ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଦିନ ପ୍ରାୟ ୨ଟା। ହରିୟାଣାର ସିରସା ଆଶ୍ରମରୁ ଦଳବଳ ଧରି ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପହଁଚିଥିଲେ ବାବା ଗୁରମିତ ରାମ ରହିମ ସିଂହ। ସମର୍ଥକଙ୍କ ୮୦୦ଗାଡ଼ି ରାମ ରହିମଙ୍କ ସହ ଆସିଥିଲେ, ମାତ୍ର କୋର୍ଟର ଦୁଇ କିଲୋମିଟର ପୂର୍ବରୁ ସେଗୁଡିକୁ ଅଟକାଇ ଦିଆଯାଇଥିଲା।

ବାବା, କୋର୍ଟରେ ପହଁଚିବା ପରେ ଆରମ୍ଭ ହୋଇଥିଲା ଶୁଣାଣି। କୋର୍ଟ କାର୍ଯ୍ୟ ଚାଲିଥିବା ସମୟରେ ବାବା ହାତ ଯୋଡ଼ି ଧ୍ୟାନ ମୁଦ୍ରାରେ ବସିଥିଲେ। ପୂର୍ବରୁ ଶୁଣାଣି ଶେଷ ହୋଇସାରିଥିବାରୁ କେବଳ ରାୟ ପ୍ରକାଶ ହେବାର ଥିଲା। ତେଣୁ ଅଧିକ ସମୟ ନନେଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ୍ ଜଗଦୀପ ସିଂହ ରାୟ ଶୁଣାଇଥିଲେ।

ସ୍ୱାଧୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କଲେ ଜଜ୍। ହେଲେ ରାୟରେ ଜଜ୍ କ’ଣ କହୁଛନ୍ତି ତାହା ପ୍ରଥମେ ବୁଝି ପାରିନଥିଲେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ। ସେ ତାଙ୍କ ଓକିଲଙ୍କ ମୁହଁକୁ କରୁଣ ଦୃଷ୍ଟିରେ ଅନାଇଥିଲେ।

ଦୋଷୀ ସାବ୍ୟସ୍ତ ହୋଇଥିବା ନେଇ ଓକିଲ ସ୍ପଷ୍ଟ କରିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାବା। କିଛି ସମୟ ପାଇଁ ସ୍ଥାଣୁ ହୋଇ ବସି ରହିଥିଲେ ଏବଂ ତାଙ୍କ ଆଖିରୁ ଲୁହ ବୋହି ଆସିଥିଲା, ଏକଥା କହିଛନ୍ତି ସିବିଆଇ ଓକିଲ ଏଚପିଏସ ବର୍ମା, ଯିଏ କୋର୍ଟ ରୁମରେ ଉପସ୍ଥିତ ଥିଲେ।

କୋର୍ଟର ଏହି ପ୍ରକିୟା ଅଧ ଘଣ୍ଟା ଧରି ଚାଲିଥିଲା। ସିବିଆଇ ଓକିଲ, ରାମ ରହିମଙ୍କ ଓକିଲ, ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ଆଇଜି ପାହ୍ୟାର ପୁଲିସ ଅଧିକାରୀ ଏବଂ କିଛି ପୋଲିସ କର୍ମଚାରୀ କୋର୍ଟରେ ଉପସ୍ଥିତ ଥିଲେ। ରାୟ ଘୋଷଣା ପରେ ତୁରନ୍ତ ପୁଲିସ ତାଙ୍କୁ ଗିରଫ କରିଥିଲା।

ସେପଟେ କୋର୍ଟ ପରିସରର ପ୍ରାୟ ଦୁଇ କିଲୋମିଟର ବାହାରେ ରାମ ରହିମଙ୍କ କିଛି ଅନୁଗାମୀଙ୍କ ମଧ୍ୟରେ ପ୍ରଚାର ହୋଇଗଲା ଯେ ବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି କୋର୍ଟ। ଏହି ଗୁଜବ କାନକୁ କାନ ବ୍ୟାପିବା ପରେ ଉତ୍ସବମୁଖର ହୋଇ ଉଠିଥା’ନ୍ତି ଡେରା ସମର୍ଥକ।

ମାତ୍ର କିଛି ସମୟ ପରେ ସତ ପଦାକୁ ଆସିଲା। କ୍ଷୁବ୍ଧ ହୋଇଉଠିଲେ ହଜାର ହଜାର ସମର୍ଥକ। ଭକ୍ତ ବେଶରେ ବୁଲୁଥିବା ରାମ ରହିମଙ୍କ ଗୁଣ୍ଡାବାହିନୀ ରକ୍ତମୁଖା ହୋଇଗଲେ। କୋର୍ଟ ଆଡ଼କୁ ମାଡ଼ି ଚାଲିଲେ। ହେଲେ ସୁରକ୍ଷାକର୍ମୀ ଅଟକାଇବାରୁ ବାଟରେ ଉତ୍ପାତ ଆରମ୍ଭ କରିଦେଲେ।

