କପିଳାସ ଭୂୟାଁ

ଭୁବନେଶ୍ଵରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସବୁ ଚେଷ୍ଟା ଜାରି ରହିଥିବା ବେଳେ ନିୟମକାନୁନକୁ ସଠିକ ଭାବେ ପ୍ରୟୋଗ କରିବା କ୍ଷେତ୍ରରେ ଉପଯୁକ୍ତ ବ୍ୟବସ୍ଥା ନରହିବା ପରସ୍ପରର ବିରୋଧାଚରଣ କରୁ ନାହିଁ କି?

ଡିସେମ୍ବର ୧ରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। କେବଳ ଗାଡ଼ିର କାଗଜପତ୍ର ଓ ପଲ୍ୟୁସନ ପ୍ରମାଣପତ୍ର ଛଡା ଅନ୍ୟ ସବୁ ନିୟମ ଉଲ୍ଲଂଘନ ପାଇଁ ବିନା ଦୟାମାୟାରେ ଜରିମାନା ଆଦାୟ କରାଯାଉଛି। ଫଳରେ ଯେଉଁମାନେ ଅଭ୍ୟାସଗତ ଭାବେ ଟ୍ରାଫିକ ନିୟମ ଭାଙ୍ଗୁଥିଲେ ସେମାନଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି। ଏହା ପୋଲିସ ବିଭାଗ ପକ୍ଷରୁ ଏକ ଭଲ ପଦକ୍ଷେପ ନିଶ୍ଚୟ।

କିନ୍ତୁ ଭୁବନେଶ୍ଵର ଓ କଟକ ପରି ସହରରେ ଟ୍ରାଫିକ ନିୟମର କଡ଼ାକଡ଼ି ଲାଗୁ କରିବାରେ କିଛିଟା ଅସୁବିଧା ନିଶ୍ଚୟ ରହିଛି। ଏବେ ଏବେ ଡିଜିଟାଲ ପ୍ଲାଟଫର୍ମରେ ଭାଇରାଲ ହୋଇଥିବା କଟକର ଝିଅଟି କଥା ନିଆଯାଉ। ବିନା ହେଲମେଟରେ ସ୍କୁଟର ଚଢି ଯାଉଥିବାରୁ ଜରିମାନା ଦେବାକୁ ସେ ରୋକଠୋକ ମନା କରୁଛନ୍ତି। କହୁଛନ୍ତି ଯେ ସେ ଆଦୌ ହେଲମେଟ ପିନ୍ଧିବେ ନାହିଁ। କାରଣ, ହେଲମେଟ ପିନ୍ଧି ଆକ୍ସିଡେଣ୍ଟରେ କେହି ମରିଗଲେ ସରକାର କ’ଣ କୌଣସି କ୍ଷତିପୂରଣ ଦେଉଛନ୍ତି?

ଭୁବନେଶ୍ଵର କଥା ଆଉ ଟିକିଏ ନିଆରା। ଗାଡ଼ିର କାଗଜପତ୍ର କରିବା ପାଇଁ ଲୋକେ ଦୁଇଟି ଯାକ ଆରଟିଓ ଅଫିସରେ ରାତିରେ ଧାଡ଼ିରେ ରହିଲେ। ତଥାପି ସେମାନଙ୍କ କାଗଜପତ୍ର ହୋଇ ପାରିଲା ନାହିଁ। ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଅଧିକ ତିନି ମାସ ମହଲତ ମିଳିଛି। ଏହାର ଅର୍ଥ ହେଲା ଯେ ଭୁବନେଶ୍ଵରରେ ଦୁଇ ଦୁଇଟି ଆରଟିଓ ଅଫିସ ଥାଇ ମଧ୍ୟ ସେବା ଯୋଗାଇବା ପାଇଁ ଯଥେଷ୍ଟ ବ୍ୟବସ୍ଥା ନାହିଁ।

ଉପଯୁକ୍ତ ବ୍ୟବସ୍ଥା ନଥାଇ ନିୟମ ଲାଗୁ କରିଦେଲେ ଲୋକେ ସେହି ନିୟମକୁ ମାନିବେ କେମିତି? ଫଳରେ ଲୋକେ ନିୟମ ଭାଙ୍ଗିବେ ଓ ସେମାନଙ୍କୁ କିଛି କୁହାଯାଇ ପାରିବ ନାହିଁ। ରାଜ୍ୟ ରାଜଧାନୀ ଭୁବନେଶ୍ଵର ନିତିପ୍ରତି ଏଭଳି ନିୟମ ଉଲ୍ଲଂଘନ ଆଖିରେ ପଡ଼ିବା ଏକ ସାଧାରଣ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ପଟେ ଭୁବନେଶ୍ଵରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସବୁ ଚେଷ୍ଟା ଜାରି ରହିଥିବା ବେଳେ ଅନ୍ୟପଟେ ନିୟମକାନୁନକୁ ସଠିକ ଭାବେ ପ୍ରୟୋଗ କରିବା କ୍ଷେତ୍ରରେ ଉପଯୁକ୍ତ ବ୍ୟବସ୍ଥା ନରହିବା ପରସ୍ପରର ବିରୋଧାଚରଣ କରୁ ନାହିଁ କି?

