ମରଣ ମୁହଁରୁ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଦୁର୍ଘଟଣାରୁ ବର୍ତ୍ତିଥିବା ଏକମାତ୍ର ଯାତ୍ରୀ:

୧୯୭୧ ମସିହାରେ ପେରୁଭିଆନ୍‍ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ଜୁଲିଆନ କିଓପାକ ଜୀବନଦାନ ପାଇଥିଲେ। ବିମାନରେ ବସିଥିବା ସମସ୍ତ ୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ କିଓପାକ ଅଳ୍ପକେ ବର୍ତ୍ତି ଯାଇ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି।

ସେ ଏହି ଲୋମହର୍ଷଣକାରୀ ଦୁର୍ଘଟଣାକୁ ମନେ ପକାଇ କହିଛନ୍ତି ଯେ, ପେରୁ ବିମାନ ବନ୍ଦରରୁ ଲାନ୍ସା-୫୦୮ ବିମାନ ୯୨ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। କିଓପାକ ଏବଂ ତାଙ୍କ ମା’ ଏହି ବିମାନରେ ଯାତ୍ରା କରୁଥିଲେ। ବିମାନଟି ଯେତେବେଳେ ପେରୁଭିଆନ୍‍ ଜଙ୍ଗଲ ନିକଟବର୍ତ୍ତି ହୋଇଥିଲା, ସେତେବେଳେ ଏକ ବଡ଼ ଝଡ଼ ତୋଫାନ ଆରମ୍ଭ ହୋଇଥିଲା। ଏହି ଝଡ଼କୁ ତାଙ୍କ ବିମାନ ସମ୍ମୁଖୀନ ହୋଇଥିଲେ ମଧ୍ୟ ବର୍ତ୍ତି ପାରିନଥିଲା।

ବଡ଼ବଡ଼ ଗଛର ଡାଳ ପତ୍ର ଏବଂ ମେଘ ଖଣ୍ଡ ବିମାନରେ ପିଟି ହେବାରୁ ବିମାନଟି ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲା। ଫଳରେ ତାଙ୍କ ମା’ଙ୍କ ସମେତ ୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। କିଓପାକ ତାଙ୍କ ମୁଣ୍ଡ, ଡାହାଣପଟ ହାତ ଏବଂ ପାକସ୍ତଳୀରେ ଗଭୀର ଆଘାତ ପାଇଥିଲେ ହେଁ ସେ ମରଣମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମରଣକୁ ନିଜ ଆଖିରେ ଦେଖିଥିବା କିଓପାକ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଭୟଙ୍କର ବିମାନ ଦୁର୍ଘଟଣା ଏବଂ କିଓପାକଙ୍କ ଚରିତ୍ରକୁ ନେଇ ଦୁର୍ଘଟଣାର ୩୦ ବର୍ଷ ପରେ ଫିଲ୍ମ ନିର୍ମାତା ୱେର୍ନର ହେରଜଗ୍‍ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏବେ ବି ସେ ଭଙ୍ଗା ଗୋଡ଼କୁ ଧରି ସେ ଜୀବନ ବିତାଇ ସେଇ ଲୋମହର୍ଷଣକାରୀ ଘଟଣାକୁ ରୋମନ୍ଥନ କରୁଛନ୍ତି।

ଝଡ ମୁହଁରୁ ଫେରିଥିବା ବ୍ୟକ୍ତି:

କୁହାଯାଏ ପବନ ଯେତେବେଳେ ଉଗ୍ରରୂପ ଧାରଣ କରେ ସେତେବେଳେ କୌଣସି ବ୍ୟକ୍ତି ତା’ ମୁହଁରୁ ବର୍ତ୍ତି ନଥା’ନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ପବନର ଉଗ୍ରରୂପକୁ ସାମନା କରି ନୂଆ ଜୀବନ ନେଇ ଫେରିଥିଲେ। ଏହି  ଯୁବତୀ ଜଣକ ହେଲେ ଟମି ଓଲ୍ଡହାମ ଆସକ୍ରାଫ୍ଟ।

୧୯୮୩ ମସିହାରେ ଆସକ୍ରାଫ୍ଟ ତାଙ୍କ ସାଙ୍ଗ ରିଚାର୍ଡ ସାଙ୍ଗଙ୍କ ସହ ତାହିତିରୁ ସନ୍‍ ଡିଏଗୋ ଯିବା ପାଇଁ ପାଲଟଣା ଜାହାଜରେ ନୌକା ଯାତ୍ରା କରୁଥିଲେ। କିନ୍ତୁ ହଠାତ୍‍ ସେମାନେ ଏକ ଝଡ଼ର ସମ୍ମୁଖୀନ ହାଇଥିଲେ। ୪୪ ଫୁଟ ଉଚ୍ଚତାର ପାଲଟଣା ଜାହାଜ ଉପର ଦେଇ ଦଲକାଏ-ଦଲକାଏ ପବନ ବହୁଥିବା ବେଳେ ଉଭୟ ଆତଙ୍କିତ ହୋଇ ନଥିଲେ। ପବନର ବେଗ ଯେତିକି ପ୍ରଖର ହେଉଥିଲା ସେହି କ୍ରମରେ ତାଙ୍କ ଜାହାଜର ଗତି ମଧ୍ୟ ବଢ଼ୁଥିଲା।

ମାତ୍ର ପବନର ବେଗ ହଠାତ୍‍ ବଢ଼ିଯାଇଥିଲା। ଘଣ୍ଟାକୁ ୧୬୦ କିମି ବେଗରେ ପବନ ବହିବାରୁ ଉଭୟ କ’ଣ କରିବେ ଜାଣି ପାରିନଥିଲେ। ଦୀର୍ଘ ୨୭ ଘଣ୍ଟା ପର୍ଯ୍ୟନ୍ତ ପବନ ତାଣ୍ଡବ କରିଥିଲା। ୨୭ ଘଣ୍ଟା ପରେ ଆସକ୍ରାଫ୍ଟ ଯେତେବେଳେ ଆଖି ଖୋଲନ୍ତି, ସେତେବେଳେ ସବୁ ଯେମିତି ଶେଷ ହୋଇ ଯାଇଥିଲା। ତାଙ୍କ ସହ ଯାତ୍ରା କରୁଥିବା ତାଙ୍କ ସାଙ୍ଗଙ୍କ ସମେତ ଅନ୍ୟମାନେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ଭାଗ୍ୟକୁ ଆଦରି ଆସକ୍ରାଫ୍ଟ ସେହି ପାଲଟଣା ଜାହାଜରେ ରହିଥିଲେ। ଧୈର୍ଯ୍ୟ ନହରାଇ ଆସକ୍ରାଫ୍ଟ ସମୟକୁ କେବଳ ଅପେକ୍ଷା କରିଥିଲେ। ନିଜେ ଜାହାଜ ଚଳାଇ ହିଲୋହରବରରେ ୪୧ ଦିନ ପରେ ପହଞ୍ଚିଥିଲେ।

ଝିଟିପିଟି ଓ ଗୁଣ୍ଡୁଚି ମୂଷା ଖାଇ ୧୯ ଦିନ:

ପରିସ୍ଥିତି ଆସିଲେ ମଣିଷ ନ ଖାଇବା ଜିନିଷ ଖାଇଥାଏ ଏବଂ ନ କରିବା କାମ କରିବାକୁ ବାଧ୍ୟ ହୋଇଥାଏ, ଯାହା କାଲିଫର୍ଣ୍ଣିଆର ୭୨ ବର୍ଷିଅ ବୃଦ୍ଧ ଜେନେ ପ୍ଲେଫରଙ୍କ କ୍ଷେତ୍ରରେ ଘଟିଛି। ଜଙ୍ଗଲକୁ ହରିଣ ଶିକାର କରିବାକୁ ଯାଇ ବାଟ ହୁଡ଼ି ଯାଇଥିବା ପ୍ଲେଫର ଗୁଣ୍ଡୁଚିମୂଷା, ଝିଟିପିଟି ଏବଂ ବେଙ୍ଗର ମାଂସକୁ ଖାଦ୍ୟ ଭାବେ ଗ୍ରହଣ କରି ୧୯ ଦିନ ଜଙ୍ଗଲ ଭିତରେ ଦିନରାତି କାଟି ଥିଲେ।

ଜଙ୍ଗଲ ଭିତରେ ବାଟବଣା ହୋଇଯାଇଥିଲେ ମଧ୍ୟ ପ୍ଲେଫର ଘରକୁ ଫେରିବାର ଆଶା ହରାଇ ନଥିଲେ। ଏହି ୧୯ ଦିନ ଭିତରେ ସେ ଜଙ୍ଗଲ ଭିତରେ ଅନେକ ଥର ତୁଷାରପାତର ଆଘାତ ସହିଛନ୍ତି। ପାରଦ ତଳକୁ ତଳକୁ ଖସି ଯାଉଥିବାରୁ ସେ ତାହାକୁ ମଧ୍ୟ ସହିଛନ୍ତି ବୃଦ୍ଧକାଳରେ। ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ୟୁକିହା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ପରିବାରବର୍ଗ ଘରକୁ ନେଇଥିଲେ। ୭୨ ବର୍ଷିୟ ବୃଦ୍ଧ ୧୯ ଦିନ ପରେ ପରିବାର ଲୋକଙ୍କୁ ଦେଖିବା ପରେ କାନ୍ଦି ପକାଇଥିଲେ।