ସରକାରୀ ଅଫିସ, ଗାଡି ମଟର ଯାହା ଆଖିକୁ ଦେଖାଗଲା ପୋଡ଼ାଜଳା, ଭଙ୍ଗାଭଙ୍ଗି କଲେ। ମିଡିଆର ତିନିଟି ଓବି ଭ୍ୟାନ ଭାଙ୍ଗିଦେବା ସହ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ କଲେ। ଚାହୁଁ ଚାହୁଁ ପୂରା ସହରକୁ ବନ୍ଧକ ବନାଇଦେଲେ ଡେରା ସମର୍ଥକ।

ସେପଟେ କୋର୍ଟରୁମରୁ ରାମ ରହିମଙ୍କୁ ଗିରଫ କରିବା ପରେ ବାହାରେ ଥିବା ଏକ ସ୍କର୍ପିଓ କାର ଭିତରକୁ ନିଆଯାଇଥିଲା। କ୍ୟାମେରା ଆଗରେ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରି ବିବୃତି ଦେବାକୁ ତାଙ୍କୁ କୁହାଗଲା।

ବାବା ରାମ ରହିମଙ୍କ ସ୍ୱପ୍ନ ସେତେବେଳକୁ ତୁଟି ସାରିଥିଲା। ସେ ଜାଣି ସାରିଥିଲେ, ତାଙ୍କ କଳା କାରନାମା ପଦାରେ ପଡ଼ିସାରିଛି। ତାଙ୍କ ଖେଳ ଖତମ୍ ହୋଇସାରିଛି। ସେ ଜାଣି ସାରିଥିଲେ,  ସେ ଆଉ ଡେରାର ମହାରାଜ ନୁହଁନ୍ତି, ସେ ଜଣେ ଦୋଷୀ ସାବ୍ୟସ୍ତ ଅପରାଧି। ଯେମିତି କୁହାଯାଉଥାଏ, ତାହା କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ ବାଟ ନଥିଲା। ପୂରା ଗୁମସୁମ ହୋଇପଡିଥିଲେ ବଳାତ୍କାରୀ ବାବା।

ରାମ ରହିମଙ୍କୁ ଅମ୍ବାଲା ଜେଲକୁ ନେବା ପାଇଁ ଯୋଜନା ଥିଲେ ବି ତାହା ବଦଳାଇ ଦିଆଯାଇଥିଲା। କାରଣ ଜେଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରୋହତକରେ ଏକ ଅସ୍ଥାୟୀ ଜେଲ, ବାବାଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା। ସ୍ୱତନ୍ତ୍ର ହେଲିକଫ୍ଟର ଯୋଗେ ତାଙ୍କୁ ରୋହତକ ନିଆଯାଇଥିଲା।

ରୋହତକରେ ଡେରା ସମର୍ଥକଙ୍କ ପ୍ରଭାବ ନଥିବାରୁ ଏହି ସ୍ଥାନକୁ ବଛା ଯାଇଥିଲା। ହେଲିକଫ୍ଟର ଭିତରେ ରାମ ରହିମ ହାତ ଯୋଡ଼ି ଗୁମସୁମ ହୋଇ ବସିଥିବା ଦେଖିବାକୁ ମିଳିଥିଲା।

ବଳାତ୍କାରୀ ବାବାଙ୍କୁ କି ଦଣ୍ଡ ମିଳିବ, ଆସନ୍ତା ସୋମବାର ଦିନ ଘୋଷଣା ହେବ। ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ (ଧାରା ୩୭୬) ଏବଂ ଅପରାଧିକ ଷଡଯନ୍ତ୍ର (ଧାରା ୫୦୬) ପ୍ରମାଣିତ ହୋଇଛି। ଏଥିରେ ସର୍ବନିମ୍ନ ୭ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ତେବେ ୨୮ ତାରିଖ ଦିନ ପଞ୍ଚକୁଳା ସିବିଆଇ କୋର୍ଟକୁ ଆସିବେ ନାହିଁ ରାମ ରହିମ। ଭିଡିଓ କନଫରେନ୍ସିଂ ଜରିଆରେ ଦଣ୍ଡାଦେଶ ଶୁଣାଇ ଦିଆଯିବ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି।

Tags: Ram Rahim Verdict, Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Rape Case, Top Stories

LEAVE A REPLY

Please enter your comment!
Please enter your name here