କପିଳାସ ଭୂୟାଁ

ରାଜଧାନୀ ଭୁବନେଶ୍ଵର ସ୍ମାର୍ଟ ସିଟିରେ ପରିଣତ ହେବା ପରେ ଯେଉଁ ଗୋଟିଏ ଅବ୍ୟବସ୍ଥାକୁ ଘେନି ସମସ୍ତଙ୍କର ଅସନ୍ତୋଷ ରହିଛି ତାହା ହେଲା ସାମାନ୍ୟ ଦୁଇ ଅସରା ବର୍ଷା ହେଲେ ରାସ୍ତା ଘାଟ ଗଳି ସବୁଆଡେ ପାଣି ଜମିଯିବା। ଏହାର ଏକ ମୁଖ୍ୟ କାରଣ ହେଉଛି ଯେ ଏଠାରେ ଥିବା ସମସ୍ତ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକୁ ଅବରୋଧ କରି ବହୁ ସଂଖ୍ୟାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଅବିଚାରିତ ଭାବେ କରାଯାଇଛି। ବିଳମ୍ବରେ ହେଲେ ବି ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ହୋଇଥିବା ବିସ୍ତୃତ ଯୋଜନା ରାଜଧାନୀ ବାସିନ୍ଦାଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସିର କଥା।

ଏହି ଯୋଜନା ଅନୁଯାୟୀ ଭୁବନେଶ୍ଵରରେ ରହିଥିବା ୧୩ଟି ପ୍ରାକୃତିକ ନଳାର ପୁନରୁଦ୍ଧାର କରିବା ପାଇଁ ବିଏମସି ଅଣ୍ଟା ଭିଡିଛି। ଏହି ଯୋଜନା ଅନୁଯାୟୀ ୧୩ଟି ଯାକ ପ୍ରାକୃତିକ ନଳାର ସମୁଦାୟ ପ୍ରାୟ ୬୬ କି ମି ଦୈର୍ଘ୍ୟ ବିଶିଷ୍ଟ ଅଞ୍ଚଳକୁ ପୁନରୁଦ୍ଧାର କରାଯିବ। ଏହି କାର୍ଯ୍ୟ ପାଇଁ ୭୫୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୬୨ ଏକର ଜମି ଅଧିଗ୍ରହଣ କରିବାକୁ ପଡିବ। ଏହି କାର୍ଯ୍ୟ ପାଇଁ ନକ୍ସା ପ୍ରସ୍ତୁତ କରିବା ସହ ଜମି ମଧ୍ୟ ଚିହ୍ନଟ କରାଯାଇ ସାରିଛି।

ଟ୍ରାନ୍ସଫରମେବଲ ଡେଭଲପମେଣ୍ଟ ଆକ୍ଟ ବଳରେ ବିଏମସି ସିଧାସଳଖ ସହଜରେ ଏହି ସବୁ ଘରୋଇ ଜମିକୁ ଅଧିଗ୍ରହଣ କରି ପାରିବ ବୋଲି ଆଶା ରଖାଯାଇଛି। ତେବେ ବିଭାଗୀୟ ଅନୁମୋଦନ ଲାଭ କଲା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଯେହେତୁ ସାରା ଭୁବନେଶ୍ଵରର ସ୍ଵାର୍ଥ ଏହି ଯୋଜନା ସହ ସଂଶ୍ଳିଷ୍ଟ, ତେଣୁ ସରକାରୀ ଅନୁମୋଦନ ହାସଲ କରିବା ଆଦୌ କଷ୍ଟ ସାଧ୍ୟ ହେବ ନାହିଁ ବୋଲି ମନେ କରାଯାଉଛି। ଏହି ଯୋଜନାକୁ ଯଦି ଛ’ ମାସ ମଧ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିବ ତେବେ ହୁଏତ ଆସନ୍ତା ବର୍ଷା ଋତୁ ବେଳକୁ ରାଜଧାନୀବାସୀ ଜଳବନ୍ଦୀ ଦୁର୍ଦ୍ଦଶାରୁ ତ୍ରାହି ପାଇ ପାରିବେ।

ପ୍ରାକୃତିକ ନଳାଗୁଡ଼ିକୁ ଅବରୋଧ କରିବା ଓ ଢାଲୁ ଥିବା ସ୍ଥାନରେ ରାସ୍ତା ନିର୍ମାଣ ସମୟରେ ତାହାର ଉଚ୍ଚତା ବୃଦ୍ଧି ନକରିବା ଦ୍ଵାରା ସାମାନ୍ୟ ବର୍ଷାରେ ବି ଅଣ୍ଟାଏ ଉଚ୍ଚରେ ପାଣି ଜମି ଯାଉଛି। ଏହାର ସ୍ପଷ୍ଟ ଉଦାହରଣ ହେଉଛି ଇସ୍କନ ମନ୍ଦିର ସାମ୍ନା, ବମିଖାଲ ରାସ୍ତା ଓ ସେହିଭଳି ରାଜଧାନୀର ଏକାଧିକ ତଳୁଆ ଅଞ୍ଚଳ। ଆଚାର୍ଯ୍ୟ ବିହାର ଭଳି ତଳୁଆ ଅଞ୍ଚଳ କଥା ନକହିବା ଭଲ। ଏଠାରେ ଲୋକେ ବର୍ଷା ଦିନେ ଘରୁ ବାହାରିବା ବି ମୁସ୍କିଲ ହୁଏ।

ତେବେ ଏଭଳି ସ୍ଥିତି କେମିତି ସୃଷ୍ଟି ହେଲା?

ଷାଠିଏ ଦଶକରେ ରାଜଧାନୀରେ ଏକ ସୁସଂହତ ନିଷ୍କାସନ ବ୍ୟବସ୍ଥା ଥିଲା। ପ୍ରତି ରାସ୍ତାର ଉଭୟ ପାର୍ଶ୍ଵରେ ଇଟା ଯୋଡେଇ ନାଳ ଥିଲା। ରାସ୍ତାଗୁଡିକୁ ମଧ୍ୟ ଭାଗରୁ ଉଭୟ ପାର୍ଶ୍ଵକୁ ଗଡାଣିଆ କରି ତିଆରି କରାଯାଇଥିବାରୁ ବର୍ଷା ହେବା ମାତ୍ରେ ପାଣି ଉଭୟ ପାର୍ଶ୍ଵର ନାଳଗୁଡ଼ିକ ମଧ୍ୟକୁ ଗଡ଼ି ଯାଉଥିଲା ଓ ସେହି ନାଳଗୁଡ଼ିକ ପ୍ରାକୃତିକ ନିଷ୍କାସନ ସହ ସଂଯୁକ୍ତ ହୋଇଥିବାରୁ ସବୁ ପାଣି ଯାଇ ସେହି ବାଟରେ ସହର ବାହାରେ ଥିବା କେନାଲ ଓ ନଦୀଗୁଡ଼ିକରେ ନିଷ୍କାସିତ ହୋଇ ଯାଉଥିଲା।

କିନ୍ତୁ ରାଜଧାନୀର ଆକାର ବୃଦ୍ଧି ପାଇବା ସହ କାଳ କ୍ରମେ ସମସ୍ୟା ବଢ଼ିବାରେ ଲାଗିଲା। ଲୋକମାନଙ୍କ ଲୋଭ ଓ ସେମାନଙ୍କ ଉପରେ ପ୍ରଶାସନର କୌଣସି ଅଙ୍କୁଶ ନରହିବା ଫଳରେ ଗତ ପଚାଶ ଷାଠିଏ ବର୍ଷ ଭିତରେ ସମସ୍ୟା ବହୁଗୁଣିତ ହୋଇ ଏବେ ଅତିରିକ୍ତ ହୋଇ ଯାଇଛି।

ଭୁବନେଶ୍ଵର ଭିତରେ ଓ ଚାରିପାଖରେ ଘେରି ରହିଥିବା ପ୍ରାକୃତିକ ନିଷ୍କାସନ ନାଳଗୁଡ଼ିକ ମଧ୍ୟରେ ରହିଛି ଚନ୍ଦ୍ରଶେଖରପୁର ଫରେଷ୍ଟ ଲେକରୁ ଗଙ୍ଗୁଆ ନାଳ, ସୈନିକ ସ୍କୁଲ ନିକଟରୁ ରେଲୱେ ବ୍ରିଜ ପର୍ଯ୍ୟନ୍ତ ୩ ନମ୍ବର ନାଳ, ଗଜପତି ନଗରରୁ ଗଙ୍ଗୁଆ ନାଳ, ଏକାମ୍ର କାନନ ଲେକରୁ ଗଙ୍ଗୁଆ ନାଳ, ରେଳ ଷ୍ଟେସନ ନିକଟ ବୁଦ୍ଧ ନଗରରୁ ଗଙ୍ଗୁଆ ନାଳ, ଗଙ୍ଗା ନଗର ବନଦୁର୍ଗା ନଗରରୁ ଗଙ୍ଗୁଆ ନାଳ, ଜନପଥ କଲଭର୍ଟ ଠାରୁ ଗଙ୍ଗୁଆ ନାଳ, ସିଆରପିଏଫ କ୍ୟାମ୍ପସରୁ ୮ ନମ୍ବର ନାଳ, ଓମ୍ଫେଡ ଛକରୁ ଗାଡକଣ ୧ ନମ୍ବର ନାଳ, ନୂଆପଲ୍ଲୀରୁ ଶାସ୍ତ୍ରୀ ନଗର ଓ ସତ୍ୟନଗର ମଶାଣି ପାଖ ଦେଇ ଗଙ୍ଗୁଆ ପର୍ଯ୍ୟନ୍ତ ଯାଇଥିବା ନାଳ, ଓୟୁଏଟି ଫାର୍ମ ପାଖରୁ ପଞ୍ଚସଖା ନଗର ୯ ନମ୍ବର ନାଳ ଓ କିଟ ଛକରୁ କ୍ଲବ ଟାଉନ ଦେଇ ଯାଇଥିବା ନାଳ ଇତ୍ୟାଦି।