ଉଦାହରଣ ସ୍ୱରୂପ ପ୍ରଥମେ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯିବା କଥାଟିକୁ ନିଆଯାଉ। ତିନି ଦଶନ୍ଧି ପୂର୍ବରୁ ରାଜଧାନୀର ଲୋକେ ବଜାରକୁ ଗଲାବେଳେ ହାତରେ କପଡ଼ା ବ୍ୟାଗଟିଏ ନେବାକୁ ଆଦୌ ଭୁଲୁ ନଥିଲେ। କାଳ କ୍ରମେ ପଲିଥିନ ବ୍ୟବହାର ଏତେ ଅଧିକ ହେଲା ଯେ ଲୋକେ ସେହି କପଡା ବ୍ୟାଗ କଥା ସଂପୂର୍ଣ୍ଣ ଭୁଲିଗଲେ। ଯୁଆଡେ ଗଲେ ଯାହା କିଣିଲେ ପଲିଥିନ ବ୍ୟାଗରେ ଆଣିବାକୁ ଚାହିଁଲେ। ପଲିଥିନ ବ୍ୟାଗ ନରଖିଲେ ଗ୍ରାହକ ଜିନିଷ କିଣିବେନି ଭାବି ବେପାରୀ ବିଚରା ବାଧ୍ୟରେ ରଖିଲେ। ଆଳୁ, ପିଆଜ, ବାଇଗଣଠାରୁ ଆରମ୍ଭ କରି ମାଛ ମାଂସ ତଥା ଚୂଡା, ଚିନି, ଡାଲି, ଚାଉଳ ପଲିଥିନରେ ଦେବା ଏକ ଅଲିଖିତ ନିୟମରେ ପରିଣତ ହୋଇଗଲା।

ପଲିଥିନର ବ୍ୟବହାର ଦ୍ଵାରା ଯେଉଁ ବିପଦ ସବୁ ସୃଷ୍ଟି ହୁଏ ତାହା ସମସ୍ତେ ଜାଣିଥିବା ସତ୍ତ୍ୱେ ଏବଂ ଏହା ସରକାରଙ୍କ ଆଖି ଆଗରେ ଘଟୁଥିଲା ବେଳେ କୌଣସି ନିୟମ ପ୍ରଣୟନ କରିବା କଥା କେହି ଚିନ୍ତା କଲେ ନାହିଁ। ଯେତେବେଳେ ଅବସ୍ଥା ଅସମ୍ଭାଳ ହେଲା ତା’ ପରେ ଯାଇ ସରକାରଙ୍କ ଚେତା ପଶିଲା। ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନଠାରୁ ରାଜ୍ୟର ଛ’ଟି ସହରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଲା। ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜଧାନୀର କେତେକ ବଜାରରେ ଏହାକୁ ଆଗୁଆ ସେପ୍ଟେମ୍ବର ମାସଠାରୁ ଲାଗୁ ମଧ୍ୟ କରାଗଲା।

କିଛି ଦୋକାନୀଙ୍କ ଉପରେ ଚଢାଉ କରି ଜରିମାନା ମଧ୍ୟ ଆଦାୟ କରାଗଲା। କିନ୍ତୁ କ୍ରମେ ସେ ବିଷୟରେ ସମସ୍ତେ ଭୁଲିଗଲେ। ପଲିଥିନ ବଜାରରେ ଯେମିତି ଥିଲା ସେମିତି ରହିଲା। ଆଉ ଗୋଟିଏ ବର୍ଷ ବିତିଗଲା।