ଜଙ୍ଗଲରେ ୧୨ ଦିନ:

କାନାଡାର ଜଣେ ୨୫ ବର୍ଷର ମହିଳା ୧୨ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ଏହି ୧୨ ଦିନ ଭିତରେ ସେ କେବଳ ନଦୀ ପାଣି ଏବଂ ଜାମୁକୋଳି ଖାଇଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଘଞ୍ଚ ଜଙ୍ଗଲରେ ବୁଲିବା ସମୟରେ ସେ ଗଛ ଓ ପାହାଡ ଚଢ଼ିତବା ସମୟରେ ଖଣ୍ଡିଆଖାବରା ହୋଇଛନ୍ତି। ଫଳରେ ତାଙ୍କ ଗୋଡ଼ ଏବଂ ହାତରେ ଅସ୍ତୋପଚାର କରାଯାଇଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

୨୦୧୩ ମସିହାରେ ଗୋଟିଏ ଟ୍ରକରେ ଉକ୍ତ ମହିଳା ଚାରି ଜଣ ଲୋକଙ୍କ ସହ ଯାତ୍ରା କରୁଥିଲେ। ମାତ୍ର ଯାତ୍ରା ସମୟରେ ସେ ବାଟବଣା ହୋଇଯାଇଥିଲେ। ସାଙ୍ଗରେ ଯାଇଥିବା ଚାରି ଜଣ ବ୍ୟକ୍ତି ତାଙ୍କୁ ଖୋଜବିାକୁ ଚେଷ୍ଟା କରି ବିଫଳ ହେବା ପରେ ପୋଲିସ ଏବଂ ଘର ଲୋକଙ୍କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ଗୁରୁତର ଅବସ୍ଥାରେ ୧୨ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

୩ ଦିନ ପରେ ସମୂଦ୍ରରୁ ଆସିଲେ:

ନାଇଜେରିଆର ଜଣେ ରୋଷେଇଆ ହରିସେନ୍‍ ଓକେନ୍‍ ତାଙ୍କ ୧୧ ଜଣ ସାଙ୍ଗଙ୍କ ସହ ଆଟଲାଣ୍ଟିକ ମହାସାଗରେ ଯାତ୍ରା କରୁଥିଲେ। ମାତ୍ର ମହାସାଗରରେ ଏକ ଝଡ଼ ସୃଷ୍ଟି ହେବାରୁ ତାଙ୍କ ଜାହାଜଟି ବୁଡ଼ିବାକୁ ବସିଥିଲା।

ଜାହାଜର ଟଳମଳ ଅବସ୍ଥା ଦେଖି ହରିସେନଙ୍କ ସମତେ ୧୧ ଜଣ ଭୟଭୀତ ହୋଇ ଯାଇଥିଲେ। ସାରା ରାତି ଭଗବାନଙ୍କୁ ପ୍ରାର୍ଥନା କରି ଉଜାଗର ରହିଥିଲେ। ମାତ୍ର ଓକେନ୍‍ଙ୍କ ୧୧ ଜଣ ସାଙ୍ଗ ଏହି ବିପତ୍ତିରୁ ବର୍ତ୍ତି ପାରି ନଥିଲେ। କେବଳ ଓକେନ୍‍ ଏହି ବିପତ୍ତିରୁ ତିନି ଦିନ ପରେ ଉଦ୍ଧାର ପାଇଥିଲେ।

ନାଇଜେରିଆର ଜଣେ ଠିକାଦାରଙ୍କ ସହଯୋଗରେ ଆଉ ଏକ ଜାହାଜ ଆସି ବୁଡ଼ିଯାଇଥିବା ଜାହାଜକୁ ଟାଣି ଟାଣି କୂଳରେ ଲଗାଇବା ପରେ ସେ ଓକେନ୍‍‍ ତାଙ୍କ କାହାଣୀ ବଖାଣିଥିଲେ।

(ପ୍ରସ୍ତୁତି: ସରୋଜ)

Tags: Harisen Oken, Jene Flepher, Julian Leopak, New Beginning, New Life, Saroj, Tummy Oldham Aascraft,

Comment