ଏଠାରେ କହି ରଖିବା ଦରକାର ଯେ ଏହି ସବୁ ପ୍ରାକୃତିକ ନାଳ ଗୁଡିକର ଆକାର ପ୍ରାଥମିକ ଅବସ୍ଥାରେ ସଂକୀର୍ଣ୍ଣ ଥିଲା ଓ ଏଗୁଡ଼ିକର ଉଭୟ ପାର୍ଶ୍ଵରେ ସ୍ଥାନୀୟ ଲୋକମାନଙ୍କର ଚାଷ ଜମି ରହିଥିଲା। ଏପରିକି ମଧ୍ୟ-ଅଶୀ ଦଶକ ପର୍ଯ୍ୟନ୍ତ ଏହି ଜମି ସବୁରେ ଧାନ ଚାଷ ମଧ୍ୟ ହେଉଥିଲା। କିନ୍ତୁ ଅମଳ ହେଉଥିବା ଧାନ ପର୍ଯ୍ୟାପ୍ତ ନଥିବାରୁ ସେହି ସବୁ ଚାଷ ଜମିକୁ ସେବେକାର ବଡ଼ବଡ଼ିଆ ଲୋକମାନେ ଶାଗମାଛ ଦାମ ଦେଇ ଜମି ମାଲିକମାନଙ୍କ ଠାରୁ କିଣି ନେଲେ ଓ ଚାଷ ଜମିର କିସମ ନବଦଳାଇ  କୌଣସି ଅନୁମୋଦିତ ନକ୍ସା ବିନା ଆଖିବୁଜି କୋଠାବାଡି ନିର୍ମାଣ କରିବାରେ ଲାଗିଲେ।

ସେତେବେଳେ ନା ମ୍ୟୁନିସିପାଲିଟି ନା ବ୍ରିଟ, ଯାହା ପରବର୍ତ୍ତୀ ସମୟରେ ବିଡିଏ ରୂପ ନେଇଛି, ସହରର ଯୋଜନାବଦ୍ଧ ବିକାଶ ପାଇଁ ଉଦ୍ଧିଷ୍ଟ କୌଣସି ସଂସ୍ଥା ପକ୍ଷରୁ କୌଣସି ବିରୋଧ କରାଗଲା ନାହିଁ। ସେତେବେଳକାର ନିୟମ ଅନୁଯାୟୀ ବ୍ରିଟ କିମ୍ବା ବିଡିଏର ଅନୁମୋଦିତ ନକ୍ସା ନଥାଇ ଯଦି କେହି କୌଣସି କୋଠାବାଡ଼ି ନିର୍ମାଣ କରେ ତେବେ ସେଭଳି ନିୟମ ଉଲ୍ଲଙ୍ଘନକାରୀମାନଙ୍କ ଘରକୁ ଜଳ ଓ ବିଦ୍ୟୁତ ସଂଯୋଗ ଦିଆଯିବ ନାହିଁ। କିନ୍ତୁ ନିୟମ ତା’ ବାଟରେ ରହିଲା ଓ ଲୋକେ ଅନାୟାସରେ ସେମାନଙ୍କ ବେନିୟମରେ ତିଆରି ଘରଗୁଡ଼ିକୁ ଜଳ ଓ ବିଦ୍ୟୁତ ସଂଯୋଗ କରାଇ ପାରିଲେ। କ୍ରମେ ଏହି ଉଦ୍ୟମ ଜାରି ରହିଲା ଓ ରାଜଧାନୀର ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡିକ ଉପରେ ଅବରୋଧ ଏତେ ମାତ୍ରାରେ ବଢି ଚାଲିଲା ଯେ ଅବସ୍ଥା ଏବେ ଅସମ୍ଭାଳ ହେଲାଣି।

ବିଳମ୍ବରେ ହେଲେ ବି ବିଏମସି ପକ୍ଷରୁ ଏବେ ଯେଉଁ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି ତାହା ପ୍ରକୃତରେ ସ୍ଵାଗତଯୋଗ୍ୟ। କିନ୍ତୁ ଲୋକମାନେ ଯେ ସହର ମଝିରେ ଥିବା ସେମାନଙ୍କ ଜମିଗୁଡିକୁ ସହଜରେ ବିଏମସି ଅଧିଗ୍ରହଣ ପାଇଁ ଛାଡିଦେବେ ତାହା ଦୃଢ ଭାବେ କହି ହେବ ନାହିଁ। ସେଥିପାଇଁ ବିଏମସି ପ୍ରଥମରୁ ସତର୍କ ରହିବା ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment