କପିଳାସ ଭୂୟାଁ

ଚମ୍ପା କିସ୍କୁ

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳର ନିରାଶ୍ରୟା ମହିଳାମାନଙ୍କ ବୃଦ୍ଧାବସ୍ଥାର ସାହାରା ପାଲଟିଛି ବିଜୁ ପକ୍କା ଘର।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ଅନନ୍ତ ସାହି ଗାଁରେ ରହନ୍ତି ସାନ୍ତାଳ ଆଦିବାସୀ ମହିଳା ଚମ୍ପା କିସ୍କୁ। ବୟସ ପାଖାପାଖି ସତୁରୀ ବର୍ଷ। ସ୍ଵାମୀ କେବେଠାରୁ ଆରପାରିକୁ ଚାଲି ଯାଇଛନ୍ତି ଯେ ଚମ୍ପାଙ୍କର ମନେ ପଡୁ ନାହିଁ। ଗୋଟିଏ ବୋଲି ଝିଅ ବାହା ହେଇଗଲା ପରେ ସେ ବି ଆରପାରିକୁ ଚାଲି ଗଲାଣି। ଚମ୍ପା ବୁଢୀର ଆଗକୁ ପଛକୁ ଏବେ କେହି ନାହିଁ। ସେ ସଂପୂର୍ଣ୍ଣ ନିରାଶ୍ରୟା।

୨୦୧୬-୧୭ରେ ସରକାରଙ୍କ ପକ୍ଷରୁ ଚମ୍ପାଙ୍କୁ ମିଳିଛି ବିଜୁ ପକ୍କା ଘର। ପୂର୍ବରୁ ଥିବା କୁଡିଆ ଘର ଜାଗାରେ ସେ ତିଆରି କରିଛନ୍ତି କୋଠା ଘର। ଖରା ବର୍ଷା କି ଶୀତ କାକରକୁ ଭୟ ନକରି ବଳକା ଜୀବନ ଏହି ବିଜୁ ପକ୍କା ଘରେ ଭଲରେ କଟିଯିବ ବୋଲି ଆଶା ବାନ୍ଧିଛନ୍ତି ଚମ୍ପା କିସ୍କୁ।

ଚାନ୍ଦୁ ସୟାଁ

ସେହି ଭଳି ଆଉ ଜଣେ ହେଉଛନ୍ତି ବଡଗାଁ ପଞ୍ଚାୟତ ଖଣ୍ଡିଆଦର ଗାଁର ଚାନ୍ଦୁ ସୟାଁ। ବିବାହ କରି ନଥିବା ଚାନ୍ଦୁ ହେଉଛନ୍ତି ଜଣେ ହୋ ଆଦିବାସୀ ମହିଳା।

ଚାନ୍ଦୁ ପିଲା ଥିଲା ବେଳେ ବାପା ମା’ ଚାଲିଗଲେ। ସାନ ଦୁଇ ଭାଇଙ୍କୁ ଖୁଆଇ ପିଆଇ ବଡ଼ କରିବା ଭିତରେ ଚାନ୍ଦୁଙ୍କର ବିବାହ ବୟସ ଗଡ଼ିଗଲା। ସେ ଆଉ ବାହା ହୋଇ ପାରିଲେ ନାହିଁ।

ନୂଆଁଣିଆ ଚାଳ ଘର ଥିବା ଜାଗାରେ ବିଜୁ ପକ୍କା ଘର କରିବା ପାଇଁ ସରକାର ସାହାଯ୍ୟ କଲେ। ଏବେ ତାଙ୍କର କୋଠା ଘର। ମୂଲ ଲାଗିବା, ଖଲି ସିଇଁବା ଓ ଧାନ କାଟିବା ପରି ବାର ପାଇଟି କରି ପେଟ ପୋଷିବା ସହ ଚାନ୍ଦୁ ଏବେ ଆରାମରେ ରହୁଛନ୍ତି ତାଙ୍କ ନିଜର ବିଜୁ ପକ୍କା ଘରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here