ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜୁଡିସିଆଲ୍ ସର୍ଭିସ (ଓଜେଏସ୍) ପରୀକ୍ଷା-୨୦୨୧ର ଟପ୍ପର ହୋଇଛନ୍ତି ଅନୁଗୁଳର ଝିଅ ଆଦ୍ୟାଶା ମିଶ୍ର। ପ୍ରଥମ ଚେଷ୍ଟାରେ ହିଁ ଓଜେଏସ୍ ପରୀକ୍ଷାରେ ଆଦ୍ୟାଶାଙ୍କୁ ମିଳିଛି ଏହି ସଫଳତା। ଓଜେଏସ୍ ପରୀକ୍ଷାରେ ସଫଳ ହେବା ପାଇଁ ଆଦ୍ୟାଶା କେମିତି ପ୍ରସ୍ତୁତ ହୋଇଥିଲେ ଶୁଣନ୍ତୁ…

 “ଓଜେଏସ୍ ଯେହେତୁ ଏକ ତ୍ରୀ-ସ୍ତରୀୟ ପରୀକ୍ଷା ତେଣୁ ପ୍ରତ୍ୟେକ ସ୍ତର ପାଇଁ ପ୍ରସ୍ତୁତି ଭିନ୍ନ ଭିନ୍ନ ପ୍ରକାରର ଥିଲା। ଯେକୌଣସି ପରୀକ୍ଷା ପାଇଁ ରିଭିଜନ ଏବଂ ପ୍ରାକ୍ଟିସ୍ ନିହାତି ଆବଶ୍ୟକ। ସକାରାତ୍ମକ ମନୋଭାବ ସହ ପରୀକ୍ଷା ଦେବାକୁ ଯାଇଥିଲି। ପରୀକ୍ଷାରେ ଭଲ କରିବା ପାଇଁ ଖୁବ ପରିଶ୍ରମ କରିଥିଲି। ଆଶା ଥିଲା ସୁଫଳ ମିଳିବ କିନ୍ତୁ ସାରା ଓଡ଼ିଶାରେ ଟପ୍ କରିବି ବୋଲି କେବେ ଭାବିନଥିଲି”, କହିଛନ୍ତି ଓଜେଏସ ଟପ୍ପର ଆଦ୍ୟାଶା ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ବାପା ମାଆ ପ୍ରଥମେ ମୋତେ ଆଇନ ପଢ଼ିବା ପ୍ରତି ଆକୃଷ୍ଟ କରିଥିଲେ। ମୁଁ ସେମାନଙ୍କର ଗୋଟିଏ ବୋଲି ଝିଅ। ତେଣୁ ସେମାନେ ସର୍ବଦା ମୋ ଅଧିକାର, ମୋ ବ୍ୟକ୍ତିତ୍ଵ ଏବଂ ସ୍ଵାବଲମ୍ବୀ ହେବାପାଇଁ ପ୍ରେରଣା ଦେଇଆସିଛନ୍ତି। ଏଥିସହିତ ମୋର କିଛି ସିନିୟର ଭାଇଭଉଣୀମାନେ ମଧ୍ୟ ଆଇନ ପାଠପଢ଼ି ଭଲ କ୍ୟାରିୟର କରିଛନ୍ତି। ସ୍କୁଲରେ ପାଠ ପଢ଼ିବାବେଳେ ମୋର ଜଣେ ସିନିୟର ଜୁଡିସିଆଲ୍ ସର୍ଭିସ ପାସ୍ କରିଥିଲେ, ମୁଁ ତାଙ୍କଠାରୁ ପ୍ରେରଣା ନେଇ ଏହି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି।”

“ଜଣେ ସାଧାରଣ ନାଗରିକ ନିଜ ଦେଶର ଆଇନ ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ। ଆଦିବାସୀ ଜନବହୁଳ ଅଞ୍ଚଳ ତଥା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଲୋକମାନେ ନିଜ ଅଧିକାର ବିଷୟରେ ଅବଗତ ହୋଇପାରୁନାହାନ୍ତି। ମହିଳାମାନଙ୍କ ପ୍ରତି ହେଉଥିବା ଯୌତୁକ ନିର୍ଯାତନା, ଦୁଷ୍କର୍ମ, ଘରୋଇ ହିଂସା ଆଦି ବିରୋଧରେ ଅନେକ ଆଇନ ପ୍ରସ୍ତୁତ କରାଯାଇଛି କିନ୍ତୁ ଏସବୁ ବିଷୟରେ ମହିଳାମାନେ ଏତେଟା ଅବଗତ ନାହାନ୍ତି। ମୁଁ ନିଶ୍ଚିତି ଏ ଦିଗରେ କାମ କରିବାକୁ ଚାହିଁବି”, କହିଛନ୍ତି ଦିବ୍ୟାଶା ମିଶ୍ର।

Tags: #AdyashaMishra #OJS #OdishaJudicialService #OdishaTopper #SuccessStory #StudyStrategies

Comment