସେ ଆନ୍ତରିକ ଭାବେ ଆଗ୍ରହୀ। ଏହା କେବଳ ରାଜ୍ୟ ନୁହେଁ, ବରଂ ସାରା ଦେଶରେ ନବୀନ ବାବୁଙ୍କ ସପକ୍ଷରେ ଯଥେଷ୍ଟ ପ୍ରଭାବ ପକାଇବା ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅକଳରେ ପକାଇଦେଲା। ରାଜନୈତିକ ବିଶେଷଜ୍ଞମାନେ ଏହାକୁ ନିର୍ବାଚନ ନିମନ୍ତେ ନବୀନଙ୍କର ଅତି ଧୂରୀଣ ଗୋଟିଚାଳନା ବୋଲି କହିଲେ। କାରଣ ଏହି ପ୍ରସ୍ତାବ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସମେତ ସମସ୍ତ ରାଜନୈତିକ ଦଳଗୁଡିକୁ ଅକଳରେ ପକାଇଦେଲା ଓ ସବୁ ବିରୋଧୀଙ୍କୁ ଚୁପ କରିଦେଲା।

୧୯୯୨ ମସିହାରେ ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ କରି ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟ ଓ ବିଧାନସଭା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଚାହୁଁଥିଲେ। ସେବେଠାରୁ ଗତ ୨୫ ବର୍ଷ ଭିତରେ ତଥା ଦେଶ ସ୍ଵାଧୀନ ହେବାର ୭୦ ବର୍ଷ ଭିତରେ କୌଣସି ରାଜନୈତିକ ଦଳ ହେଉ କିମ୍ବା ମେଣ୍ଟ ସରକାର ଚଳାଇବା ବେଳେ ଏହି ପଦକ୍ଷେପ ନେଇ ପାରିନାହାନ୍ତି। ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନବୀନ ବାବୁ ତାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଚାହିଁବା ନିଶ୍ଚୟ ତାଙ୍କ ରାଜନୈତିକ ପରିପକ୍ଵତାର ପରିଚୟ ଦେଉଛି ବୋଲି କହିବା ଅତ୍ୟୁକ୍ତି ହେବନାହିଁ।

ହକି ବିଶ୍ଵକପ ପରେ ରାଜ୍ୟ ସରକାର ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର ତିଆରିର ଲକ୍ଷ୍ୟ ହାସଲ କରିବା ପାଇଁ ବିଜୁ ପକ୍କାଘର ଯୋଜନାକୁ କିପରି ଜନାଭିମୁଖୀ କରିଛନ୍ତି ଓ ଅନ୍ୟାନ୍ୟ ଏକାଧିକ ଜନହିତକାରୀ କାର୍ଯ୍ୟକ୍ରମକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ପିଠା’ ସଭା ଆୟୋଜନ କରି ତ୍ୱରାନ୍ୱିତ ପଦକ୍ଷେପ ନେଉଛନ୍ତି ତାହାର ଯଥେଷ୍ଟ ପ୍ରଚାର ଆରମ୍ଭ କରିଦେଲେ। କିନ୍ତୁ ସଦ୍ୟ ସମାପ୍ତ ପାଞ୍ଚଟି ରାଜ୍ୟର ନିର୍ବାଚନୀ ଫଳାଫଳରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ଦଳର ବିଜୟ ଓ ସେହି ତିନିଟି ରାଜ୍ୟରେ କୃଷି ଋଣ ଛାଡ଼ ଘୋଷଣା ଓଡ଼ିଶା ସରକାରଙ୍କ ପ୍ରଚାର କାର୍ଯ୍ୟକ୍ରମରେ କିଛିଟା ରୋକ ଲଗାଇ ଦେଲା। ତେବେ ଦୁଇ ଦିନର ବ୍ୟବଧାନରେ ନବୀନଙ୍କ ସରକାର ଚାଷୀମାନଙ୍କ ହିତ ପାଇଁ ‘କାଳିଆ’ କାର୍ଯ୍ୟକ୍ରମର ଘୋଷଣା କଲେ, ଯାହାକି ପୁନର୍ବାର ନବୀନ ସରକାରଙ୍କ ଜନହିତକାରୀ ପଦକ୍ଷେପର ପ୍ରଚାରକୁ ପୁନଃଜୀବାନ୍ନ୍ୟାସ ଦେଲା। ଅବଶ୍ୟ ବିରୋଧୀ କଂଗ୍ରେସ ଦଳ ସମେତ କୃଷି ଓ କୃଷକଙ୍କ ସ୍ଵାର୍ଥ ପାଇଁ କାମ କରୁଥିବା ସଂଗଠନଗୁଡିକ ‘କାଳିଆ’ ଯୋଜନାରେ ନୂଆ କିଛି ନାହିଁ ଓ ଏହା କେବଳ ଚାଷୀମାନଙ୍କୁ ବହଲେଇବା ପାଇଁ ଧୂଆଁବାଣ ବୋଲି କହୁଛନ୍ତି। ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଦଳ ପକ୍ଷରୁ କୃଷି ଋଣ ଛାଡ଼ ଘୋଷଣାର ଚାପକୁ ‘କାଳିଆ’ କାର୍ଯ୍ୟକ୍ରମ ଘୋଷଣା ଦ୍ଵାରା ବହୁ ମାତ୍ରାରେ ପ୍ରତିହତ କରାଯାଇ ପାରିଛି ବୋଲି କୁହାଯାଇପାରେ।

