ଓଡ଼ିଶାଲାଇଭ୍‌ ବ୍ୟୁରୋ

ସତ୍ୟ ପଟ୍ଟନାୟକ। ଘର ଭୁବନେଶ୍ୱରର ଝାରପଡାରେ।
ଆଜି ରବିବାର ଥିବାରୁ ସତ୍ୟ ଖୁସି ମନରେ ଘରୁ ବାହାରିଥିଲେ ଝିଅ ଶିତଲକୁ ଡ୍ୟାନ୍ସ କ୍ଲାସରୁ ଆଣିବା ପାଇଁ। ଘରକୁ ଆସିବା ପରେ ବାପା-ଝିଅ ସାଙ୍ଗ ହୋଇ ଖାଇଥାନ୍ତେ ଏବଂ କିଛି ଗପସପ ହୋଇଥା’ନ୍ତେ। ହେଲେ ଏହି ଖୁସିର ମୁହୁର୍ତ୍ତ ବେଶୀ ସମୟ ରହିଲା ନାହିଁ। ଝିଅକୁ ସହିଦନଗର ଡ୍ୟାନ୍ସ କ୍ଲାସରୁ ବାଇକରେ ବସାଇ ଘରକୁ ଫେରୁଥିବା ବେଳେ ବମିଖାଲଠାରେ ମୃତ୍ୟୁ ଉପରୁ ଆସିଲା। ଆଉ ସତ୍ୟଙ୍କ ଜୀବନ ନେଇଗଲା। ଝିଅ ଶିତଲ ବି ଗୁରୁତର ଆହତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।
ବମିଖାଲ ଲେବଲ କ୍ରସିଂ ପାର୍ ହେବା ପରେ ବାପା-ଝିଅ କଥାବାର୍ତ୍ତା ହୋଇ ଧୀରେଧୀରେ ଘର ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ହଠାତ୍ ନିର୍ମାଣାଧୀନ ଫ୍ଲାଏଓଭର ବ୍ରିଜ ଭୁଶୁଡି ପଡିଲା। ଯାହାର ଶିକାର ହୋଇଥିଲେ ସତ୍ୟ ଏବଂ ଶିତଲ। ଏହି ପୋଲ ଭୁଶୁଡିବା ଯୋଗୁ ପ୍ରାୟ ୨୮ ଜଣ ଶ୍ରମିକ ଆହତ ହୋଇଛନ୍ତି। ହେଲେ ସତ୍ୟଙ୍କ ଜୀବନ ଆର ପାରିକୁ ଚାଲିଗଲା।  ତାଙ୍କୁ ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା। ମାତ୍ର ସେତେବେଳେକୁ ସବୁ ଶେଷ ହୋଇ ଯାଇଥିଲା।
ଏହି ଘଟଣା ବିଜୁଳି ବେଗରେ ପ୍ରଚାର ହେବା ପରେ କ୍ୟାପିଟାଲ ହସ୍ପିଟାଲ ଲୋକାରଣ୍ୟ ହୋଇଗଲା। ଏହି କଥା ଯିଏ ଶୁଣିଲା ସିଏ ଆହା କହି ସମବେଦନା ଜଣାଇଲା। ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି। ଝିଅ ଶୀତଲର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ହେଲେ ସତ୍ୟଙ୍କ ପରିବାରରୁ ସବୁଦିନ ପାଇଁ ହସଖୁସି ଲିଭିଗଲା।

Tags: Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

1 COMMENT

Comment