ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ସଂଯୋଗ କରୁଥିବା ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଖୁବଶୀଘ୍ର ଏହି ୩୦୫ କିଲୋମିଟର ଲମ୍ଭା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏନେଇ ମଙ୍ଗଳବାର ଦିନ ୫-ଟି ସଚିବ ଭି କେ ପଣ୍ଡିଆନ ଗଜପତି ଜିଲ୍ଲା ଗସ୍ତ ସମୟରେ ରାଜ୍ୟ ପରିବହନ ବିଭାଗର ଅଧିକାରୀଙ୍କ ସହ ଅଲୋଚନା କରିଥିଲେ।

ବ୍ରହ୍ମପୁରରୁ ଜୟପୁର ଯାଏଁ ନିର୍ମାଣ ହେବାକୁଥିବା ଏହି ଏକ୍ସପ୍ରେସ-ୱେ ପାଇଁ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ୧୫ଟି ବ୍ଲକ ଦେଇ ଯିବ। ଏହି ଏକ୍ସପ୍ରେସ-ୱେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗରୁତ୍ଵପୂର୍ଣ୍ଣ ପ୍ରକଳ୍ପ।

ଦ୍ଵିତୀୟ ବିଜୁ ଏକ୍ସପ୍ରେସ-ୱେ ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ ହ୍ରାସ ପାଇବ। ସେହିପରି ଏହି ରାସ୍ତାରେ ବ୍ରହ୍ମପୁରରୁ ଗଜପତି ଜିଲ୍ଲାର ମୋହନା ମାତ୍ର ୪୫ ମିନିଟରେ ଏବଂ ରାୟଗଡ଼ାରୁ ମୋହନା ଦେଢ ଘଣ୍ଟାରେ ପହଞ୍ଚିହେବ। ଯେଉଁଥିରେ ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ସମୟ ଲାଗୁଛି।

ଏହି ଏକ୍ସପ୍ରେସ-ୱେ ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଅର୍ଥନୈତିକ କରିଡର ସୃଷ୍ଟି ହୋଇପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାର କାମକୁ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି।

ଏହି ଏକ୍ସପ୍ରେସ-ୱେ ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ ପାହାଡ ଖୋଳାଯାଇ ରାସ୍ତା ନିର୍ମାଣ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ଗଞ୍ଜାମରେ ୪୩ କିଲୋମିଟର, ଗଜପତିରେ ୪୭ କିଲୋମିଟର, ରାୟଗଡ଼ାରେ ୧୫୮ କିଲୋମିଟର ଓ କୋରାପୁଟରେ ୫୭ କିଲୋମିଟର ରାସ୍ତା ତିଆରି କରାଯିବ।

ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାର ଚାନ୍ଦିଲିରୁ ରାଉରକେଲାକୁ ସଂଯୋଗ କରୁଥିବା ପ୍ରଥମ ବିଜୁ ଏକ୍ସପ୍ରେସ-ୱେର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ଏହାର ଲମ୍ଭ ୬୫୦ କିଲୋମିଟର ରହିଛି। ଏବେ ଦ୍ୱିତୀୟ ବିଜୁ ଏକ୍ସପ୍ରେସ୍ ଓ୍ୱେ ନିର୍ମାଣ ଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ  ଉନ୍ନତ ଯୋଗାଯୋଗ ସୁବିଧା ମିଳିବା ସହ ରାଜ୍ୟର ଆର୍ଥିକ ବିକାଶ ହେବ ବୋଲି ଆଶା କରାଯାଉଛି।

Tags: #BijuExpressway2 #Berhampur-JeyporeRoad #ConstructionWork #RoadConnectivity

 

LEAVE A REPLY

Please enter your comment!
Please enter your name here