ପୁଣି ୨୦୧୯ ଅକ୍ଟୋବର ମାସରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଗଲା। ଏହାର କିଛିଟା ସୁଫଳ ମଧ୍ୟ ମିଳିଛି, କିନ୍ତୁ ପଲିଥିନ ବ୍ୟବହାର ଯେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ତାହା କୁହାଯାଇ ପାରିବ ନାହିଁ। ଆମକୁ ମାନେ ରଖିବାକୁ ହେବ ଯେ କେବଳ ନିୟମ ପ୍ରଣୟନ କରିଦେଲେ କାମ ହୁଏ ନାହିଁ। ନିୟମର ଉଦ୍ଦେଶ୍ୟ ସେତେବେଳେ ସଫଳ ହୁଏ ଯେତେବେଳେ ଲୋକେ ସଚେତନ ହୁଅନ୍ତି ଓ ନିୟମ ପଛର ଅସଲ ଉଦ୍ଦେଶ୍ୟ ବୁଝି ପାରନ୍ତି।

ସେହିଭଳି ଅନ୍ୟ ଉଦାହରଣଟି ହେଲା ରାସ୍ତାରେ ଝାଡା କିମ୍ବା ପରଶ୍ରା କଲେ ବିଏମସି ପକ୍ଷରୁ ଯଥା କ୍ରମେ ୨ ଶହ ଓ ଏକଶହ ପଚାଶ ଟଙ୍କା ଜରିମାନା ଆଦାୟ କରାଯିବ। ଏହି ନିୟମ ମଧ୍ୟ ସେହି ସମାନ ସମୟରେ ଲାଗୁ କରାଗଲା। କିନ୍ତୁ ମାନୁଛି କିଏ? ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ନିୟମ ତିଆରି କରିଦେଲେ ଲୋକେ କରିବେ କ’ଣ? ବରଂ ଏହି ନିୟମ କରି ବିଏମସି ପରିହାସର ଶରବ୍ୟ ହୋଇଛି କହିଲେ ଭୁଲ ହେବ ନାହିଁ। କାରଣ ଆଇନ ତା’ ବାଟରେ ଥିଲା ବେଳେ ଲୋକଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ିଲା ନାହିଁ। କେମିତି ବା ପଡ଼ିବ? ରାସ୍ତାରେ ଯଥେଷ୍ଟ ସଂଖ୍ୟକ ଶୌଚାଳୟ ନଥିଲେ ଲୋକେ କରିବେ କ’ଣ?

ତେବେ ଆମର ଯେଉଁ ଭିତ୍ତିଭୂମି ରହିଛି, ତା’ ମଧ୍ୟରେ ଅଛି ସୁଲଭ ଶୌଚାଳୟ ଓ ବିଭିନ୍ନ ପାର୍କରେ ଥିବା ଶୌଚାଳୟ। ପ୍ରଥମେ ସେହି ସବୁ ଶୌଚାଳୟଗୁଡ଼ିକର ଅବସ୍ଥିତି ସମ୍ପର୍କରେ ଲୋକଙ୍କୁ ସଚେତନ କଲେ ହିଁ ସେମାନେ ସେଗୁଡିକ ବ୍ୟବହାର କରିବା ଦିଗରେ ପଦକ୍ଷେପ ନେବେ। ନୁହେଁ କି?

ସେହିଭଳି ମୋଟର ଯାନ ଆଇନ ଓ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଆବଶ୍ୟକୀୟ ସେବା ଯୋଗାଇବାରେ ସରକାର ବିଫଳ ହେବା ନିଶ୍ଚିତରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏତେ ସଂଖ୍ୟକ ଗାଡ଼ିର କାଗଜପତ୍ର ନଥିବା ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଯୋଗାଇବାରେ ରାଜଧାନୀର ଦୁଇ ଦୁଇଟି ଆରଟିଓ ଅଫିସ ଥାଇ ମଧ୍ୟ ଲୋକେ ସେବା ପାଇ ପାରୁନାହାନ୍ତି ତାହା ନିଶ୍ଚୟ ଚିନ୍ତାର ବିଷୟ।

ମୋଟାମୋଟି କହିବା କଥା ହେଲା ଯେ କଡ଼ା ନିୟମ ପ୍ରଣୟନ କରିବା ହେଉଛି ଏକ ଅମଲାତାନ୍ତ୍ରିକ ପ୍ରକ୍ରିୟା। ଅମଲାମାନେ ନିୟମ ତିଆରି କରି ଦାୟିତ୍ଵ ସରିଗଲା ବୋଲି ଭାବନ୍ତି। କିନ୍ତୁ ସରକାର ଚଲାଉଥିବା ରାଜନୈତିକ ନେତୃତ୍ୱ ଲୋକମାନଙ୍କ ସହ ରହିବା ନିତାନ୍ତ ଆବଶ୍ୟକ। ତେଣୁ ନିୟମ ପ୍ରଣୟନ କାଳରେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ ସରକାର ସମୁଚିତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment