ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାକୁ ୪ ଦିନ ବିତିଯାଇଛି। ଠିକାଦାର ସଂସ୍ଥା ମାଲିକ ଓ କିଛି ଇଂଜିନିୟର ଗିରଫ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଦୁର୍ଘଟଣାରେ ମୃତ ସତ୍ୟବ୍ରତ ପଟ୍ଟନାୟକ ଓ ଆହତ ହୋଇ ଏମ୍ସରେ ଚିକିତ୍ସା ହେଉଥିବା ଝିଅ ଶୀତଲଙ୍କ ପ୍ରତି ସାରା ଓଡ଼ିଶାରେ ସୃଷ୍ଟି ହୋଇଛି ଅଦ୍ଭୁତପୂର୍ବ ସହାନୁଭୂତି। ବାସ୍ତବରେ ଠିକାଦାରର ଚଞ୍ଚଳତାରେ ଜଣେ ନିରୀହ ଲୋକଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜନସାଧାରଣ।
ଝିଅ ଶୀତଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ସୁଧାର ଆସୁଛି। ତଥାପି ପୂରା ସୁସ୍ଥ ହେବାକୁ ଆହୁରି ଅନେକ ଦିନ ଲାଗିଯିବ। ଶୀତଲଙ୍କ ମୁଣ୍ଡରେ ୧୪ଟି ଷ୍ଟିଚ୍ ପଡ଼ିଛି। ନାକର ହାଡ଼ ଭାଙ୍ଗି ଯାଇଛି। ଡାହାଣ ପାଖ କାନ୍ଧ ମଧ୍ୟ ଫାକ୍ଚର ହୋଇଛି। ଏମ୍ସ ହସପିଟାଲ ବେଡରେ ପଡି ପାପାଙ୍କୁ(ସତ୍ୟବ୍ରତ) ମନେ ମନେ ଭାରି ଖୋଜୁଛି ଶୀତଲ।
ମନ ଭିତରେ ତା’ର ଅନେକ ଆଶଙ୍କା ସୃଷ୍ଟି ହୋଇଥିବା ପରି ଲାଗୁଛି।
ଆଉ ବାରମ୍ବାର ପାପାଙ୍କ ବିଷୟରେ ପଚାରୁନାହିଁ ସତ ହେଲେ ତାକୁ ଦେଖିବା ବେଳେ ତା‘ର କଅଁଳ ଓ ସରଳ ମୁହଁରୁ ଚାହିଁବା ପରେ ଗୋଟିଏ କଥା ବୁଝାପଡୁଛି, ସେ କେବଳ ଗୋଟିଏ ଉତ୍ତର ଖୋଜୁଛି – ‘କୁଆଡେ ଗଲେ ତା’ ପାପା?’
ମାଆ ସୀମା ପଟ୍ଟନାୟକଙ୍କ ସମେତ ସମସ୍ତେ ତାଙ୍କୁ କହୁଛନ୍ତି, ପାପା ବିଜିନେସ୍ ପାଇଁ ବାହାରକୁ ଯାଇଛନ୍ତି। ହେଲେ ଏକଥାକୁ ସେ କିପରି ବିଶ୍ୱାସ କରିପାରିବ? ଯେଉଁ ପାପା ତାକୁ ଜ୍ୱର ଟିକିଏ ହେଲେ ସବୁ କାମ ଛାଡି ତା’ ପାଖରେ ବସିରୁହନ୍ତି। ଆଜି ସେ ହସପିଟାଲରେ ପଡିରହିଛି, ମାତ୍ର ପାପା ଆସୁନାହାନ୍ତି କାହିଁକି? ଏହି ପ୍ରଶ୍ନ ତା‘ର ମନକୁ ବ୍ୟଥିତ କରୁଛି।
ମୃତ ସତ୍ୟ ପଟ୍ଟନାୟକଙ୍କ ୮ ବର୍ଷର ଝିଅ ଶୀତଲ। ଡିପିଏସ(କଳିଙ୍ଗ)ରେ ତୃତୀୟ ଷ୍ଟାଣ୍ଡାର୍ଡରେ ପଢ଼େ। ସେଦିନର ଦୁର୍ଘଟଣାକୁ ସେ ନିଜେ ଅଙ୍ଗେ ନିଭାଇଛି। ବାପାଙ୍କ ଉପରେ କିପରି ପାହାଡ଼ ଭଳି ଲୁହା ଗଦା ପଡିଯାଇଥିଲା, ସେ ନିଜ ଆଖିରେ ଦେଖିଛି। ପାପା ତାଙ୍କୁ ବଞ୍ଚାଇବା ପାଇଁ ଯେଭଳି ଭାବେ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ, ତାହା ମଧ୍ୟ ଦେଖିଛି ଶୀତଲ।
