ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଯଦି ଅନୁସୂଚିତ ଜାତି (ଏସ୍‌ସି) କିମ୍ବା ଜନଜାତି (ଏସ୍‌ଟି) ବର୍ଗର ଲୋକଙ୍କ ଜମି କିଣାଯାଏ ତାହେଲେ ଏହାର ପ୍ରତି ବଦଳରେ ଅନ୍ୟ ଏକ ସ୍ଥାନରେ ସମାନ ଜମି କିଣାଯିବା ପରେ ଯାଇ ଉକ୍ତ ଜମିର କବଲା (ସେଲ୍ ଡିଡ୍‌) କରାଯାଇପାରିବ। ଏ ନେଇ ରାଜ୍ୟ ସରକାର ‘ରାଇଟ୍ ଟୁ ଫେୟାର୍ କମ୍ପେନ୍‌ସେସନ୍ ଆଣ୍ଡ ଟ୍ରାନ୍ସପରାନ୍ସି ଇନ୍ ଲ୍ୟାଣ୍ଡ ଆକ୍ୱିଜିସନ୍‌, ରିହାବିଲିଟେସନ୍ ଆଣ୍ଡ ରିସେଟଲ୍‌ମେଣ୍ଟ (ଆରଏଫସିଟିଏଲଏଆରଆର) ଆଇନ ଆଣିଥିଲେ। କିନ୍ତୁ ଏହି ଆଇନକୁ ଠିକରେ କାର୍ଯ୍ୟକାରୀ କରାଯାଉନଥିବାରୁ ଏସ୍‌ସି ଏବଂ ଏସ୍‌ଟି ବର୍ଗର ଲୋକଙ୍କ ଜମି ଦିନକୁ ଦିନ କମିବାରେ ଲାଗିଛି। ତେଣୁ ଏହି ଆଇନକୁ ରାଜ୍ୟରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ସମ୍ବଲପୁରର କ୍ଷୀରୋଦ ମଲ୍ଲିକ ଏହି ମାମଲା ରୁଜୁ କରିଛନ୍ତି।

ଆବେଦନକାରୀ ପିଟସନରେ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଗଞ୍ଜାମ ଆଦି ଜିଲ୍ଲାରେ ଶିଳ୍ପ ସଂସ୍ଥାମାନ ଗଢ଼ି ଉଠିବାରେ ଲାଗିଛି। ଏଥିପାଇଁ ଜମିର ଆବଶ୍ୟକତା ପଡ଼ୁଥିଲା ବେଳେ ଜମି ମାଫିଆଙ୍କ  ଟାର୍ଗେଟରେ ଏବେ ଏସ୍‌ସି, ଏସ୍‌ଟିଙ୍କ ଜମି। ଏହି ଜମି କିଣିବା ଲାଗି ବିଭିନ୍ନ ଚଞ୍ଚକତା କରାଯାଉଛି। ଏହି ଜମିକୁ ବହୁ କମ୍ ମୂଲ୍ୟରେ କିଣାଯାଉଛି। ବିଭିନ୍ନ ଜିଲ୍ଲାରେ ପ୍ରତିପତ୍ତିଶାଳୀ ଲୋକମାନେ ଏଭଳି ଜମିକୁ କିଣିବା ପରେ ବିଭିନ୍ନ ଶିଳ୍ପସଂସ୍ଥାଙ୍କ ହାତକୁ ଟେକି ଦେଉଛନ୍ତି। ଶିଳ୍ପସଂସ୍ଥା ପକ୍ଷରୁ ଉକ୍ତ ଜମିକୁ ଡମ୍ପିଂୟାର୍ଡ ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏସ୍‌ସି, ଏସ୍‌ଟି କାଟାଗୋରି ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଅଶିକ୍ଷିତ ଥିବାରୁ ସେମାନଙ୍କ ଜମି କିଣିବା ମାଫିଆମାନଙ୍କ ପକ୍ଷେ ସହଜ ହେଉଛି।

ଏସ୍‌ସି, ଏସ୍‌ଟି ଲୋକଙ୍କ ଜମି କିଣିବା ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ସରକାର ୨୦୧୩ ମସିହାରେ ଏକ ଆଇନ ଆଣିଥିଲେ। ଏହି ଆଇନ ହେଉଛି ଆରଏଫ୍‌ସିଟିଏଲ୍‌ଏଆର୍‌ଆର୍। ଏହି ଆଇନର ଲକ୍ଷ୍ୟ ହେଉଛି ଯେତେବେଳେ ଉପରୋକ୍ତ ବର୍ଗର ଲୋକଙ୍କ ଜମି କିଣାଯିବ ସେତେବେଳେ ସ୍ଥାନୀୟ ପ୍ରଶାସନ ଯଥା ଗ୍ରାମସଭାଙ୍କୁ ଅବଗତ କରାଯାଇ ଜମି କିଣାବିକା କରାଯିବ। ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରହିବ ଏବଂ ସମ୍ପୃକ୍ତ ଜମି ବିକୁଥିବା ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ମିଳିବ। କିନ୍ତୁ ଏବେ ଏହି ନିୟମକୁ ଅନୁସରଣ କରାଯାଉନାହିଁ।

ଏଣୁ ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଗତ ୫ ବର୍ଷ ଭିତରେ ଉପରୋକ୍ତ ଜିଲ୍ଲାରେ ଏସ୍‌ସି, ଏସ୍‌ଟି ଲୋକଙ୍କର କେତେ ଜମି କେଉଁମାନେ କିଣିଛନ୍ତି ଏବଂ ଏହି ଜମି କେତେ ଲୋକଙ୍କ ନାମରେ କବଲା ହୋଇଛି ତାହାର ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏଥିସହ ରାଜ୍ୟ ସରକାର ଏସ୍‌ସି, ଏସ୍‌ଟି ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଯେଉଁ ଆଇନ ଆଣିଛନ୍ତି ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ଆଇନଜୀବୀ ଆଶିଷ କୁମାର ମିଶ୍ର ଏହି ମାମଲା ରୁଜୁ କରିଛନ୍ତି।

Comment