ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକାର୍ପଣ ହେଲା କୋରାପୁଟର ବହୁ ପ୍ରତୀକ୍ଷିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଲୋକାର୍ପଣ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଉପକୃତ ହେବେ।
“ଏହି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍‌କୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ଏହାଦ୍ୱାରା ଅଞ୍ଚଳବାସୀଙ୍କର ବହୁ ଦିନର ସ୍ୱପ୍ନ ସାକାର ହେଲା। ବିଶିଷ୍ଟ ଜନଜାତି ନେତା ତଥା ସ୍ୱାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକକଙ୍କ ନାମରେ ନାମିତ ଏହି ହସ୍ପିଟାଲ୍ ଗରିବ ଲୋକଙ୍କୁ ଉତ୍କୃଷ୍ଟମାନର ଚିକିତ୍ସା  ସୁବିଧା ଯୋଗାଇଦେବ”, ଲୋକାର୍ପଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।
ଏହି କଲେଜରେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଏମ୍‌ବିବିଏସ୍ ସିଟ୍‌ରେ ପାଠ ପଢ଼ାଯିବାର ବ୍ୟବସ୍ଥା ରହିଛି। ଏଥପାଇଁ ୨୨ ଜଣ ପ୍ରଫେସର ଓ ୨୮ ଜଣ ସହଯୋଗୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲ ନିର୍ମାଣ ପାଇଁ ୧୯୨.୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
୧୭.୧୫ ଏକର ଜମିରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ୨୦୧୫ରୁ ଆରମ୍ଭ ହୋଇଥିଲା। ନିର୍ମାଣ ଶେଷ ହେବାକୁ ୨ ବର୍ଷ ଲାଗିଯାଇଥିଲା। କେବେ ଲୋକାର୍ପଣ ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଏହି ହସ୍ପିଟାଲରେ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ସହ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ପରି ଉପାନ୍ତ ଅଞ୍ଚଳର ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇ ପାରିବେ।
ବୁଧବାର ମୟୁରଭଞ୍ଜରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି।
୧୯୬୩ରେ ବ୍ରହ୍ମପୁର ଏମକେଏସଜି ମେଡିକାଲ କଲେଜ ଲୋକାର୍ପଣ ହୋଇଥିଲା। ୬୩ ବର୍ଷ ପରେ ପୁଣି ଆଉ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଦକ୍ଷିଣ ଓଡ଼ିଶାରେ ବାସ୍ତବ ରୂପ ନେଇଛି। ୧୦୦ ଏମବିବିଏସ୍ ସିଟରେ ଓଡ଼ିଶାର ୮୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ରାଜ୍ୟ ବାହାରୁ ୧୧ ଜଣ ଅଛନ୍ତି।
ଏହି ମେଡିକାଲ କଲେଜରେ ଏଫ୍ଏଫସି, ପିଏପି ପରି ପରୀକ୍ଷା ସହ ୨୪ ଘଣ୍ଟିଆ ଅଲଟ୍ରା‍ସାଉଣ୍ଡ ଉପଲବ୍ଧ ରହିଛି।  ପ୍ରଥମ ପର୍ଯ୍ୟା଼ୟରେ ସ୍ତ୍ରୀ ରୋଗ ଓ ପ୍ରସୂତି, ଶିଶୁ, ହୃଦ୍‌ରୋଗ, କର୍କଟ ରୋଗ ବିଭାଗ ଦୃଢ଼ କରାଯାଇଛି। କେମୋ ଥେରାପି ପାଇଁ ୧୦ ଶର୍ଯ୍ୟା ବିଶିଷ୍ଟ ୱାର୍ଡ ଖୋଲା ଯାଇଛି।
କୋରାପୁଟ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଅନୁସୂଚି ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, କୋରାପୁଟ ସାଂସଦ ଝିହ୍ନ ହିକ୍‌କା ପ୍ରମୁଖ ଉପସ୍ଥିତ ଥିଲେ।

Tags: Chief Minister, Naveen Patnaik, Pratap Jena, Saheed Laxman Nayak Medical College, SLN Medical College and Hospital, BJD, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment