ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ଶନିବାର କୋରାପୁଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହି ଅବସରରେ ସେ ରାଜ୍ୟରେ କାର୍ଯ୍ୟକାରୀ ଥିବା ସବୁ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

“ଓଡ଼ିଶାରେ ଏବେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗି ପଡ଼ିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନକୁ ବିରୋଧୀମାନେ ଗ୍ରହଣ କରି ପାରୁନାହାନ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସେମାନଙ୍କୁ ଏହାର ଜବାବ ଦେବେ। ଜନତାଙ୍କ ଆଶୀର୍ବାଦରୁ ରାଜ୍ୟରେ ପୁଣିଥରେ ବିଜେଡି ସରକାର ଗଠନ କରିବ”, କହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ ନିଜ ସମ୍ବୋଧନରେ ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉଛି କି ନାହିଁ ବୋଲି ଉପସ୍ଥିତ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ। ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଅନୁରୋଧ କରିଥିଲେ।

ଚଳିତ ନିର୍ବାଚନ ସମୟରେ ଏହା ନବୀନ ପଟ୍ଟନାୟକଙ୍କ ପ୍ରଥମ ଦକ୍ଷିଣ ଓଡ଼ିଶା ଗସ୍ତ ହୋଇଥିବାରୁ ବିଜେଡିର ସ୍ଥାନୀୟ ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। କୋରାପୁଟ ଓଏମପି ପଡିଆର ସଭାସ୍ଥଳୀରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।  

ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ସମେତ କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା, କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଜୟପୁର ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ, କୋରାପୁଟ ବିଜେଡି ସଭାପତି ଝିନ୍ନ ହିକକା ପ୍ରମୁଖ ଯୋଗ ଦେଇଥିଲେ।

Tags: #OdishaAssemblyElections2024 #NaveenPatnaik #ElectionCampaign #BJD #Koraput #Odisha

LEAVE A REPLY

Please enter your comment!
Please enter your name here