ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳ ଏବେ ନିର୍ବାଚନ ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି। ଦିନକୁ ଦିନ ନୂଆ ନୂଆ ଅସ୍ତ୍ର ପ୍ରୟୋଗ କରି ବିରୋଧୀଙ୍କୁ ତାଜୁବ୍ କରୁଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା, ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନବୀନ ମାଷ୍ଟର ଷ୍ଟ୍ରୋକ ଖେଳି ଚାଲିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏଭଳି ଗୋଟି ଚାଳନା କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି।
ଏ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ଡଃ ବିଶ୍ୱ ରଞ୍ଜନ ମହାନ୍ତି  କୁହନ୍ତି, ”ଭାବମୂର୍ତ୍ତି ସଜାଡିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୮ରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଥିବାରୁ ନବୀନ ନିର୍ବାଚନ ମୁହାଁ ହୋଇ ଯାଇଛନ୍ତି। ଅଯଥା ପ୍ରସଙ୍ଗକୁ ନେଇ ବିଜେଡି କର୍ମୀ ଓ ନେତା ଚର୍ଚ୍ଚା କରୁଛନ୍ତି। ଗୋଟିଏପଟେ ସପ୍ତମ ବେତନ କମିଶନ ଲାଗୁ କରି ସରକାରୀ କର୍ମଚାରୀଙ୍କୁ ଖୁସି ପ୍ରଦାନ କରିଥିବା ବେଳେ ଅନ୍ୟପକ୍ଷେ ଶିକ୍ଷକମାନଙ୍କ ସମସ୍ୟା ସମାଧାନ କରୁ ନାହାନ୍ତି।”
ଅଗଷ୍ଟ ୮ରୁ ନବୀନ ନୂଆ ରଣନୀତି ଆରମ୍ଭ କରିଛନ୍ତି।ସହରାଞ୍ଚଳର ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଦେବାକୁ ଘୋଷଣା କରି ନବୀନ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ୫ଟି ମହାନଗର ନିଗମ, ୩୫ ମ୍ୟୁନସିପାଲିଟି ଏବଂ ୬୩ଟି ଏନଏସିର ବସ୍ତିବାସିନ୍ଦା ଏହାର ଫାଇଦା ନେଇ ପାରିବେ ବୋଲି ଯୋଜନା କରାଯାଇଥିଲା। ଏହାକୁ ବିରୋଧୀ ସମାଲୋଚନା କରିଥିଲେ। ୧୭ ବର୍ଷ ପରେ ବସ୍ତି ବାସିନ୍ଦାଙ୍କ କଥା କାହିଁକି ମନେ ପଡିଲା ବୋଲି ପ୍ରଶ୍ନ କଲେ। ପୌର ନିର୍ବାଚନ ପୂର୍ବରୁ ନବୀନ ଭେଳିକି ଦେଖାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କଲେ।
ଏହି ଚର୍ଚ୍ଚା ନ ଥମୁଣୁ ଦିଲ୍ଲୀରେ ଧର୍ମନ୍ଦ୍ରେ-ନବୀନଙ୍କ ଭେଟଘାଟକୁ ନେଇ ପୁଣି ଆଉ ଏକ ଚର୍ଚ୍ଚା ମୁଣ୍ଡ ଟେକିଲା। ଆଓସିଏଲ ବିବାଦ ସମାଧାନ କରିବା ପାଇଁ ଉଭୟ ନେତା ଆଲୋଚନା କରିଥିଲେ ହେଁ ଓଡ଼ିଶାରେ ଭିନ୍ନ ଚର୍ଚ୍ଚା ହେଲା। କୁହାଗଲା ନିର୍ବାଚନରେ ମେଣ୍ଟ ପାଇଁ ଉଭୟ ଏକାଠି ହୋଇଛନ୍ତି। ହେଲେ ବାସ୍ତବରେ ଆଇଓସିଏଲ ବିବାଦର ଯବନିକା ପଡିଥିଲା।
ଏହାପରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା। ଏହାକୁ ବିଜେଡି କର୍ମୀମାନେ ଜୋରଦାର ପ୍ରଚାର ପ୍ରସାର କରିଥିଲେ। ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ନେତା ଓ କର୍ମୀଙ୍କ ଲମ୍ବା ଧାଡ଼ି ଦେଖବାକୁ ମିଳିଲା। ଲାଗିଲା ଯେମିତି ନିକଟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ବିଜେଡି ଏବେ ପ୍ରମୁଖ ଅସ୍ତ୍ର କରିଛି। ‘ଆୱାର ସିଏମ୍ ଆୱାର ହିରୋ’ ନାମରେ କ୍ୟାମ୍ପେନ୍ ଆରମ୍ଭ କରି ଦେଇଛନ୍ତି ଶାସକ ଦଳର କର୍ମୀ।
ପୁଣି ସରକାରୀ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବାକୁ ନବୀନ ଘୋଷଣା କରି ଆଉ ଏକ ଚତୁର କାର୍ଡ ଖେଳିଛନ୍ତି। ଏଥିରେ କର୍ମଚାରୀମାନେ ଖୁସି ହୋଇ ନବୀନଙ୍କୁ ପ୍ରଶଂସା କରିଛନ୍ତି। ଏହା ବିଜେଡିର ଭୋଟ ବ୍ୟାଙ୍କ ବୃଦ୍ଧିରେ ସହାୟକ ହେବ ବୋଲି ବିରୋଧୀ କହିଛନ୍ତି।
ଖାଲି ସେତିକି ନୁହେଁ, ଗୁରୁବାର ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ନବୀନ। ବିଜେପିର ମୋ ବୁଥ୍ ସବୁଠୁ ମଜଭୁତ ଭଳି ବିଜେଡି ଏହି କାର୍ଯ୍ରକ୍ରମ ଶୁଭାରମ୍ଭ କରି ଗାଁ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଗାଁ କମିଟି ଗଠନ କରି ସଙ୍ଗଠନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କୁହନ୍ତି, ”ସଙ୍ଗଠନ ସଜାଡିବା ହେଉଛି ସବୁ ସବୁ ରାଜନୈତିକ ଦଳର କାମ। ଏଣୁ ବିଜେଡି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜ ଘର ସଜାଡୁଛି। ତାଛଡା ଆଗୁଆ ନିର୍ବାଚନ ପାଇଁ ଆମେ କେବଳ ପ୍ରସ୍ତୁତି ହେଉ ନାହୁଁ। ଗୋଟିଏ ଶାସକ ଦଳ ଭାବେ ରାଜ୍ୟର ସ୍ୱାର୍ଥ ପାଇଁ ଯାହା କରିବା କଥା ତାହା ହିଁ କରୁଛୁ।”
ବିଜେପିର ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ନବୀନ ଗୋଟିଏ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ ଖେଳୁଥିବା ଚର୍ଚ୍ଚା ହେଉଛି। ଯେଉଁ ମୁହୁର୍ତ୍ତରେ ନିର୍ବାଚନ ହେଲେ ବିଜେଡି ପ୍ରସ୍ତୁତ ରହିବାକୁ ଏବେଠାରୁ ଉଦ୍ୟମ ଆରମ୍ଭ କରି ଦେଇଥିବା ଉପରୋକ୍ତ ଘଟଣା ପ୍ରମାଣିତ କରିଛି।
(ପ୍ରସ୍ତୁତି: ସରୋଜ)
Tags: Odisha Election, Election, BJD, Naveen Patnaik, Outlook Magazine, Politics, Odisha Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

1 COMMENT

Comment