ଓଡ଼ିଶାଲାଇଭ୍ ବ୍ୟୁରୋ

ବମିଖାଲ ଓଭର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହେଉଛି। ସୋମବାର ଜଣେ ସହକାରୀ ଯନ୍ତ୍ରୀ ଏବଂ ‘ପଣ୍ଡା ଇନଫ୍ରା’ ଏମ୍‌ଡି ପ୍ରତାପ କିଶୋର ପଣ୍ଡା ଗିରଫ ହେବା ପରେ କମିଶନରେଟ୍ ପୋଲିସ ମଙ୍ଗଳବାର ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ କିଶୋର ରାଉତଙ୍କୁ ଗିରଫ କରିଛି।

ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ରାଉତ ଏବଂ ପ୍ରୋଜେକ୍ଟ ମ୍ୟାନେଜର ଭିପୁଲ ଚକ୍ରବର୍ତ୍ତୀ।
ରବିବାର ଓଭରବ୍ରିଜ୍ ଭୁଶୁଡିବା ପରେ ପୂର୍ତ୍ତ ବିଭାଗ ତରଫରୁ କିଶୋର କୁମାର ରାଉତଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରଠୁ ସେ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଥିଲା। ମଙ୍ଗଳବାର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ନିକଟରେ ଆତ୍ମ ସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଇନଫ୍ରା କମ୍ପାନୀର ଅନ୍ୟ ୨ ନିର୍ଦ୍ଦଶେକ ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କୁ  ଗିରଫ କରିବା ଲାଗି କମିଶନରେଟ୍ ପୋଲିସ ଉଦ୍ୟମ ଜାରି ରଖିଛି। ଏହାସହ ପ୍ରତାପ ପଣ୍ଡାଙ୍କ ପୁରୁଣା ଭୁବନେଶ୍ୱରସ୍ଥିତି ଘରେ ଚଢ଼ାଉ କରି ପୋଲିସ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ରବିବାର ଜନଗହଳିପୂର୍ଣ୍ଣ ବମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଥିଲା। ଏଥିରେ ଜଣେ ପଥଚାରୀ ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଲୋକ ଆହତ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ପୂର୍ତ୍ତ ବିଭାଗ ତରଫରୁ ଯନ୍ତ୍ରୀ ବଂଶୀଧର ପ୍ରହରାଜ, କିଶୋର ରାଉତ ଓ ଦୁଃଖବନ୍ଧୁ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା।
ସୋମବାର ଏହି ସମ୍ବେଦନଶୀଳ ଘଟଣାରେ କମିଶନରେଟ୍ ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତ, ବ୍ରିଜ ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନଫ୍ରାର ୩ ଜଣ ବୋର୍ଡ ଅଫ୍ ଡାଇରେକ୍ଟରର୍ସଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା।  ଏହାପରେ କମିଶନରେଟ୍ ପୋଲିସ ବଂଶୀଧର ପ୍ରହରାଜଙ୍କୁ ଗିରଫ କରିଥିଲା।
‘ପଣ୍ଡା ଇନଫ୍ରା’ର ପରିଚାଳନା ନିର୍ଦ୍ଦଶେକ ପ୍ରତାପ ପଣ୍ଡାଙ୍କ ସମେତ କମ୍ପାନୀର ଦୁଇ ଡିରେକ୍ଟର ସୁଜାତା ପଣ୍ଡା ଓ ସନ୍ତୋଷ ପଣ୍ଡାଙ୍କ ନାଁରେ ୩୦୪, ୩୩୭, ୩୩୮, ୩୪ ଆଇପିସି ଦଫାରେ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ଛାନ୍‌ଭିନ୍‌ କରିଥିଲା।
ମାମଲା ରୁଜ୍ଜୁ ହେବାର ମାତ୍ର ୨ ଘଣ୍ଟା ମଧ୍ୟରେ ପ୍ରତାପ ପଣ୍ଡା ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହାସହ ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ରାଉତଙ୍କୁ ପୋଲିସ ଖୋଜୁଛି। ବ୍ରିଜ ଭୁଶୁଡିବା ପରେ କିଶୋର ଫେରାର୍ ହୋଇ ଯାଇଥିବା ସନ୍ଦେହ କରାଯାଉଥିଲା। ହେଲେ ପଣ୍ଡା ଇନଫ୍ରାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡା ଆତ୍ମସମର୍ପଣ କରିବା ପରେ ମଙ୍ଗଳବାର ନିର୍ବାହୀ ଯନ୍ତ୍ରୀ କିଶୋର ରାଉତ ଆତ୍ମ ସମର୍ପଣ କରିଛନ୍ତି।
ବ୍ରିଜ ଭୁଶୁଡିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। କାହିଁକି ଏଭଳି ଘଟଣା ଘଟିଲା ତାର ରିପୋର୍ଟ ୧୫ ଦିନ ମଧ୍ୟରେ ଦେବାକୁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦଶେ ଦେଇଛନ୍ତି।

Tags: Accident, Arun Sahoo, Assembly, Bhubaneswar News, BJD, BJP, Bomikhal Overbridge, Bomikhal Overbridge Collapse, Breaking News, construction work, First Aid, Latest News, media, Odisha Assembly, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, Panda Infra, Pratap Kishore Panda, Pratap Panda, rescue operation, Top Stories, tragic incident

Comment