ବାରମ୍ବାର ପାପାଙ୍କ କଥା ପଚାରି ଉତ୍ତର ନପାଇବା ପରେ ଶୀତଲଙ୍କ ମନରେ ସମ୍ଭବତଃ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଛି।
ପୂର୍ବରୁ ମୋବାଇଲ ପାଇଲେ ଭିଡିଓ ଗେମ୍ ଖେଳୁଥିବା ଶୀତଲ, ଏବେ ମୋବାଇଲ ପାଇଲେ ପାପା(ସତ୍ୟବ୍ରତ)ଙ୍କ ଫୋନକୁ ରିଙ୍ଗ କରିଦେଉଛି। ନହେଲେ ଫଟୋ ଆଲବମରୁ ତା’ର ପାପାଙ୍କ ଫଟୋକୁ ଜୁମ୍ କରି​‌ଦେଖୁଛି।
କାହାକୁ କିଛି ନ କହିଲେ ବି ମନେ ମନେ ସେ ଝୁରୁଛି ତା’ର ପାପାଙ୍କୁ। ଯିଏ ଏପରି ଜାଗାକୁ ଯାଇଛନ୍ତି, ଆଉ ଫେରିବା ସମ୍ଭବ ନୁହେଁ। ହେଲେ ଏହି ବୟସରେ ସେ କିପରି ଏହି କଥାକୁ ଗ୍ରହଣ କରିପାରିବ?
ଝିଅ ଶୀତଲଙ୍କୁ ସମ୍ଭାଳିବା ପାଇଁ ଭରପୁର ଉଦ୍ୟମ କରୁଛନ୍ତି ମାଆ ସୀମା ପଟ୍ଟନାୟକ (ସତ୍ୟବ୍ରତଙ୍କ ପତ୍ନୀ)। ମାତ୍ର ତାଙ୍କ ଦୁଃଖ ସେ କାହାକୁ ଜଣାଇବେ?
ଝିଅ ପାଖରେ ହସପିଟାଲରେ ଅଛନ୍ତି ସୀମା। ତାଙ୍କର ଏପରି ସ୍ଥିତି ଯେ ମନ ଖୋଲି କାନ୍ଦିବାକୁ ବି ସୁଯୋଗ ମିଳୁନାହିଁ। କାଳେ ଝିଅ ଆଗରେ କାନ୍ଦିଲେ, ମୁଣ୍ଡରେ ମାଡ଼ ହୋଇଥିବା ଶୀତଲଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିଯିବ, ଏହି ଚିନ୍ତା ଲାଗି ରହିଛି ସୀମାଙ୍କୁ। ତାଙ୍କ ସଂସାରର ଏକମାତ୍ର ସନ୍ତକ ଶୀତଲ କିପରି ଶୀଘ୍ର ସୁସ୍ଥ ହେବ, ସେଥିପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ସୀମା। ଶୀତଲଙ୍କ ବେଡ୍ ପାଖରୁ ବାହାରକୁ ଯାଇ ଲୁହ ଗଡାଇବା ପରେ ପୁଣି ଫେରି ଆସୁଛନ୍ତି ଝିଅ ପାଖକୁ।
କଣ୍ଟ୍ରାକ୍ଟର, ନେତା ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଛଡ଼ାଇ ନେଇଛି ଗୋଟିଏ ପରିବାର ସବୁ ସୁଖ, ସବୁ ଶାନ୍ତି।
ଏହି ଦୁଃଖଦ ଘଟଣା ପରେ ସରକାର ସଚେତନ ହୁଅନ୍ତୁ। ମୁନାଫା ଖୋର ଠିକାଦାର ମଣିଷ ଜୀବନର ମୂଲ୍ୟ ବୁଝନ୍ତୁ। ନିଜ ଫାଇଦା ପାଇଁ ଅନ୍ୟର ଜୀବନକୁ ବାଜି ଲଗାଉଥିବା ନେତା ସୁଧୁରିଯାଆନ୍ତୁ। ନହେଲେ ନିରୀହ ଲୋକଙ୍କ ଲୁହ ପୋଡ଼ି ପାଉଁଶ କରିଦେବ ସେମାନଙ୍କ ଅସାଧୁ ମେଣ୍ଟକୁ।
Tags: Sheetal, Accident, Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, Panda Infra, Pratap Kishore Panda, Pratap Panda, rescue operation, Satyabrata Pattanaik, Sheetal, Top Stories, tragic incident, Y B Khurania

Comment