ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାମରହିମଙ୍କୁ ଦୁଇଟି ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ ବି ତାଙ୍କ ପାଇଁ ସମସ୍ୟା ଶେଷ ହେଉନାହିଁ।
ଏବେ ତ ସେ ତାଙ୍କ କୁକର୍ମ ପାଇଁ ସଜା ଭୋଗୁଛନ୍ତି, ଯଦି କେବେ ଉପର କୋର୍ଟରେ ଦଣ୍ଡାଦେଶ କୋହଳ କିମ୍ବା ଜାମିନ ମିଳିଯାଏ, ତେବେ ବି ସେ ଆଉ ଫିଲ୍ମରେ ଡାଇଲଗ୍ ବାଜି କରିପାରିବେନାହିଁ। ସେହି ବାଟ ବନ୍ଦ କରିଦେଇଛନ୍ତି ସିନେମା ଓ ଟିଭି ଆର୍ଟିଷ୍ଟ ଆସୋସିଏସନ (ଚିନ୍ତା) ଏବଂ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟରସ୍ ଆସୋସିଏସନ(ଆଇଏଫଟିଡିଏ)।
ତଥାକଥିତ ରକଷ୍ଟାର ଗୁରମିତ ରାମରହିମ ସିଂହ ଆଉ ଅଭିନୟ କରିପାରିବେନାହିଁ।  ଫିଲ୍ମ ଓ ଟେଲିଭିଜନରେ କାମ କରିବା ପାଇଁ ଥିବା ଅନୁମତିକୁ ବାତିଲ କରିଦିଆଯାଇଛି। ସିନେମା ଓ ଟିଭି ଆର୍ଟିଷ୍ଟ ଆସୋସିଏସନ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନେଇଛି। ତାଙ୍କର ଅପରାଧ ଓ ଅନୈତିକ କୁକର୍ମ ପ୍ରମାଣ ହୋଇଯିବା ପରେ ଏପରି କଠୋର ନିଷ୍ପତ୍ତି ନେଇଛି ସିନେମା ଓ ଟିଭି କଳାକାର ସଂଘ।
ସେହିପରି ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟରସ୍ ଆସୋସିଏସନ ମଧ୍ୟ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ପାଇଁ ତାଙ୍କର ଲାଇସେନ୍ସକୁ ବାତିଲ କରିଦେଇଛି। ଫଳରେ ଏହି ଆତ୍ମଘୋଷିତ ଭଗବାନଙ୍କ ଫିଲ୍ମ ନିର୍ମାଣ ସ୍ୱପ୍ନ ଏହିଠାରେ ପୂର୍ଣ୍ଣଚ୍ଛେଦ ପଡିଛି। ରାମରହିମଙ୍କ ପରବର୍ତ୍ତୀ ପ୍ରଯୋଜନା ‘ଏମଏସଜି-ଅନଲାଇନ ଗୁରୁକୂଳ’ ଆଉ କେବେ ବି ନିର୍ମାଣ ହୋଇପାରିବନାହିଁ।
ରାମରହିମ ମୁହଁକୁହା ଝିଅ ହନିପ୍ରୀତଙ୍କୁ ମଧ୍ୟ ଫିଲ୍ମଜଗତରୁ ବାସନ୍ଦ କରାଯାଇଛି। ସେ ଆଉ ଫିଲ୍ମରେ ଅଭିନୟ କରିପାରିବେ ନାହିଁ କିମ୍ବା ନିର୍ମାଣ, ନିର୍ଦ୍ଦେଶନା ଦେଇପାରିବେନାହିଁ।
ସେପଟେ ତାଙ୍କର ସୋସିଆଲ ମିଡିଆ ପ୍ରସାରରେ ମଧ୍ୟ ରୋକ ଲଗାଇ ଦିଆଯାଇଛି। ରାମରହିମଙ୍କୁ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ତାଙ୍କର ଟ୍ୱିଟର ପେଜ୍ ବ୍ଲକ କରିଦେଇଛି ଟ୍ୱିଟର-ଇଣ୍ଡିଆ। ଟ୍ୱିଟରରେ ତାଙ୍କୁ ପ୍ରାୟ ୫୦ ଲକ୍ଷ ଲୋକ ଫଲୋ କରୁଥିଲେ। ଏହା ଥିଲା ତାଙ୍କର ଆତ୍ମପ୍ରଚାର ଓ ପ୍ରସାରର ଅନ୍ୟତମ ମୁଖ୍ୟ ମାଧ୍ୟମ।
