ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଗସ୍ତକୁ ନେଇ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ବିଜେପି-ବିଜେଡି ବାକ୍ ଯୁଦ୍ଧରେ ବ୍ୟସ୍ତ ରହିଥିବା ବେଳେ ହାଇ ସିକ୍ୟୁରିଟି ଜୋନ୍ ଭାବେ ପରିଚିତ ନବୀନ ନିବାସ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ  ସ୍ତ୍ରୀ ବୋଲି ଦାବି କରୁଥିବା ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ବ୍ଲେଡରେ ତାଙ୍କ ବାମ ହାତ ରିଷ୍ଟ କାଟି ଦେଇଥିଲେ। ଏହି ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି। ଖବରପାଇ ଡିସିପି(ସିକ୍ୟୁରିଟି) ଏବଂ ଅନ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମହିଳାଜଣକ କହିଛନ୍ତି ଯେ ନ୍ୟାୟ ପାଇଁ ସେ ବାରମ୍ବାର ତାଳଚେର ବିଧାୟକଙ୍କୁ ନିକଟକୁ ଯାଇଥିଲେ। ହେଲେ ସେ ତାଙ୍କୁ ନିରାଶ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ। କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ବାଧା ଦେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ।
ଏହି ମହିଳା ଜଣକ କିଛିଦିନ ହେଲା ତାଳଚେର ବିଧାୟକଙ୍କ ସ୍ତ୍ରୀ ବୋଲି ନିଜକୁ ଦାବି କରି ଆସୁଛନ୍ତି। ହେଲେ ବିଧା଼ୟକ ଶ୍ରୀ ପ୍ରଧାନ ତାଙ୍କୁ ଗ୍ରହଣ କରୁ ନ ଥିବାରୁ ସେ ଭୁବନେଶ୍ୱର ମହିଳା ଥାନାରେ ଗତ ଫେବୃୟାରୀ ମାସରେ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଧାୟକ ଅଡୁଆରେ ପଡିଥିଲେ।
ଏହାସହ ବିଧାୟକ ଏବଂ ତାଙ୍କ ସମର୍ଥକ ମହିଳାଙ୍କୁ ଜୀବନରୁ ମାରି ଦେବା ଲାଗି ଧମକ ଦେଇଥିବା ଅଭିଯୋଗ ହୋଇଥିଲା।
ଉକ୍ତ ମହିଳା ଜଣକ ବିଧାୟକଙ୍କୁ ୨୦୧୫ ଏପ୍ରିଲ ୫ରେ ବିବାହ କରିଥିବା ଅଭିଯୋଗରେ ଦର୍ଶାଇଥିଲେ। ହେଲେ ସେତେବେଳେ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ।

Tags: Braja Kishore Pradhan, Naveen Niwas, Naveen Patnaik, Suicide Attempt, BJP, BJD, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment