ଓଡ଼ିଶାଲାଇଭ୍‍ ବ୍ୟୁରୋ

ପ୍ରଣବ ମୁଖାର୍ଜୀଙ୍କ ପରେ ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବରେ ରାମ ନାଥ କୋବିନ୍ଦ ଶପଥ ଗ୍ରହଣ କରିଛନ୍ତି।

ତାଙ୍କ ଜନ୍ମ ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅନ୍ତର୍ଗତ ପରୌଖ ଗାଁରେ। ୧୯୪୫ ଅକ୍ଟୋବର ମାସରେ ସେ ଏକ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିଲେ।ଗାଁରେ ସ୍କୁଲ ଶିକ୍ଷା ଓ ନିକଟବର୍ତ୍ତୀ କାନପୁର ସହରରୁ ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଆଇନଜୀବୀ ଭାବରେ ସେ ତାଙ୍କ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ସେ ୧୬ ବର୍ଷ ଧରି ଓକିଲାତି କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ।

ଏହି ପୃଷ୍ଠଭୂମି ସହିତ ଜାଣନ୍ତୁ ମହାମହିମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସମ୍ପର୍କରେ ଏହି ୬ଟି କଥା।
ସିଭିଲ ସର୍ଭିସ
ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଫେଲ ମାରିବା ପରେ ତୃତୀୟ ଥରରେ ଏହି ପରୀକ୍ଷାରେ ସେ ସଫଳ ହୋଇଥିଲେ। କିନ୍ତୁ ଏହି ଚାକିରୀ କରିବା ପାଇଁ ମନା କରିଦେଇଥିଲେ କାରଣ ସେ ଆଇଏଏସ ପାଇଁ ଆଗ୍ରହୀ ଥିଲେ ଓ ଆଲାଏଡ ପାଇଁ ତାଙ୍କର ଇଚ୍ଛା ନଥିଲା।

ମୋରାର୍ଜିଙ୍କ ସହ ସମ୍ପର୍କ
ଜରୁରୀ କାଳୀନ ପରିସ୍ଥିତି ଉଠିବା ପରେ କେନ୍ଦ୍ରରେ ଜନତା ପାର୍ଟି ସରକାର ଗଠନ ହେଲ।  ୧୯୭୭ରେ କୋବିନ୍ଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାର୍ଜି ଭାଇ ଦେଶାଇଙ୍କ ସଂସ୍ପର୍ଶରେ ଆସିଲେ ଓ ତାଙ୍କର ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସେ ବିଜେପି ସହିତ ନିଜକୁ ଜଡ଼ିତ କରିବା ଆରମ୍ଭ କରିଥିଲେ। ଦଳୀୟ ଟିକେଟରେ ସେ ଦୁଇ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଅଥଚ ସଫଳ ହୋଇନାହାଁନ୍ତି।

ବିଜେପି ସହ ଯୋଗାଯୋଗ
କୋବିନ୍ଦ ୧୯୯୧ରେ ବିଜେପିରେ ଯୋଗ ଦେଇଥିଲେ। ଦଳର ସଦସ୍ୟ ହେବା ବ୍ୟତୀତ ବିଜେପିର ମୁଖପାତ୍ର ମଧ୍ୟ ରହି ସାରିଛନ୍ତି। ସେ ବିଜେପିର ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। କୁଷ୍ଠ ରୋଗୀଙ୍କ ପାଇଁ କାମ କରୁଥିବା ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ସେ ଅଧ୍ୟକ୍ଷ ଅଛନ୍ତି।

ରାଜ୍ୟସଭା ନେତା
ଦୁଇ ଥର ସେ ବିଜେପିର ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ୧୯୯୪ରେ ସେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ରାଜ୍ୟପାଳ
୨୦୧୫ ମସିହାରେ ସେ ବିହାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ତାଙ୍କର ତାଳମେଳ ଏକଦମ ଠିକ୍ ଥିଲା। କେବଳ ଏହି ଗୋଟିଏ କାରଣରୁ ଯେତେବେଳେ କୋବିନ୍ଦଙ୍କ ନାମ ଘୋଷଣା ହେଲା, ବିନା ପ୍ରଶ୍ନରେ ଓ ଦ୍ୱିଧାରେ ନୀତିଶଙ୍କ ପକ୍ଷରୁ ତାଙ୍କୁ ସମର୍ଥନ ମିଳିଥିଲା।

ଘର ହେଲା ବରଯାତ୍ରୀ ଦଳଙ୍କ ବିଶ୍ରାମସ୍ଥଳୀ
ନୂଆ ରାଷ୍ଟ୍ରପତି ଜଣେ ନିଚ୍ଛକ ମଣିଷ ଓ ଦଳିତଙ୍କ ପାଇଁ ସେ ସବୁବେଳେ ଆଗେଇ ଆସିଛନ୍ତି। ତାଙ୍କ ପୈତୃକ ସମ୍ପତ୍ତିକୁ ସେ ସମୂହ କାର୍ଯ୍ୟରେ ଲଗାଇଛନ୍ତି। ଗାଁରେ ଥିବା ନିଜ ଘରକୁ ସେ ବରଯାତ୍ରୀ ଦଳଙ୍କ ବିଶ୍ରାମସ୍ଥଳୀରେ ପରିଣତ କରିଛନ୍ତି।

Comment