ଅବଶ୍ୟ ବିଦେଶରେ ଏହି ଆକାଉଣ୍ଟ କାର୍ଯ୍ୟ କରୁଛି। କାରଣ ବିଭିନ୍ନ ଦେଶର ନିୟମ ଅନୁସାରେ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବାଲାଗି ପୋଲିସକୁ ଅଲଗା ଅଲଗା ଆବେଦନ କରିବାକୁ ପଡିବ।
ସେହିପରି ହନିପ୍ରୀତଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ଲାଗି ମଧ୍ୟ ଯୋଜନା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ପାଇଁ ତାଙ୍କ ଆକାଉଣ୍ଟ ସକ୍ରିୟ ରହିଛି।
ସେପଟେ ହନିପ୍ରୀତ ଇନସାନ୍ ଓରଫ ପ୍ରିୟଙ୍କା ତନେଜାଙ୍କୁ ଗିରଫ କରିବା ପାଇଁ ହରିଆଣା ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ ଓ ହିଂସାକାଣ୍ଡ ଭିଆଇବା ମାମଲା ରୁଜୁ କରିସାରିଛି ପୁଲିସ। ସିବିଆଇ କୋର୍ଟ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାମରହିମଙ୍କୁ ଫେରାର କରାଇବା ଲାଗି ଉଦ୍ୟମ କରିଥିବା ଭଳି ସଂଗୀନ ଅଭିଯୋଗ ରହିଛି ତାଙ୍କ ବିରୋଧରେ।
ବର୍ତ୍ତମାନ ପୋଲିସ ସନ୍ଦେହ କରୁଛି ଯେ ହନିପ୍ରୀତ ଦେଶଛାଡି ଫେରାର ହୋଇଯାଇଛନ୍ତି। ରୋହତକ ଜେଲକୁ ରାମରହିମ ଯିବା ପରେ ହନିପ୍ରୀତଙ୍କୁ ଏକ ଇନୋଭା ଗାଡ଼ିରେ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ହରିଆଣା ସୀମାନ୍ତ ଗୁରୁଗାଁଓ ଅଞ୍ଚଳରେ ପୁଲିସ ତନାଘନା କରିଛି। ନେପାଳ ବାଟ ଦେଇ ସେ ବିଦେଶକୁ ଚାଲିଯାଇଥିବା ଅନୁମାନ କରାଯାଉଛି।
ହନିପ୍ରୀତଙ୍କ ଏକ ରହସ୍ୟଜନକ ଚିଠି ପୁଲିସର ହସ୍ତଗତ ହୋଇଛି। ହରିଆଣା ପୋଲିସର ବିକାଶ ନାମକ ଜଣେ କନେଷ୍ଠବଳଙ୍କ ସହ ସେ ଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି। ଚିଠିରେ ତାଙ୍କର ସ୍ୱାକ୍ଷର ମଧ୍ୟ ରହିଛି। ତେବେ ପୁଲିସ ଏହି ଚିଠିର ସତ୍ୟତା ପରୀକ୍ଷା କରୁଛି। ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ବିକାଶ ନାଁରେ ସେପରି କେହି କନେଷ୍ଠବଳ ଥିବା ଜଣାପଡିନାହିଁ। ଏହି ଚିଠି ପଛରେ ବି ବଡ଼ ଷଡଯନ୍ତ୍ର ଥିବା ଅନୁମାନ କରୁଛି ପୋଲିସ।

Tags: Bhubaneswar News, Breaking News, CBI, Dera Sacha Sauda, Gurmeet Ram Rahim, Gurmeet Ram Rahim Singh, Hanipreet, Hanipreet Isnan, Latest News, Odisha Breaking News, Odisha News, Odisha Stories, Odisha Top Stories, Punjab, Ram Rahim, Ram Rahim Verdict, Rape Case, Top Stories

Comment