ଉଲ୍ଲେଖନୀୟ ଯେ ଅତ୍ୟଧିକ ପ୍ରଚାର ବେଳେବେଳେ ମୂଳ ଉଦ୍ଦେଶ୍ୟକୁ ପ୍ରତିହତ କରିଥାଏ। ୨୦୦୪ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ‘ଇଣ୍ଡିଆ ସାଇନିଙ୍ଗ’ କହି ଯେଉଁ ଅତ୍ୟଧିକ ପ୍ରଚାର କରାଯାଇଥିଲା ତାହାର ଫଳ ସ୍ୱରୂପ ସେହି ନିର୍ବାଚନରେ ହରାଇବା ସହ ପରବର୍ତ୍ତୀ ଦଶ ବର୍ଷ ପର୍ଯ୍ୟନ୍ତ ଲୋକେ ବିଜେପି ସମେତ ଏନଡିଏ ମେଣ୍ଟକୁ କ୍ଷମତାଠାରୁ ଦୂରେଇ ରଖିଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେପି ସମଦଶା ଭୋଗିଲା। ତେଣୁ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ବିଜୁ ଜନତା ଦଳ ତଥା ସରକାର କିଛିଟା ଆତ୍ମ-ସଞ୍ଜମ ରକ୍ଷା କରିବା ଅତି ଗୁରୁତ୍ୱପୂର୍ଣ୍ଣ। କେବଳ ପ୍ରଚାର ନୁହେଁ, ବରଂ ଗାଁ ଗାଁରେ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କ ଦୁଃଖସୁଖ ସହ ଜଡ଼ିତ ହୋଇ ଉଚିତ ସାହାଯ୍ୟ ଓ ସହଯୋଗ କରିବା ଦ୍ଵାରା ବିଜୁ ଜନତା ଦଳ ତା’ର ଆଭିମୁଖ୍ୟ ବଜାୟ ରଖିବା ଦରକାର। ତେବେ ଯାଇ ଭଲ ଫଳ ମିଳିବ।

ଏବେ ଠାରୁ ଯାହା ଜଣା ପଡୁଛି ୨୦୧୯ ସାଧାରଣ ନିର୍ବାଚନ ଅତି ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହେବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଦଳ ପରିବର୍ତ୍ତନ କରିବାରେ ଲାଗିବେ। ଆମ ରାଜ୍ୟରେ ନବୀନଙ୍କ ଷ୍ଟାଇଲ ଓ ଆଶ୍ଚର୍ଯ୍ୟ ଚକିତ କଳା ଭଳି ଗୋଟି ଚାଳନା ବାବଦରେ ଧାରଣା ଥିବା ସମସ୍ତ ଆଶାୟୀ ପ୍ରାର୍ଥୀ ଶେଷ ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ଵାସ ମାରି ପାରିବେ ନାହିଁ। ଅନ୍ୟ ପକ୍ଷରେ ନବୀନଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବକୁ କେନ୍ଦ୍ର ସରକାର ଏତେ ଶୀଘ୍ର ଗ୍ରହଣ କରିବା ଆଦୌ ସମ୍ଭବ ନୁହେଁ। ଏପରି ସ୍ଥଳେ ନବୀନ ହୁଏତ ତାଙ୍କ ଦଳ ପକ୍ଷରୁ ପାର୍ଲାମେଣ୍ଟ ଓ ବିଧାନସଭା ପାଇଁ ୩୩% ସ୍ଥାନରେ ମହିଳାମାନଙ୍କୁ ଟିକେଟ ଦେଇ ଇତିହାସ ରଚିବା ସହ ବିରୋଧୀ ଦଳଗୁଡିକୁ ଅଠାକାଠିରେ ପକାଇ ଦେଇ ପାରନ୍ତି।

ନବୀନ ଆମ ରାଜ୍ୟ ଓ ତାଙ୍କ ନିଜ ପାଇଁ ହକି ବିଶ୍ଵକପ ଆୟୋଜନ କରି ପ୍ରସଂଶାର ଯେଉଁ ନିଶ ତିଆରି କରିଛନ୍ତି ତାକୁ ନିଶ୍ଚୟ ତଳେ ପକାଇ ଦେବାକୁ ଚାହିଁବେ ନାହିଁ।

 (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment