ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଲକାତା ନିକଟ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁରର ଘଟଣା
  • ୪୦ କିଲୋମିଟର ଦୂର ମେଡିକାଲକୁ ଆସିଲେ ଶ୍ରମିକ
  • ସାଢ଼େ ତିନି ଘଣ୍ଟାର ଅପରେସନ ପରେ ବାହାରିଲା ଲୁହାଛଡ଼
  • କଟରରେ କଟାଗଲା ଲୁହାଛଡ଼

ପେଟରେ ପଶି ପିଠି ପଟେ ବାହାରିଥିଲା ତିନିଟି ଲୁହାଛଡ଼। ତଥାପି ତାଙ୍କର ଚେତା ଥିଲା। ଏଭଳି ଅବସ୍ଥାରେ ତାଙ୍କୁ ୪୦ କିଲୋମିଟର ଦୂର କୋଲକାତାର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସାଢ଼େ ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଥିଲେ ପଶ୍ଚିମବଙ୍ଗର ଶ୍ରମିକ ଉଦୟ ସରକାର।

କୋଲକାତା ନିକଟ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁରରେ ନିର୍ମାଣାଧୀନ ଏକ କୋଠା ଛାତରୁ ତଳକୁ ଖସିପଡ଼ିଥିଲେ ଶ୍ରମିକ ଉଦୟ ସରକାର। ତଳେ ସିଧା ହୋଇ ଲାଗିଥିବା ତିନିଟି ଲୁହାଛଡ଼ ତାଙ୍କ ତଳିପେଟରେ ପଶିଯାଇଥିଲା। ଚିତ୍କାର ଶୁଣି ଅନ୍ୟ ଶ୍ରମିକମାନେ ଧାଇଁ ଆସିଲେ। କଟର୍‌ରେ ଲୁହାଛଡ଼ କାଟି ଉଦୟଙ୍କୁ ବାହାର କରାଗଲା ଏବଂ ବାରୁଇପୁର ଡାକ୍ତରଖାନାକୁ ନିଆଗଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଲକାତାର ଚିତ୍ତରଞ୍ଜନ ନ୍ୟାସନାଲ ମେଡିକାଲ କଲେଜ୍‌ ହସ୍‌ପିଟାଲକୁ ପଠାଇ ଦିଆଗଲା। କିନ୍ତୁ ପ୍ରବଳ ରକ୍ତସ୍ରାବ ସତ୍ତ୍ୱେ ଚେତାରେ ଥିଲେ ୪୫ ବର୍ଷୀୟ ଉଦୟ।

ତିନି ତିନିଟି ଲୁହାଛଡ଼ ପେଟରେ ପଶି ପିଠି ପଟେ ବାହାରିଥିବା ଅବସ୍ଥାରେ ତାଙ୍କୁ ପ୍ରାୟ ୪୦ କିଲୋମିଟର ନିଆଯାଇଥିଲା। ଦୁର୍ଘଟଣାସ୍ଥଳରୁ ବାରୁଇପୁର ଡାକ୍ତରଖାନା ଏବଂ ସେଠାରୁ ଆମ୍ବୁଲାନ୍ସରେ କୋଲକାତା। କୋଲକାତା ଆସିବାକୁ ଲାଗିଥିଲା ପ୍ରାୟ ଅଢ଼େଇ ଘଣ୍ଟା। ଆମ୍ବୁଲାନ୍ସରେ ଉଦୟଙ୍କ ବନ୍ଧୁମାନେ ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ଦମ୍ଭ ଦେଉଥିଲେ।

ଗତ ବୁଧବାର ଦିନ ଚିତ୍ତରଞ୍ଜନ ନ୍ୟାସନାଲ ମେଡିକାଲ କଲେଜର ସାତ ଜଣିଆ ଡାକ୍ତରୀ ଟିମ୍‌ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରି ଲୁହାଛଡ଼ଗୁଡ଼ିକୁ କାଢ଼ିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଉଦୟଙ୍କୁ ଅସ୍ତ୍ରୋପଚାର କକ୍ଷକୁ ନିଆଯିବା ପରେ ପ୍ରଥମେ ଇଲେକ୍‌ଟ୍ରିକ୍‌ କଟର ଦ୍ୱାରା କାଟି ଲୁହାଛଡ଼ଗୁଡ଼ିକୁ ଛୋଟ କରିବା ପାଇ ସ୍ଥିର କରାଯାଇଥିଲା। କିନ୍ତୁ କଟର୍‌ର କମ୍ପନ ଯୋଗୁଁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରି ଏହି ନିଷ୍ପତ୍ତି ବଦଳାଇବାକୁ ପଡ଼ିଲା। ସେ ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେ ହିଁ ତାଙ୍କର ଓପନ୍‌ ସର୍ଜରୀ କରିବାକୁ ଡାକ୍ତରୀ ଟିମ୍‌ ସ୍ଥିର କରିଥିଲେ।

ସୌଭାଗ୍ୟବଶତଃ ଉଦୟଙ୍କ ପେଟରେ ପଶିଯାଇଥିବା ଲୁହାଛଡ଼ ବୃକ୍‌କ ଏବଂ ଯକୃତ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଛୁଇଁ ନ ଥିଲ। ଅପରାହ୍ଣ ସାଢ଼େ ୪ଟାରୁ ଆରମ୍ଭ ହୋଇଥିବା ଅସ୍ତ୍ରୋପଚାର ସନ୍ଧ୍ୟା ସାଢ଼େ ସାତଟାରେ ସରିଥିଲା। ଅସ୍ତ୍ରୋପଚାର ବେଳେ ତାଙ୍କୁ ପ୍ରଚୁର ରକ୍ତ ଦେବାକୁ ପଡ଼ିଥିଲା। ହସ୍‌ପିଟାଲର ବିଭିନ୍ନ ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ ସାତ ଜଣିଆ ଡାକ୍ତରୀ ଟିମ୍‌ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ। ଭାଗ୍ୟବଳରେ ଉଦୟ ବଞ୍ଚିଗଲେ ବୋଲି ଡାକ୍ତରମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here