ଓଡ଼ିଶାଲାଇଭ୍‍ ବ୍ୟୁରୋ

ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସଂକଳ୍ପରୁ ସିଦ୍ଧି’ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି। ଏହି ଅବସରରେ ‘ପ୍ରଦର୍ଶନୀ ଏବଂ ସେମିନାର’ ଆୟୋଜନ କରାଯାଇଛି।  ମହାନଦୀ କୋଲ୍ ଫିଲ୍ ଲିମିଟେଡ (ଏମସିଏଲ), ଡିଏଭିପିର ସହଯୋଗରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଏହା ୫ ଦିନ ଧରି ଚାଲିବ।
୨୦୨୨ରେ ଭାରତ ଛାଡ଼ ଆନ୍ଦୋଳନ ଏବଂ ସ୍ୱାଧୀନତା ଦିବସକୁ ୭୫ ବର୍ଷ ପୂରୁଛି। ଏହି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ”ଲମ୍ବା ସ୍ୱାଧୀନତା ସଂଗ୍ରାମ ପରେ ୧୯୪୨ ଅଗଷ୍ଟ ୯ରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା।  ଫଳରେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇପାରିଥିଲା। ସ୍ୱାଧୀନତା ପାଇଁ ଆଉ ବଳିଦାନ ଦେବାର ଆବଶ୍ୟକତା ନାହିଁ। ଏବେ ନୂଆ ଭାରତ ଓ ନୂଆ ଓଡ଼ିଶା ଗଢ଼ିବାର ଆହ୍ୱାନ।”
ଏହି କାର୍ଯ୍ୟକ୍ରମରେ ଚେସ୍ ଖେଳାଳି କୁମାରୀ ସାଇନା ସଲୋନିକା, ଓଡ଼ିଶାର ମହିଳା ଭାରୋତ୍ତଳନକାରୀ ଝିଲି ଦଳ ବେହେରା ଏବଂ ସ୍ନେହା ସୋରେନଙ୍କୁ ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ।
ଏହି ପ୍ରଦର୍ଶନୀରେ ୧୮୫୭ରୁ ୧୯୪୭ ମସିହା ମଧ୍ୟରେ ଘଟିଥିବା ବିଭିନ୍ନ ଐତିହାସିକ ଘଟଣାବଳୀର ଫଟୋଚିତ୍ର ସ୍ଥାନ ପାଇଛି।  ୧୮୫୭ର ପାଇକ ବିଦ୍ରୋହ, ଚମ୍ପାରଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କିତ ଫଟୋ ଏବଂ ଭିଡିଓ ପ୍ରଦର୍ଶନ କରାଯାଉଛି।
ଏହି ପ୍ରଦର୍ଶନୀ ଏବଂ ସେମିନାରରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଏମସିଏଲ୍‌ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଏକେ ଝା, ଟେକନିକାଲ ଡିରେକ୍ଟର ଜେ.ପି.ସିଂହ, ପର୍ସୋନେଲ ବିଭାଗ ଡିରେକ୍ଟର ଏଲ.ଏନ୍.ମିଶ୍ର, ଟେକନିକାଲ ତଥା ପ୍ରୋଜେକ୍ଟ ଏବଂ ପ୍ଲାନିଂ ଡିରେକ୍ଟର ଓ.ପି.ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ଡେପୁଟି ସେକ୍ରେଟାରୀ ଆର.ସି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
Tags: A K Jha, Dharmendra Pradhan, Jhilli Dalabehara, JP Singh, Mahanadi Coalfield Limited, MCL, Ministry of Parliamentary Affairs, New India- We resolve to make, Saina Salonika, Sneha Soren

 

Comment