ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନ ଉପରେ ଦଳର ତୃଣମୂଳ କର୍ମୀମାନଙ୍କର ରହିଛି ନଜର। କାରଣ ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା ପରେ ଶାହା ମିଶନ୍-୧୨୦ର ଗଣିତ ନେଇ କର୍ମୀଙ୍କୁ କେଉଁ ଫର୍ମୁଲା ଦେବେ ତାହା ଆଜିର ମୁହୂର୍ତ୍ତରେ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହା।
ଶାହାଙ୍କ ଗସ୍ତକୁ ଇତି ମଧ୍ୟରେ ଦୁଇ ଦିନି ବିତିଗଲାଣି। ଏହି ଦୁଇ ଦିନରେ ଶାହା ଦଳର କିଛି ଛାମୁଆ ତଥା ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ବୁଦ୍ଧିଜୀବୀଙ୍କୁ ଭେଟି ଫିଡବ୍ୟାକ ନେଇଛନ୍ତି। ଆଉ କିଛି ମିଡିଆ ମାଲିକ ତଥା ସମ୍ପାଦକଙ୍କୁ ତାରକା ହୋଟେଲରେ ଭେଟି ଓଡ଼ିଶାରେ ବିଜେପିର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଏସବୁ ବାଦ୍ ରାଜ୍ୟବାସୀ ଶାହାଙ୍କ ୩ ଦିନିଆ ଗସ୍ତର ଅନ୍ତିମ ଦିବସ ତଥା ଶୁକ୍ରବାରକୁ ଅପେକ୍ଷା କରିଛନ୍ତି। କାରଣ ଶୁକ୍ରବାର ହିଁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଛାମୁଆ ନେତାଙ୍କୁ ‘ମିଶନ-୧୨୦’ ହାସଲ ପାଇଁ ଷ୍ଟ୍ରାଟେର୍ଜି ମାଷ୍ଟର ଗୁରୁ ମନ୍ତ୍ର ଦେବେ। ଯେଉଁ ମନ୍ତ୍ରକୁ ନେଇ ବିଜେପି କର୍ମକର୍ତ୍ତା ଗାଁକୁ ଯିବେ ଏବଂ ଏହାକୁ କାର୍ଯ୍ୟରେ ଲଗାଇବେ।
ଶୁକ୍ରବାର ଷ୍ଟ୍ରାଟେର୍ଜି ମାଷ୍ଟରଙ୍କ ରଣନୀତି ଆରମ୍ଭ ହେବାକୁ ଯାଉଛି ପୂର୍ବାହ୍ନ ୯ଟାରେ। ଏହି ସମୟରେ ଶାହା ଗଙ୍ଗନଗରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ କରିବେ। ଯଦିଓ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ, ତଥାପି ରାଜନୀତି ପର୍ଯ୍ୟବେକ୍ଷକ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କୁହାଯାଉଛି ବୃକ୍ଷରୋପଣ ମାଧ୍ୟମରେ ଶାହା କିଛି ଶିକ୍ଷାବିତଙ୍କ ସଂସ୍ପର୍ଶରେ ଆସିବେ। ଆଉ ବିଜେପିର ସ୍ଥିତି ସମ୍ପର୍କରେ ପଚାରି ବୁଝିବେ।
ଏହାପରେ ଶାହାଙ୍କ ଅସଲ ରଣନୀତି ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରେ ଦଳର ସାଂସଦ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ପାର୍ଟି ଅଫିସରେ ଭେଟି ମନ୍ଥନ ଆରମ୍ଭ କରିବେ। ପ୍ରତି ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି କିପରି ଅଛି, ପଞ୍ଚାୟତ ଭୋଟ ପରେ ଗାଁ ଲୋକେ ବିଜେପିକୁ ନେଇ କ’ଣ ଆଲୋଚନା କରୁଛନ୍ତି ସେ ସମ୍ପର୍କରେ ଶୁଣିବେ। ତାଛଡା ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ କେମିତି ଚାଲିଛି ତାକୁ ନେଇ ଆଲୋଚନା କରିବେ। ୨୦୧୯ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବେ। ପ୍ରାୟ ଘଣ୍ଟାଏ ଧରି ଶାହା ରୁଦ୍ଧଦ୍ବାର ବୈଠକ କରିବେ।
ଏହାପରେ ବିସ୍ତାର ବୈଠକରେ ଯୋଗଦେଇ ଶାହା ଜନତା ମଇଦାନ ଅଭିମୁଖେ ବାହାରିବେ। ଯେଉଁଠି ତୃଣମୂଳ ସ୍ତରର ୧ ଲକ୍ଷ କର୍ମକର୍ତ୍ତାଙ୍କୁ ନେଇ ‘କାର୍ଯ୍ୟକର୍ତ୍ତା ମହା ଅଧିବେଶନ’ ହେବ। ରାଜଧାନୀରେ ପ୍ରଥମ ଥର ପାଇଁ ବିଜେପି ଏତେ ସଂଖ୍ୟକ କର୍ମୀ ଠୁଳ କରୁଥିବାରୁ ନେତା ଉତ୍ସାହିତ ଅଛନ୍ତି। ଶାହାଙ୍କୁ ଅତି ପାଖରୁ ଦେଖିବାର ସୁଯୋଗ ଥିବାରୁ ଗାଁ ଗହଳିର କର୍ମୀ ବି ଉତ୍ସାହିତ ଅଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ଅଧିବେଶନ ଚାଲିବ।
ଜନତା ମଇଦାନରେ ହିଁ ଅସଲ ରଣନୀତି ପ୍ରସ୍ତୁତ ହେବ। ‘ମିଶନ-୨୦୧୯’ ସଫଳ କରିବା ନେଇ ଶାହା କର୍ମୀଙ୍କୁ ଉଦବୋଧନ ଦେବେ। ଶାହାଙ୍କଠାରୁ କର୍ମୀ ଶୁଣିବେ। ଗାଁକୁ ଯାଇ ଶାହାଙ୍କ ବାର୍ତ୍ତାକୁ କାର୍ଯ୍ୟରେ ଲଗାଇବେ। ୩ ବର୍ଷର କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ।
ଅପରାହ୍ନ ୩ଟାରୁ ୪ଟା ପର୍ଯ୍ୟନ୍ତ ରାଜ୍ୟ କୋର୍ ଗ୍ରୁପ କମିଟି ସହ ଆଲୋଚନା କରିବେ। ସହ ୪ଟାରୁ ୫ଟା ପର୍ଯ୍ୟନ୍ତ ବିଭିନ୍ନ ମୋର୍ଚ୍ଚା ଓ ସେଲର କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବେ। ଜୁଲାଇ ମାସରେ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ସଙ୍ଗଠନ ସୁଦୃଢ଼ କରିବା ନେଇ ଟାସ୍କ ଦେଇଥିଲେ। ଏହି ଟାସ୍କ କେତେବାଟ ଆଗେଇଛି ଏବଂ କ’ଣ ଅସୁବିଧା ରହିଛି ସେ ସମ୍ପର୍କରେ ଟିକିନିଖି ସମୀକ୍ଷା କରିବେ। ଏହାସହ କର୍ମକର୍ତ୍ତାଙ୍କୁ ‘ମିଶନ-୧୨୦’କୁ ସଫଳ କରିବା ଲାଗି ନୂଆ ଟାସ୍କ ଦେବେ ବୋଲି ଜଣାପଡିଛି।
Tags: Amit Shah, Bhubaneswar News, BJD, BJP, Breaking News, Dharmendra Pradhan, Latest News, Mission-120, Naveen Patnaik, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Top Stories

 

Comment