ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ୧ ମୃତ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା
  • ୧୫ରୁ ଅଧିକ ଆହତ। କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଆହତଙ୍କୁ ଭର୍ତ୍ତି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର।
  • ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ।
  • ଦାୟିତ୍ୱରେ ଥିବା ୨ ଇଞ୍ଜିନିୟରଙ୍କୁ ସସ୍ପେଣ୍ଡ କଲେ ସରକାର।
  • ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଫାୟର ସର୍ଭିସ୍, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍। ନଅ ଘଣ୍ଟା ଧରି ସରିନାହିଁ ଉଦ୍ଧାର କାର୍ଯ୍ୟ।
ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଂଚଳରେ ନିର୍ମାଣାଧିନ ଓଭର ବ୍ରିଜ୍ ଭୁଶୁଡି ପଡିଛି। ବମିଖାଲର ଗୀତାଞ୍ଜଳି ପ୍ୟାଲେସ୍ ଆପାର୍ଟମେଣ୍ଟ ନିକଟରେ ଦିନ ପ୍ରାୟ ୧୧ଟାରୁ ସାଢେ ଏଗାରଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। କିଛି ଦିନ ତଳେ ସ୍ଲାବ ପଡିଥିବା ଓଭରବ୍ରିଜର ଏହି ଭାଗରେ ଶ୍ରମିକମାନେ କାମ କରୁଥିବାବେଳେ  ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୨୦ ଫୁଟରୁ ଅଧିକ ଲମ୍ବର ସମ୍ପୂର୍ଣ୍ଣ ସ୍ଲାବଟି ଓଭରବ୍ରିଜ୍ ପିଲାର ଦେହରୁ ଖସି ପଡିଛି।
ଏହି ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଲୋକ ଗୁରୁତର ଅଛନ୍ତି। ଜଣେ ଗୁରୁତରଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଆହତମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ସେଠାରେ କାମ କରୁଥିବା ଶ୍ରମିକ।
ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ସତ୍ୟ ପଟ୍ଟନାୟକ। ସେ ସ୍ଥାନୀୟ ଅଂଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି। ଆଜି ସକାଳେ ଝିଅକୁ ମଟରସାଇକେଲରେ ବସାଇ ସହିଦ ନଗର ପଟୁ ସେ ଓଭରବ୍ରିଜ୍ ତଳ ଦେଇ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ଝିଅ ଏମ୍ସରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ଫାୟର ସର୍ଭିସ୍ ଟିମ୍ ସେଠାରେ ପହଂଚିଥିଲେ, ସେମାନେ ପ୍ରଥମେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ତେବେ ଏକ ବିଶାଳ କ୍ଂକ୍ରିଟ୍ ବ୍ଲକ ହୋଇଥିବାରୁ ଏହା ତଳେ ଆଉ କେହି ଚାପି ହୋଇରହିଛନ୍ତି କି ନା ତାହା ଜାଣିବା କଷ୍ଟକର ଥିଲା। ଫାୟାର ସର୍ଭିସ୍ ଟିମ୍ ପାଖରେ କୌଣସି ଗ୍ୟାସ କଟର ବା ହାଇଡ୍ରୋଲିକ୍ କଟର ନଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ୍ରାଫ୍ ଟିମ୍ ଏବଂ ଏନଡିଆରଏଫ୍ ଯବାନମାନେ ପହଂଚିଥିଲେ। ତେବେ ଦୀର୍ଘ ସାଢେ ଚାରି ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ କରାଯାଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ଣରେ କ୍ୟାପିଟାଲ ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଥିଲେ।
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠାରୁ ତଦନ୍ତ ଆରମ୍ଭ ହେବ। ପ୍ରାଥମିକ ସ୍ତରରେ ଦାୟିତ୍ୱରେ ଥିବା ଦୁଇଜଣ ଇଞ୍ଜିନିୟରଙ୍କୁ ସସ୍‌‍ପେଣ୍ଡ କରାଯାଇଥିବା ବିଭାଗୀୟ ସଚିବ ଜଣାଇଛନ୍ତି।
ଏହି ଘଟଣା ପରେ ସଂପୃକ୍ତ ସ୍ଥାନରେ ହଜର ହଜାର ସଂଖ୍ୟରେ ଲୋକ ଜମା ହୋଇଛନ୍ତି। ରସୁକଲଗଡରୁ କଳ୍ପନା ମଧ୍ୟରେ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି।
Tags: Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

Comment