କପିଳାସ ଭୂୟାଁ

ଅନଗୁଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ରହିଥିଲା କନ୍ଧ ଆଦିବାସୀମାନଙ୍କର ଗାଁ ରାଇଗୁଡ଼ା। ବାଘ, ହାତୀ ଓ ଅନ୍ୟାନ୍ୟ ହିଂସ୍ର ଜୀବଜନ୍ତୁଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ୨୦୧୭ ମସିହା ନଭେମ୍ବର ମାସରେ ରାଇଗୁଡ଼ା ଗାଁ ଲୋକଙ୍କୁ ବିସ୍ଥାପିତ କରି ଅଣାଗଲା।

ସେମାନଙ୍କ ପୁନର୍ବାସ ଓ ଥଇଥାନ ପାଇଁ ସରକାର ବଡ଼କନ୍ତକୁଳ ପଞ୍ଚାୟତରେ ୧୭ ଏକର ଜାଗାରେ ନୂଆ ରାଇଗୁଡ଼ା ଗାଁ ସ୍ଥାପନ କଲେ। ସେଠାରେ ଗାଁର ସମସ୍ତ ୭୮ଟି ବିସ୍ଥାପିତ ପରିବାରକୁ ରଖିବା ବ୍ୟବସ୍ଥା କରାଗଲା।

ଲୋକମାନଙ୍କ ସହ ଆଲୋଚନା କ୍ରମେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୨୨ଟି ଦାବି ପୂରଣ କରିବାକୁ ରାଜି ହୋଇ ସରକାର ଗ୍ରାମବାସୀଙ୍କୁ ବିସ୍ଥାପନ କଲେ।

ସେହିସବୁ ଦାବି ଅନୁଯାୟୀ ପ୍ରଥମେ ସମସ୍ତ ବିସ୍ଥାପିତ ପରିବାରଗୁଡିକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ଖାଇବା ପିଇବାକୁ ଦେଇ ସ୍ୱଳ୍ପ ରହଣି ଗୃହରେ ରଖାଗଲା। ସୋଲାର ଶକ୍ତି ଯୋଗେ ଆଲୁଅ ଓ ଟିଉବୱେଲ କରି ପାଣି ଯୋଗାଇବା ବ୍ୟବସ୍ଥା କରାଗଲା।

ପରବର୍ତ୍ତୀ ସମୟରେ ପ୍ରତି ଘର ପାଇଁ ୪ ଡିସିମିଲ ଜାଗା ଦେବା ସହ ବିଜୁ ପକ୍କାଘର ସ୍ଵତନ୍ତ୍ର ଯୋଜନା ଅନୁଯାୟୀ କୋଠା ଘର କରିବାକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି। ଗାଁ ଭିତରେ ଧାଡ଼ି ଘର କରିବା ସହ ରାସ୍ତା ଓ ନାଳ ତିଆରି କରିବା ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ସଂଯୋଗ ମଧ୍ୟ କରି ଦିଆଯାଇଛି।

ଏବେ ୫୬ଟି ପରିବାର ସେମାନଙ୍କ ବିଜୁ ପକ୍କାଘର ତିଆରି କରିବାରେ ଲାଗିଛନ୍ତି। ତିନିଟି ପରିବାର ସେମାନଙ୍କ ଘର ତିଆରି କରିସାରି ସେଠାରେ ରହିଲେଣି।

ଏହି ନୂଆ ରାଇଗୁଡା ଗାଁରେ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସହ ଚାଷଜମି ଯୋଗାଇବା ତଥା ରାସ୍ତାଘାଟ ଇତ୍ୟାଦିର ସୁବିଧା ସରକାରଙ୍କ ତରଫରୁ କରାଯାଇଛି।

ଏହା ଛଡ଼ା ଲୋକମାନଙ୍କ ଆର୍ଥିକ ସ୍ଥିତିର ଅଭିବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ବିଭିନ୍ନ ଅର୍ଥକାରୀ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି। ତା’ ସହିତ ପିଲାମାନଙ୍କ ପାଠ ପଢ଼ା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି।

ଏଭଳି ଅସୁମାରି ସୁବିଧା ସୁଯୋଗ ସହ ନୂଆ ରାଇଗଡ଼ ଗାଁ ଲୋକମାନଙ୍କର ଜୀବନଚର୍ଯ୍ୟାରେ ପ୍ରଭୂତ ଉନ୍ନତି ହେବା ସହ ସେମାନେ ଏବେ ଅତି ଆନନ୍ଦରେ ଜୀବନ କାଟୁଛନ୍ତି।

ପ୍ରକୃତରେ କହିବାକୁ ଗଲେ ସରକାରଙ୍କ ସାହାଯ୍ୟ ଓ ସହଯୋଗରେ ବିସ୍ଥାପିତଙ୍କ ପୁନର୍ବାସ କ୍ରମେ ନୂଆ ରାଇଗୁଡ଼ା ଗାଁ ଆଜି ଏକ ଆଦର୍ଶ ଗ୍ରାମରେ ପରିଣତ ହେବାକୁ ଯାଉଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here