ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁସୂଚିତ ଜାତି ଓ ଜନଜାତି ପରିବାରର କୌଣସି ଯୁବକ ବା ଯୁବତୀ ଯଦି ଅନ୍ୟ ବର୍ଗରେ ବିବାହ (ଇଣ୍ଟରକାଷ୍ଟ ମ୍ୟାରେଜ) କରନ୍ତି, ତେବେ ସରକାର ସେମାନଙ୍କୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ସେମାନେ କୌଣସି ସବର୍ଣ୍ଣ ପରିବାରରେ ବିବାହ କଲେ ଏହି ଅର୍ଥ ପ୍ରଦାନ କରାଯିବ। ଏପରିକି ସମ୍ପୃକ୍ତ ବର ବା କନ୍ୟା ସମ୍ଭ୍ରାନ୍ତ ଶ୍ରେଣୀର ହୋଇଥିଲେ ମଧ୍ୟ ସରକାରଙ୍କଠାରୁ ଏହି ବିବାହ ଭେଟି ପାଇପାରିବେ।

“ଏହି ବର୍ଗର ଯୁବକଯୁବତୀଙ୍କୁ ସାମାଜିକ ଜାତିଭେଦ ଭାଙ୍ଗି ସାଧାରଣ ବର୍ଗରେ ଯୋଡ଼ିବା ଏକ ସମସାମୟିକ ଆବଶ୍ୟକତା ବୋଲି କୁହାଯାଇପାରେ। ତେଣୁ ଇଣ୍ଟରକାଷ୍ଟ ମ୍ୟାରେଜକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି  ସହାୟତା ରାଶିକୁ ଦୁଇଗୁଣା ବଢାଇ ୧ ଲକ୍ଷ ଟଙ୍କା କରିଛନ୍ତି”,  କହିଛନ୍ତି ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବ ସୁରେନ୍ଦ୍ର କୁମାର। ତେବେ ବିବାହ ପରେ ହିଁ ଏହି ରାଶି ସମ୍ପୃକ୍ତ ଦମ୍ପତିଙ୍କୁ ପ୍ରଦାନ କରାଯିବ। ଏହି ଅର୍ଥରେ ସେମାନେ ଜମିବାଡ଼ି, ଗହଣା କିମ୍ବା ଘର ପାଇଁ ଆସବାବପତ୍ର କିଣିପାରିବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଦେଇ କହିଛନ୍ତି।

ଏହି ବର୍ଦ୍ଧିତ ସହାୟତା ରାଶି ଅଗଷ୍ଟ ୧୮, ୨୦୧୭ରୁ ଲାଗୁ ହେବ। ତେବେ ଏହି ବ୍ୟବସ୍ଥାରେ ଆଉ ଗୋଟିଏ କଥା ରହିଛି।  ତାହା ହେଉଛି ଯଦି ସହାୟତା ରାଶି ପାଇଥିବା କୌଣସି ବ୍ୟକ୍ତିଙ୍କର ୫ ବର୍ଷ ମଧ୍ୟରେ ବିବାହ ବିଚ୍ଛେଦ ଘଟେ, ତେବେ ସେମାନଙ୍କୁ ଏହି ଅର୍ଥ ସରକାରଙ୍କୁ ଫେରାଇବାକୁ ପଡ଼ିବ।

ପୂର୍ବରୁ ବିବାହ କରୁଥିବା ଦମ୍ପତିଙ୍କୁ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିଲା। ୨୦୧୦ରୁ ୨୦୧୬ ମସିହା ମଧ୍ୟରେ ପ୍ରାୟ ୪୧୦୦ ଦମ୍ପତିଙ୍କୁ ଏହି ରାଶି ମିଳିସାରିଛି।

ଜାତିପ୍ରଥା ଭଳି କୁତ୍ସିତ ମାନସିକତାରୁ ରାଜ୍ୟର ଯୁବପିଢ଼ି କିପରି ଦୂରେଇ ରହିବେ ସେଥିପାଇଁ ପୂର୍ବରୁ ସରକାର ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିଲେ। ୨୦୦୭ ମସିହାରେ ଏ ରାଶିକୁ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଆଉ ଏବେ ଏହି ବର୍ଷଠାରୁ ସରକାର ୧ଲକ୍ଷ ଟଙ୍କା ପ୍ରଦାନ କରିବେ।

ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ନବଦମ୍ପତିଙ୍କୁ ଆବେଦନ କରିବା ପଡ଼ିବ।

Tags: Inter-caste Marriage, Scheduled Caste, Scheduled Tribe, SC, ST

Comment