ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ‘ଅସୁର’ ଶବ୍ଦକୁ କାଉଣ୍ଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଗଣମାଧ୍ୟମକୁ କହିଛନ୍ତି ବିଜେଡି ‘ହତାଶ’ ହୋଇ ଏଭଳି ଶବ୍ଦ କହୁଛି। ଏହାସହ ବିଜେଡି ନେତାଙ୍କୁ ‘ମିଛୁଆ ରାଧୁଆ’ କହିବାକୁ ଧର୍ମେନ୍ଦ୍ର ପଛାଇ ନାହାନ୍ତି। ବିଜେଡି ଭୟଭୀତ ହୋଇ ମିଛୁଆ ରାଧୁଆ ଭଳି ଆଚରଣ କରୁଛି ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଏମାନଙ୍କୁ ଠିକଣା ସମୟରେ ଠିକ୍ ଜବାବ ଦେବେ। ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ହୋଇଛି।
‘ମିଶନ-୧୨୦’ର ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଗସ୍ତ ବେଳେ ଶାହା ବିଜେଡି ସରକାର ଉପରେ ବର୍ଷିଥିଲେ। ଏପରିକି ନବୀନ ସରକାରକୁ ‘ପୋଡା ଟ୍ରାନ୍ସଫର୍ମର’ କହିବାକୁ ମଧ୍ୟ ଭୁଲି ନ ଥିଲେ। ଖାଲି ସେତିକି ନୁହେଁ, ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକର୍ତ୍ତା ମହା ଅଧିବେଶନରେ ନବୀନ ସରକାରଙ୍କୁ ‘ଉପାଡି ଫିଙ୍ଗିଦିଅ’ ବୋଲି କର୍ମୀଙ୍କୁ ଆହ୍ବାନ ଦେଇଥିଲେ।
ଏହାଛଡ଼ା ବିଜେପି ସରକାର ଓଡ଼ିଶାରେ କ୍ଷମତାକୁ ଆସିଲେ ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଜେଲ୍ ପଠାଯିବ କହି ବିଜେଡିକୁ ଆକ୍ଷେପ କରିଥିଲେ। ଆଉ ଏହାର କଡ଼ା ଜବାବ ଦେଇଥିଲା ବିଜେଡି।
ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ଶାହାଙ୍କୁ କାଉଣ୍ଟର ଆଟାକ କରିଥିଲା ଦଳ। ମୁଖପାତ୍ର ତଥା ବିଧାୟକ ଡକ୍ଟର ଅରୁଣ ସାହୁ ଶାହା ବ୍ୟବହାର କରିଥିବା ଭାଷାକୁ ‘ଅସୁର’ ଶବ୍ଦ ବୋଲି କହିଥିଲେ। ଏହାସହ ଶାହାଙ୍କୁ ‘ବ୍ଲୁ ହ୍ୱେଲ୍‌ ଭାଇରସ୍ କହିବାକୁ ସେ ପଛାଇ ନ ଥିଲେ।
ବିଜେଡିର ‘ଅସୁର’ ଶବ୍ଦକୁ ଶନିବାର ପୁଣି ଧର୍ମେନ୍ଦ୍ର ଟାର୍ଗେଟ୍‌ କରି ରାଜ୍ୟ ରାଜନୀତିକୁ ଉଷ୍ମ କରିଛନ୍ତି।  ଧର୍ମେନ୍ଦ୍ର କହିଛନ୍ତି ଯେ‍ ବିଜେଡି ଭୟଭୀତ ହୋଇ ଅଭଦ୍ରାମି କରୁଛି। ୫୮ ହଜାର ଟଙ୍କାର ଖଣି ଲୁଟକୁ ନେଇ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛି। ବିଜେଡି ସରକାରର ଅପାରଗତା ଲୋକେ ଜାଣି ସାରିଥିବାରୁ ସେମାନେ ଭୟଭୀତ ହୋଇ ଏଭଳି କଥା କହୁଛନ୍ତି।
ସେହିପରି କଂଗ୍ରେସକୁ ମଧ୍ୟ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି। ଶାହାଙ୍କ ଜେଲ ଯିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ନରସିଂହ ମିଶ୍ର ଦେଇଥିବା ବିବୃତ୍ତିର ଧର୍ମେନ୍ଦ୍ର ଜବାବ ଦେଇଛନ୍ତି। କହିଛନ୍ତି, ନରସିଂହ ଯେଉଁ ଦଳର ନେତା ସେହି ଦଳର ଜ୍ୱାଇଁ ଖୁବଶୀଘ୍ର ଜେଲ୍ ଯିବେ। ସରକାରୀ ଜମି ଚୋରି ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି।

Tags: Dharmendra Pradhan, Amit Shah, Narasingh Mishra, Bhubaneswar News, BJD, BJP, BJP Govt, Breaking News, Latest News, MAHAADHIBESHAN, Mission-120, Naveen Patnaik, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

Comment