ସରୋଜ କୁମାର ମହାପାତ୍ର

ବିଜେଡି ଫୋକସରେ ପଶ୍ଚିମ ଓଡ଼ିଶା। ୨୦୨୪ରେ ହିଞ୍ଜିଳି ସହିତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

୨୦୧୯ ନିର୍ବାଚନଠାରୁ ଓଡ଼ିଶା ରାଜନୀତିରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଦୁଇ ଦୁଇଟି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେଉଛନ୍ତି। ୨୦୧୯ରେ ନବୀନ ହିଞ୍ଜିଳିକାଟୁ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବେଳେ ଏଥର ମଧ୍ୟ ସେ ହିଞ୍ଜିଳିକାଟୁ ଏବଂ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତେବେ ଦୁଇ ଦୁଇଟି ନିର୍ବାଚନମଣ୍ଡଳୀରୁ ବିଜେଡି ନବୀନଙ୍କୁ କାହିଁକି ପ୍ରାର୍ଥୀ କରୁଛି ତାହା ଏବେ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ନବୀନ ଚଳିତ ନିର୍ବାଚନରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ନେଇ ବିଭିନ୍ନ ମହଲରେ କାରଣ ଖୋଜା ଚାଲିଛି।

କଣ୍ଟାବାଞ୍ଜି ନିର୍ବାଚନ ଗଣିତ

କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲାର ପ୍ରମୁଖ ବିଧାନସଭା ଆସନ। ଏହି ଆସନଟି କଂଗ୍ରେସର ଗଡ଼। ୧୯୬୧ରୁ ୨୦୧୯ ପର୍ଯ୍ୟନ୍ତ ଯେତୋଟି ବିଧାନସଭା ନିର୍ବାଚନ ଏଠାରେ ହୋଇଛି ତା’ଭିତରୁ ମୋଟ ୬ ଥର ଏହି ଆସନ କଂଗ୍ରେସ ଖାତାକୁ ଯାଇଛି। ୧୯୬୧ରେ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିବା ବେଳେ ୧୯୬୭, ୧୯୭୧ ଏବଂ ୧୯୭୪ରେ ସ୍ୱତନ୍ତ୍ର ପାର୍ଟି, ୧୯୯୦ରେ ଜନତା ଦଳ, ୨୦୦୪ରେ ସ୍ୱାଧୀନ ଏବଂ ୨୦୧୪ରେ ବିଜୁ ଜନତା ଦଳର ପ୍ରାର୍ଥୀ କେବଳ ବିଜୟୀ ହୋଇଥିଲେ। ଆଜି ପର୍ଯ୍ୟନ୍ତ ବିଜେପି ଏହି ଆସନରେ ଖାତା ଖୋଲିବାକୁ ସମର୍ଥ ହୋଇପାରିନି।

୧୯୯୫ରୁ କଂଗ୍ରେସ ଏଠି ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରି ଆସୁଛି। ସେ ହିଁ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲଢ଼େଇ କରି ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି। ଏଥର ବି କଂଗ୍ରେସ ପୁଣି ସାଲୁଜାଙ୍କୁ ଟିକେଟ ଦେଇଛି। ତାଙ୍କୁ ମୁକାବିଲା କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇବା ସ୍ପଷ୍ଟ ହୋଇଯାଇଛି।

ବିଜେଡିର ଫୋକସ୍ ପଶ୍ଚିମ ଓଡ଼ିଶା

୨୦୦୦ ମସିହାରୁ ନବୀନ ହିଞ୍ଜିଳିକାଟୁ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ହେଲେ ୨୦୧୯ରେ ନବୀନ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଏବେ ଦ୍ୱିତୀୟ ଥର ପାଇଁ ସେ ପଶ୍ଚିମ ଓଡ଼ିଶାର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଗତ ଥର ପରି ବିଜେଡିର ଫୋକସରେ ଏଥର ପଶ୍ଚିମ ଓଡ଼ିଶା ରହିଥିବା କୁହାଯାଉଛି।

ଫାଇଲ୍ ଫଟୋ

୨୦୧୯ରେ ବିଜେପି ୮ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ତା’ଭିତରେ ୫ଟି କେବଳ ଥିଲା ପଶ୍ଚିମ ଓଡ଼ିଶାରେ। ଏପରିକି ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଲୋକସଭା ଆସନ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ତେଣୁ ଏହାକୁ ଚଳିତ ଥର ବିଜେଡି ଗୁରୁତର ସହ ଗ୍ରହଣ କରିଛି। ପଶ୍ଚିମ ଓଡ଼ିଶାରୁ କିପରି ଅଧିକ ଆସନ ଦଳ ଦଖଲ କରିବ ତାକୁନେଇ ରଣନୀତି ପ୍ରସ୍ତୁତ ହେଉଛି।

ଏଥର ବିଜେପି ‘୪୦୦ ପାର୍’ର ସ୍ଲୋଗାନ ଦେଇଛି। ଓଡ଼ିଶାରୁ ଏଥର କିପରି ୧୦ରୁ ୧୨ ଲୋକସଭା ଆସନ ଦଳ ପାଇବ ସେନେଇ ଗୋଟି ଚାଳନା କରୁଛି। ବିଶେଷକରି, ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଆସନ ଉପରେ ବିଜେପି ନେତାଙ୍କର ନଜର ରହିଛି। ତେଣୁ ବିଜେପିକୁ ଚେକ୍ ଦେବା ସହିତ ପଶ୍ଚିମ ଓଡ଼ିଶାରେ ବିଜେଡି କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ନବୀନ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା କୁହାଯାଉଛି।

ବଲାଙ୍ଗିର ଲୋକସଭା ଆସନରେ କ’ଣ ହେବ?

ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରମୁଖ ଲୋକସଭା କ୍ଷେତ୍ର ହେଉଛି ବଲାଙ୍ଗିର। କଣ୍ଟାବାଞ୍ଜି ସହିତ ଟିଟିଲାଗଡ଼, ପାଟଣାଗଡ଼, ଲୋଇସିଂହା, ବଲାଙ୍ଗିର, ବୀରମହାରାଜପୁର ଏବଂ ସୋନପୁର ଏହି ଲୋକସଭା ଆସନ ଅଧୀନରେ ରହିଛି। ୨୦୧୯ ନିର୍ବାଚନରେ ବଲାଙ୍ଗିର ଲୋକସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କୁ ହରାଇ ଲୋକସଭାକୁ ଯାଇଥିଲେ। ବିଜେଡି ହାତରୁ ବିଜେପି ଏହି ଆସନ ଛଡ଼ାଇ ନେଇଥିଲା।

ସେହିପରି ବଲାଙ୍ଗିର ବିଧାନସଭା ଆସନରେ ହୋଇଥିବା ରୋଚକପୂର୍ଣ୍ଣ ଲଢ଼େଇରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଅର୍କେଶ ସିଂହଦେଓ ପରାଜିତ ହୋଇଥିଲେ। ଅନ୍ୟପଟେ ଲୋଇସିଂହା ବିଜେପି ହାତକୁ ଚାଲି ଯାଇଥିବା ବେଳେ କଣ୍ଟାବାଞ୍ଜି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଅନ୍ୟ ସବୁ ଆସନ ବିଜେଡି ହାତକୁ ଯାଇଥିଲା। କିନ୍ତୁ ଏଥର ବିଭିନ୍ନ ଆସନରେ ଚିତ୍ର ବଦଳିବାକୁ ଯାଉଛି। ବିଭିନ୍ନ ଆସନରେ ବିଜେପି ବଳ ଗୋଟାଉଛି। ତେଣୁ କଣ୍ଟାବାଞ୍ଜିରୁ ନବୀନ ପ୍ରାର୍ଥୀ ହୋଇଥିବାରୁ ବଲାଙ୍ଗିର ଲୋକସଭା ଆସନ ସହିତ ବିଭିନ୍ନ ବିଧାନସଭା ଆସନରେ ବିଜେଡି ଭଲ ପ୍ରଦର୍ଶନ କରିବା ନେଇ ଚର୍ଚ୍ଚା ହେଉଛି।

ବଲାଙ୍ଗିର ଜିଲ୍ଲାରେ କଂଗ୍ରେସର ନରସିଂହ ମିଶ୍ର ଏବଂ ସନ୍ତୋଷ ସିଂ ସାଲୁଜାଙ୍କ ଭଳି ଅଭିଜ୍ଞ ତଥା ଦୃଢ଼ ସଙ୍ଗଠକ ଅଛନ୍ତି। ବିଜେପିର କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏହି ଜିଲ୍ଲାରେ ସକ୍ରିୟ ରାଜନୀତିରେ ଅଛନ୍ତି। ନବୀନ ଏଥର ବଲାଙ୍ଗିର ଜିଲ୍ଲାରୁ ପ୍ରାର୍ଥୀ ହେବା ପରେ ଆଗାମୀ ଦିନରେ ରାଜନୀତି ସମୀକରଣ କିପରି ବଦଳୁଛି ତାହା ଦେଖିବାର କଥା।

୨୦୧୯ରେ କ’ଣ ହୋଇଥିଲା?

୨୦୧୯ରେ ନବୀନ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଯାକ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ନବୀନ ବିଜେପୁରରେ ପ୍ରାର୍ଥୀ ହୋଇଥିବାରୁ ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ବିଜେଡି ଆଶା କରିଥିଲା। ହେଲେ ଗଣିତ ଓଲଟି ଯାଇଥିଲା। ବିଜେପୁର ବିଧାନସଭା ଆସନରୁ ନବୀନ ବିଜୟୀ ହୋଇଥିଲେ ସତ, ହେଲେ ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭା ଆସନକୁ ବିଜେପି ଦଖଲ କରିଥିଲା। ବିଜେପୁର ବରଗଡ଼ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିଲେ ହେଁ ଏହି ଲୋକସଭା ଆସନରେ ବି ବିଜେଡି ପ୍ରାର୍ଥୀ ବିଜୟୀ ହୋଇପାରି ନଥିଲେ। ପରେ ନବୀନ ହିଞ୍ଜିଳି ଆସନ ନିଜ ହାତରେ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ସେଠାରେ ହୋଇଥିବା ଉପନିର୍ବାଚନରେ ବିଜେଡିରୁ ରିତା ସାହୁ ବିଜୟୀ ହୋଇଥିଲେ।

Tags: #OdishaAssemblyElections #NaveenPatnaik #Kantabanji #BalangirLoksabhaSeat #BJD #Politics #Odisha

Comment