ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିନା ରାଜନୀତିରେ ଓଡ଼ିଶାରେ କିଛି ହୁଏନା ବୋଲି କୁହାଯାଏ। ତେବେ ରାଜନୈତିକ ବାଦ ବିବାଦ ସତ୍ତ୍ୱେ କିଛି ଭଲ କଥା ହେଉଛି ତାହା ହିଁ ଖୁସିର ବିଷୟ।

ଜୁନ୍ ପହିଲାରେ ରାୟଗଡାରେ ଓଡିଶାର ପ୍ରଥମ ଫୁଡ୍ ପାର୍କ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମ୍ରତ କାଉର ବାଦଲ। ଉଲ୍ଲେଖଯୋଗ୍ୟ କଥା ହେଉଛି ଏହା ଓଡିଶାର ପ୍ରଥମ ଫୁଡ୍ ପାର୍କ।

ଏମଆଇଟିଏସ ମେଗା ଫୁଡ୍ ପାର୍କ ପାଇଁ ୮୦ କୋଟି ବ୍ୟୟ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀମାନେ ଏହି ପାର୍କ ଦ୍ୱାରା ଲାଭବାନ ହେବେ। ଏହି ପାର୍କରୁ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ରୋଜଗାର ହେବ। ଖାଲି ସେତିକି ନୁହେଁ, ଏହି ପାର୍କ ୫ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅଧିକନ୍ତୁ, ୨୫ ହଜାର ଚାଷୀ ଏଥିରେ ଉପକୃତ ହେବେ। ଉଦ୍‌ଘାଟନ ପରେ ଶ୍ରୀମତୀ କାଉର କହିଲେ ଯେ ପରବର୍ତ୍ତୀ ସମୟରେ ଅଧିକ ୨୫-୩୦ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ହେବ ଏବଂ ଏଥି ପାଇଁ ଆଉ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ମନ୍ତ୍ରୀ ସାଧ୍ୱି ନିରଞ୍ଜନ ଜ୍ୟୋତିଙ୍କ ଉପସ୍ଥିତିରେ ଲୋକାର୍ପଣ ହୋଇଥିବା ଏହି ପାର୍କ ହେଉଛି ଦେଶର ସପ୍ତମ ଫୁଡ୍ ପାର୍କ। କେନ୍ଦ୍ରରେ ଏନଡିଏ ସରକାର ଆସିବା ପରେ ମେଗା ଫୁଡ୍ ପାର୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଫୁଡ୍ ପାର୍କ କାହିଁକି ଅଗ୍ରାଧିକାର ଭିତ୍ତିରେ ଗଠିତ ହେଉଛି ତାହାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମତି କାଉର। ପ୍ରଥମତଃ କୃଷି କ୍ଷେତ୍ରର ଏହା ଦ୍ୱାରା ବିକାଶ ଘଟିବ। ଦ୍ଵିତୀୟରେ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ ହେବ। ତୃତୀୟତଃ କେନ୍ଦ୍ର ସରକାରଙ୍କ ମେକ୍-ଇନ ଇଣ୍ଡିଆକୁ ଏହା ଅଧିକ ଦୃଢ କରିବ। ଦେଶରେ  ବହୁଳ ଭାବରେ ମେଗା ଫୁଡ୍ ପାର୍କ ପ୍ରତିଷ୍ଠା ହେଲେ ଏହା ମୂଲ୍ୟ ସଂଯୋଗ କରିବା ପାଇଁ ସହାୟକ ହେବ। ବିଶେଷ କରି ଶୀଘ୍ର ନଷ୍ଟ ହେଉଥିବା କୃଷିଜାତ ପଦାର୍ଥର ପ୍ରକ୍ରିୟାକରଣ ଫଳରେ ଏଗୁଡିକ ଆଉ ନଷ୍ଟ ହେବ ନାହିଁ।

ଶ୍ରୀମତୀ କାଉର କହିଛନ୍ତି,”ମେଗା ଫୁଡ୍ ପାର୍କରେ ଯେଉଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ବସିବ ସେସବୁ ଅତ୍ୟାଧୁନିକ ଭିତ୍ତିଭୂମିକୁ ବ୍ୟବହାର କରିବେ। ଭାଲ୍ୟୁ ଚେନ ଜରିଆରେ କ୍ଷେତରୁ ବଜାର ଯାଏଁ ଅଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବ”। କେନ୍ଦ୍ରୀୟ ପ୍ରକ୍ରିୟାକରଣ ସ୍ଥାନର ତଳକୁ ଥିବା ପ୍ରାଥମିକ ୟୁନିଟ ଓ ସଂଗ୍ରହ ସ୍ଥାନ ସବୁଠି ଏହା କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମେଗା ଫୁଡ୍ ପାର୍କ ପାଇଁ କେନ୍ଦ୍ର ସରକାର ୫୦ କୋଟି ଆର୍ଥିକ ସହଯୋଗ କରିପାରିବେ ବୋଲି ସେ କହିଛନ୍ତି।

ରାୟଗଡ଼ା ଜିଲ୍ଲା ସଦରମହକୁମା ନିକଟରେ ସ୍ଥାପିତ ଏହି ଫୁଡ୍ ପାର୍କଟି ପ୍ରାୟ ୫୦ ଏକର ଜାଗାରେ ନିର୍ମିତ ହୋଇଛି। ଏଠାରେ ଏସ୍‌ଏମ୍ଇ ୟୁନିଟ, ଖାଦ୍ୟ ପ୍ରକ୍ରିୟାକରଣ, ରାଇସ ମିଲ୍‌, ଫଳ ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ଏଭଳି ବହୁ ସୁବିଧା ଯୋଗାଇ ଦିଆଯାଇଛି। ସବୁ ୟୁନିଟ ପାଇଁ ଗୋଟିଏ ପ୍ରଶାସନିକ କୋଠାଘର ତିଆରି କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ କାଶୀପୁର, ପଦ୍ମପୁର, ଉମରକୋଟ, କୋରାପୁଟ, ଦିଗପହଣ୍ଡି, ଖୋର୍ଦ୍ଧାରେ ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ ଖୋଲାଯାଇଥିବା ବେଳେ ରାୟଗଡ଼ା ଫୁଡ୍ ପାର୍କ ଅନ୍ୟ ଜିଲ୍ଲା ପାଇଁ ଦୃଷ୍ଟାନ୍ତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

Comment